ସାମାନ୍ୟ ବର୍ଷାରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି

  ନିଶ୍ଚିନ୍ତକୋଇଲି:     ରାଜ୍ୟ ରାଜପଥ କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବଜାର ମଧ୍ୟସ୍ଥଳୀରୁ ବାହାରିଥିବା ନିଶ୍ଚିନ୍ତକୋଇଲି-ଲଳିତଗିରି ରାସ୍ତାର ନିଶ୍ଚିନ୍ତକୋଇଲି ସାପ୍ତାହିକ ହାଟପାଖ ତାରିଣୀ ମନ୍ଦିର ନିକଟରେ ସାମାନ୍ୟ ବର୍ଷା ହେଲେ ବର୍ଷାଜଳ ଜମି ରହି ଯାତାୟାତରେ ବାଧା ସୃଷ୍ଟି କରୁଛି । ଏହି ରାସ୍ତାଟି ସାଲେପୁର ପୂର୍ତ୍ତ ବିଭାଗ ଅଧିନରେ ରହିଛି । ନିକଟ ଅତୀତରେ ଏହି ରାସ୍ତାକୁ ଜନୈକ ଠିକାଦାର ଢଳେଇ ରାସ୍ତା ଉପରେ କାଁ ଭାଁ ପିଚୁ ପ୍ୟାଚ୍ ପକାଇ ଚାଲି ଯାଇଥିଲେ । ଏହି ରାସ୍ତାର ଅବସ୍ଥା ପୁରା ବେହାଲ ହୋଇ ପଡିରହିଛି । ଏହି ରାସ୍ତା ଉପରେ ବହୁ ବିଦ୍ୟାଳୟ, ମହାବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଯାଆସ କରୁଥିବା ବେଳେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଶକ୍ତିଶ୍ୱର ମନ୍ଦିର ଓ ବଲ୍ଲଭିଦେବୀ ମହିଳା ମହାବିଦ୍ୟାଳୟ ସମେତ ଅନେକ ଗୁଡିଏ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀମାନେ ଯାଆସ କରିଥାଆନ୍ତି । ଏହି ରାସ୍ତା ଦେଇ ଦୈନନ୍ଦିନ ବହୁ ଦୁଇ ଚକିଆ ଆରୋହୀଙ୍କ ସମେତ ଚାରିଚକିଆ ଯାନ ଓ ଯାତ୍ରୀବାହୀ ବସ୍ ସହିତ ବଡ ବଡ ମାଲବାହୀ ଯାନ ମଧ୍ୟ ଯାଆସ କରିଥାଏ । ବିଗତ ୧ ବର୍ଷରୁ ଊଦ୍ଧ୍ୱର୍ ହେବ ନିଶ୍ଚିନ୍ତକୋଇଲି ଅହେମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ରାପଡା ସାଂସଦ, ମାହାଙ୍ଗା ବିଧାୟକଙ୍କ ସମେତ ବହୁ ସାଂସଦ, ବିଧାୟକ  ଓ ମନ୍ତ୍ରୀ ଯୋଗ ଦେଇଥିଲେ । ଉକ୍ତ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ତାଙ୍କ ଅଭିଭାଷଣରେ କହିଥିଲେ କି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଓ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଏକ ମନ ନେଇ କାର୍ଯ୍ୟକଲେ ନିଶ୍ଚିନ୍ତକୋଇଲି ଅଂଚଳ ନୁ୍ୟୟର୍କରେ ପରିଣତ ହେବ । ହେଲେ ଏକ ବର୍ଷରୁ ଊଦ୍ଧ୍ୱର୍ ସମୟ ବିତିଯାଇଥିଲେ ମଧ୍ୟ କେନ୍ଦ୍ରାପଡା ସାଂସଦଙ୍କ ନିଜସ୍ୱ ସାଂସଦ ପାଣ୍ଠି ନିଶ୍ଚିନ୍ତକୋଇଲି ଅଂଚଳରେ କେଉଁଠି କେଉଁ ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ତାହା ଜଣାପଡୁନାହିଁ । ନିଶ୍ଚିନ୍ତକୋଇଲି ଅଂଚଳରେ ଅନେକ ସମସ୍ୟା ଥିଲେ ମଧ୍ୟ ତାହାର ସମାଧାନ ହୋଇ ପାରୁନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥାକୁ ନେଲେ ଜଣାପଡୁଛି ଯେ କେନ୍ଦ୍ରାପଡା ସାଂସଦ ଓ ମାହାଙ୍ଗା ବିଧାୟକଙ୍କ ମଧ୍ୟରେ ତାଳମେଳ ରହୁନାହିଁ କି ? ଯଦି ଉଭୟଙ୍କ ଭିତରେ ତାଳମେଳ ରହୁଥାଆନ୍ତା, ତା’ହେଲେ ନିଶ୍ଚିନ୍ତକୋଇଲି ନୁ୍ୟୟର୍କରେ ପରିଣତ ହୋଇଥାଆନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।