ରାହୁଲ ଗାନ୍ଧୀ, ଭକ୍ତ ଦାସଙ୍କ କୁଶପୁତ୍ତଳିକା ଦାହ କରି ବିକ୍ଷୋଭ ପ୍ରଦର୍ଶନ
ଜଣେ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫଦାରୀ ଘଟଣାକୁ ନେଇ ଭବାନୀପାଟଣା ଗାନ୍ଧୀ ଛକଠାରେ କଳାହାଣ୍ଡି ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏଥିରେ ଜିଲାର ବହୁ ଭାଜପା ନେତା ଓ କର୍ମୀ, ଯୁବମୋର୍ଚ୍ଚା ସଦସ୍ୟ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେଇ କଂଗ୍ରେସ ଛାତ୍ର ନେତାଙ୍କ କୁକର୍ମକୁ କଡ଼ା ସମାଲୋଚନା କରିଥିଲେ। ଭାଜପା ଜିଲା ସଭାପତି ଯୁଗଳ କିଶୋର ପୋଢ଼, ଜିଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ହିମାଂଶୁ ଶେଖର ପଣ୍ଡା,ଜିଲା ମହିଳା ସଭାନେତ୍ରୀ ନିରୂପମା ନାଏକ, ପୂର୍ବତନ ଜିଲା ସଭାପତି ଭବେନ୍ଦ୍ର ପଣ୍ଡା, ଦେବେନ୍ଦ୍ର ମହାନ୍ତି, ଜିଲା ସାଧାରଣ ସମ୍ପାଦକ ଜୟଶଙ୍କର ନାଏକ, ବରିଷ୍ଠ ନେତା ରୂପେଶ ଜୈନ, ଅପ୍ରେସ ସ୍ବାଇଁ, ଜିଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ନର ହରି ପଟ୍ଟନାୟକ, ମହିଳା ନେତ୍ରୀ ଶର୍ମିଷ୍ଠା ମେହେର, ଶୋଭାଙ୍ଗିନୀ ପାତ୍ର, ସନ୍ତୋସିନୀ ଦାସ, କାଞ୍ଚନ ବାଗ ପ୍ରମୁଖ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରି କଂଗ୍ରେସ ନେତାଙ୍କ ଦୋମୁହାଁ ନୀତିକୁ କଡ଼ା ସମାଲୋଚନା କରିଥିଲେ।
ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ବନ୍ଦ ଡାକରା ଦେଇଥିବା କଂଗ୍ରେସ ନେତା ଏବେ କଂଗ୍ରେସ ଛାତ୍ର ସଭାପତିଙ୍କ କୁକର୍ମକୁ କ’ଣ କହିବେ ବୋଲି ପ୍ରଶ୍ନ କରିଥିଲେ। ସେହିପରି କଂଗ୍ରେସ ଶାସନ ସମୟରେ ମହିଳାମାନେ ବେଶୀ ନିର୍ଯାତନାର ଶିକାର ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ। ଭାଜପା ସରକାରକୁ ବଦନାମ କରିବାକୁ ଉଦ୍ୟମ କରିଥିବା କଂଗ୍ରେସ ଏବେ ନିଜେ ହରଡ଼ଘଣାରେ ପଡ଼ିଛି ବୋଲି କହିଥିଲେ।