ଶିକ୍ଷାନୁଷ୍ଠାନ ଯିବାକୁ ନାହିଁ ଯାତାୟାତ ସୁବିଧା : ୪ କିମି ବାଟ ଚାଲି ଚାଲି ଯାଉଛନ୍ତି ଛାତ୍ରଛାତ୍ରୀ
ମାଲକାନଗିରି : ଶିକ୍ଷାଦାନ ପାଇଁ ଶିକ୍ଷାନୁଷ୍ଠାନ ଅଛି, କିନ୍ତୁ ଯିବା ପାଇଁ ନାହିଁ ଯାତାୟତର ସୁବିଧା । ପକ୍କା ରାସ୍ତା ରହିଛି ସତ କିନ୍ତୁ ବସ୍ କିମ୍ବା ଅନ୍ୟ କୌଣସି ଯାତ୍ରୀ ବାହୀଯାନ ଯାତାୟତ କରୁନଥିବାରୁ ଯାତାୟାତରେ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ । କିଛି ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଉରୁବେଲି ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟରୁ ।
ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟକୁ ଯିବା ଲାଗି ମାଲକାନଗିରି ଜିଲ୍ଲା ଠାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରୁଥିବା ୩୨୬ନଂ ଜାତୀୟ ରାଜପଥ ନିକଟସ୍ଥ ପୁଷୁଗୁଡା ଗ୍ରାମଛକ ଠାରୁ ସ୍କୁଲ ପର୍ଯ୍ୟନ୍ତ ପ୍ରାୟ ଚାରି କିମି ଦୂର ରାସ୍ତା ଚାଲି ଚାଲି ଯିବାକୁ ପଡେ । ଏହି ରାସ୍ତା ଦେଇ କୌଣସିି ଚାରି ଚକିଆ ଯାନବାହନ ଯାତାୟତ କରୁନଥିବାରୁ ମୋଟର ସାଇକେଲ କିମ୍ବା ପାଦରେ ଚାଲି ଚାଲି ଲୋକେ ଯାତାୟତ କରନ୍ତି । ସେଥିପାଇଁ ଏହି ସ୍କୁଲରେ ପଢୁଥିବା ପ୍ରାୟ ୨ ଶହ ୮୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ଦେଢ଼ଶହ ଛାତ୍ରଛାତ୍ରୀ ଦୈନିକ ଆଖପାଖ ଗ୍ରାମରୁ ଚାଲି ଚାଲି ଆସୁଥିବାବେଳେ ବଳକା ଶହେରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ବସ୍ କିମ୍ବା ଅଟୋ ଯୋଗେ ପୁଷୁଗୁଡା ଗ୍ରାମ ଛକକୁ ବସ୍ ଯୋଗେ ଆସି ସେଠାରୁ ବିଦ୍ୟାଳୟକୁ ପାଦରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ଯାହାଫଳରେ ପାଠ ପଡ଼ିବାକୁ ଆସୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଦୈନିକ ପ୍ରାୟ ୪ କିମି ଚାଲିଚାଲି ଯିବା ଅନେକ ସମସ୍ୟା ସୃଷ୍ଠି କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବସସେବା ଯୋଗେ ଗୋଟିଏ ବସ୍ କାଲିମେଳାରୁ ପୁଷୁଗୁଡା ହୋଇ ମୋଟୁ ଯାଉଥିବାବେଳେ ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ଏହି ବସ୍ ଯୋଗେ ଯାତାୟତ କରନ୍ତି । କିନ୍ତୁ ପୁଷୁଗୁଡା ଠାରୁ ବିଦ୍ୟାଳୟର ଦୂରତା ୪ କିମି ଥିବାରୁ ଏହି ବସ୍ଟି ମୁଖ୍ୟ ରାସ୍ତାରୁ ସ୍କୁଲ ପର୍ଯ୍ୟନ୍ତ ଅତିରିକ୍ତ ଯାତାୟତ କଲେ ସ୍କୁଲର ଛାତ୍ରଛାତ୍ରୀ ସମେତ ସ୍ଥାନୀୟ ଲୋକ ବି ଉପକୃତ ହୋଇପାରିବେ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି । ଏନେଇ ଜନ ପ୍ରତିନିଧି ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା କହିଛନ୍ତି ଲୋକେ । ଏହି ବାବଦରେ କାଲିମେଳା ବିଡିଓ ପ୍ରଦୀପ କୁମାର କରଙ୍କ ସହ ଆଲୋଚନା କରିବାରୁ ସେ ମୁଖ୍ୟମନ୍ତ୍ରୀ ବସ୍ ସେବାର ରୁଟ ସେହି ରାସ୍ତା ଦେଇ ନଥିବାରୁ ଯାତାୟତ କରୁନଥିବା କହିବା ସହ ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ଉକ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରି ବସ୍ ଚଳାଚଳ ବ୍ୟବସ୍ଥା କରିବେ ବୋଲି କହିଛନ୍ତି । ଅନ୍ୟପଟେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଯାତାୟତ ସହ ଉରୁବେଲି ଓ ଆଖପାଖ ଗ୍ରାମ ଗୁଡିକୁ ରାଜପଥ ସହ ଯୋଡ଼ିବା ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବା ବ୍ୟବସ୍ଥା କରିବାକୁ ପୁଷୁଗୁଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମା ରାବା, ସ୍ଥାନୀୟ ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।