ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି

ନୂଆପଡା : ଗାଁ ଠାରୁ ସହରକୁ ସଂଯୋଗ କରିବାକୁ ବିଭିନ୍ନ ରାସ୍ତା କାମ ପାଇଁ ସରକାର ମହତ ଉଦେ୍ଦଶ୍ୟରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରମାନଙ୍କ ମଧ୍ୟରେ ପିସି କାରବାର ଓ ଲାଭଖୋର ନୀତି ଯୋଗୁଁ ରାସ୍ତା ମାନ ନିମ୍ନରୁ ଅତିନିମ୍ନ ଭାବରେ କାର୍ଯ୍ୟ ହୋଇଛି । ଯାହା ଏବେ ରାସ୍ତାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଭଳି ଘଟଣା ନୂଆପଡା ଜିଲ୍ଲାରେ ବାରମ୍ବାର ଦେଖା ଦେଉଥିଲେ ମଧ୍ୟ ବିଭାଗ ଓ ସମ୍ପୃକ୍ତ ଠିକାଦାରମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଦୁର୍ନୀତି କମିବା ବଦଳରେ ବଢ଼ିବଢି ଚାଲିଛି । ଏଭଳି ଏକ ଘଟଣା ଦେଖିବାକୁ  ମିଳିଛି ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ବୋଡ଼େନ ବ୍ଲକ ଭାଇସାଦାନୀ ଠାରୁ ରେଢ଼ାମାଲ ଭାୟା ରୁଣ୍ଡି  ପିଚୁ ପ୍ରଧାନମନ୍ତ୍ରୀ ରାସ୍ତାରେ । ଏହି ରାସ୍ତାର ଦୈର୍ଘ୍ୟ ୩ କିଲୋମିଟର ୪୦ ମିଟର ପର୍ଯ୍ୟନ୍ତ ଅତି ନିମ୍ନ ମାନର ନିର୍ମାଣ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏକ ବର୍ଷ ନ ପୁରୂଣୁ ସମସ୍ତ ପିଚୁ ଉଠିଗଲାଣି । ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ହୋଇଥିବା ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଜଳ ଜଳ ଦିଶୁଥିବା ବେଳେ ସରକାରୀ ନିୟମର ଖୁଲମଖୁଲା ଉଲ୍ଲଂଘନ ହୋଇଛି । ଏହି କାମରେ ୭୧ ଲକ୍ଷ ୩୭ ହଜାର ଟଙ୍କା  ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି  । ଠିକାଦାର ଜୟଦେବ ସାହୁ ହୋଇଥିବା ବେଳେ ଏ ବାବଦ ରେ ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ନେଇ ଅଧିକ୍ଷଣ ଯନ୍ତ୍ରୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ  ।