ରୁପାଲୀ ଛକର ନାମକରଣ ରହସ୍ୟ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର.... ସେଠି ଅନେକ ଛକର ସମାବେଶ l ତନ୍ମଧ୍ୟରୁ ସହିଦନଗର ଭଳି ଭିଭିଆଇପି ଅଞ୍ଚଳରେ ଏକ ଛକ ହେଲା "ରୁପାଲୀ ଛକ" l
କିଏ ସେ ରୁପାଲୀ....
କେଉଁଠି ସେ ରୁହେ....
କେଉଁଠୁ ଆସିଲା, କେବେ ଆସିଲା, କେମିତି ଆସିଲା....
କେଉଁଠି ଓ କିପରି ରହୁଛି....
ଏମିତି ଅଶୁମାରି ପ୍ରଶ୍ନ ଉଙ୍କିମାରେ !!
ପ୍ରକୃତରେ ଭୁବନେଶ୍ୱରବାସୀ କଣ ରୁପାଲୀକୁ ଜାଣିଛନ୍ତି ନା କେବେ ଦେଖିଛନ୍ତି ???
ସତୁରି (70) ଦଶକରେ ରୁପାଲୀ ଛକ ନଥିଲା l ସମସ୍ତେ ଏହି ଛକକୁ ଫୁଡ଼ କର୍ପୋରେସନ ଛକ ବୋଲି କହୁଥିଲେ l ଯେହେତୁ ପାଖରେ ଏଫ. ସି. ଆଇ. ଅଫିସ ଥିଲା l ଆଖପାଖରେ ବଜାର ତ ଦୂର କଥା ଚାଳିଆ ଦୋକାନ ଖଣ୍ଡେ ବି ନଥିଲା l ନାଲି ରଙ୍ଗର ଓଏସଆରଟିସି ଓ ଫିକା ନୀଳ ରଙ୍ଗର ଓଆରଟି'ର ସରକାରୀ ବସ କେଇଖଣ୍ଡ ଏହି ବାଟ ଦେଇ ଯାତାୟତ କରୁଥିଲା l କି ଦିନ, କି ରାତି ଆଜି ଏହି ଛକରେ ପ୍ରବଳ ଜନ ଗହଳି... କିନ୍ତୁ ସେହି 70 ଦଶକରେ ସୂର୍ଯ୍ୟ ନଈଁ ଆସିଲା ବେଳକୁ, ମଣିଷ ବଦଳରେ କୋକିଶିଆଳି ରାସ୍ତା ଉପରେ ହୁ କେ ହୁ ବୋବାଳି ବିଚରଣ କରୁଥିବାର ଦେଖିବାକୁ ମିଳୁଥିଲା l ସେହି ସମୟରେ ଛତ୍ରପୁର ଚିକଲଖଣ୍ଡିରୁ ଭୁବନେଶ୍ୱର ଆସିଥିଲେ ଜି. ପାପ୍ପା ରାଓ l ଫୁଡ଼ କର୍ପୋରେସନ ଛକରେ ରାସ୍ତାକୁ ଲାଗି ଝୁମ୍ପୁଡ଼ି ହୋଟେଲଟିଏ ଖୋଲିଲେ l ଆଉ ନାଁ ଦେଇଥିଲେ "ରୁପାଲୀ ହୋଟେଲ" l ଗାଁ ଚିକଲଖଣ୍ଡିରେ ଥିବା ସାନଭାଇର ଝିଅ ରୁପାଲୀକୁ ସେ ଭାରି ଭଲ ପାଉଥିଲେ l ତେଣୁ ଝିଆରୀ ନାମରେ ହୋଟେଲ ନାଁ ରଖିଥିଲେ l ଏ ହୋଟେଲରେ ସକାଳୁ ସକାଳୁ ଇଡ଼ଲି, ବରା, ଗୁଲୁଗୁଲା, ସମ୍ବର ଆଉ ପାଣିଆ ଘୁଗୁନି ମିଳେ, ପାଣିଆ ହେଲେ ବି ଟେଷ୍ଟି ଥିଲା l ତା'ସହିତ ଚାହା ଲକ୍ଷ୍ମୀ ନିଜେ ବନେଇକି ଦେଉଥିଲା l ଆଉ ବେଳାକୁ (ଦ୍ବିପହରରେ) ଏଠି ଆମିଷ ନିରାମିଷ ସବୁ ମିଳୁଥିଲା l ଧୀରେ ଧୀରେ ଚାହିଦା ଏମିତି ବଢ଼ିଲା ଯେ ଝୁମ୍ପୁଡ଼ିରୁ ଆଜବେଷ୍ଟସ ଘରଟିଏ ପାଲଟିଗଲା l
ବାଣୀବିହାର କ୍ୟାମ୍ପସରୁ ଆରମ୍ଭକରି ଆଖପାଖ ଅଞ୍ଚଳରେ ବେଶ ପ୍ରସିଦ୍ଧ ଥିଲା ଏ ରୁପାଲୀ ହୋଟେଲ l କାଳକ୍ରମେ ଫୁଡ଼ କର୍ପୋରେସନ ଛକରୁ ଏହା "ରୁପାଲୀ ଛକ" ପାଲଟିଗଲା l ହେଲେ ରାଓଙ୍କ ଝିଆରୀ କେବେ ଏ ହୋଟେଲକୁ ଆସି ନାହାନ୍ତି କି ଭୁବନେଶ୍ୱର ମଧ୍ୟ ଦେଖି ନାହାନ୍ତି l ରାଓଙ୍କ ଝିଅ ଲକ୍ଷ୍ମୀ ବାପାଙ୍କ ସହିତ ହୋଟେଲରେ ବସୁଥିଲେ l ଅନେକ ତାଙ୍କୁ ହିଁ ରୁପାଲୀ ବୋଲି ଭାବନ୍ତି.....
1982 ରେ ଜମି ବିବାଦ ମୁଣ୍ଡ ଟେକିଲା l ତାର ପରିଣାମ ସ୍ୱରୂପ ସୁଆଦିଆ ଖାଦ୍ୟ ପରଶୁଥିବା ରୁପାଲୀ ହୋଟେଲ ଚିରଦିନ ପାଈଁ ବନ୍ଦ ହେଇଗଲା l ଯେଉଁ ଝିଅ ରୁପାଲୀ ନାଁ ରେ ଛକଟିର ନାମକରଣ ହୋଇଛି, ପ୍ରାୟ 40 ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇ ସାରିଛି l କିନ୍ତୁ, ରାଜଧାନୀ ଭୁବନେଶ୍ୱର ବୁକୁରେ ତାଙ୍କ ନାଁ ସବୁଦିନ ପାଇଁ ରହିଗଲା l
ରିପୋର୍ଟ- ହେନାମଞ୍ଜରୀ ସ୍ୱାଇଁ