ରେଭେନ୍ସା ବାଳିକା ହାଇସ୍କୁଲ୍ର ବିକାଶ ପାଇଁ ୮୬ କୋଟି ମଞ୍ଜୁର 

ଭୁବନେଶ୍ୱର : କଟକର ଅନ୍ୟତମ ପୁରାତନ ସ୍କୁଲ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ପୁନଃ ବିକାଶ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଶିକ୍ଷା ମନ୍ତ୍ରଣାଳୟର ‘ଷ୍ଟାର୍ସ' ପ୍ରକଳ୍ପ ଅଧୀନରେ ୨୦୨୪-୨୫ ବର୍ଷ ପାଇଁ ୮୬.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଶିକ୍ଷାନୁଷ୍ଠାନର ଐତିହାସିକ ପୃଷ୍ଠଭୂମି ଓ ସ୍ଥାପତ୍ୟକୁ ଦୃଷ୍ଟିରେ ରଖି ଏହି ଅର୍ଥ ଅନୁମୋଦିତ ହୋଇଛି ।
ଗତ ୨୦୨୩ ମସିହା ଡିସେମ୍ବର ୧୬ ତାରିଖରେ ରେଭେନ୍ସା ବାଳିକା ବିଦ୍ୟାଳୟର ‘ଉକôର୍ଷର ୧୫୦ ବର୍ଷ ପୂର୍ତ୍ତି’ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସ୍କୁଲ୍ର ପୁର୍ନବିକାଶ ପାଇଁ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ । ଗତ ୩୧ ଅଗଷ୍ଟ ୨୦୨୪ରେ ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ସହରରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ରେଭେନ୍ସା ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସେ ବିଦ୍ୟାଳୟର ବିଭିନ୍ନ ଅସୁବିଧା ସମ୍ପର୍କରେ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ରେଭେନ୍ସା ବାଳିକା ବିଦ୍ୟାଳୟର ଐତିହାସିକ ପୃଷ୍ଠଭୂମି ଓ ସ୍ଥାପତ୍ୟକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ଭବନ, ଶ୍ରେଣୀଗୃହ, ଛାତ୍ରୀ ନିବାସ ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ କଟକ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନଙ୍କ ନିଦେ୍ର୍ଦଶ କ୍ରମେ ସ୍କୁଲର ଐତିହ୍ୟକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଷ୍ଟାର୍ସ ପ୍ରକଳ୍ପ ଅଧୀନରେ ୮୬.୯୧ କୋଟି ଟଙ୍କା ମଞ୍ଜୁର ହୋଇଛି । ଷ୍ଟାର୍ସ ପ୍ରକଳ୍ପ ଅଧୀନରେ ଅନୁମୋଦିତ ଅର୍ଥରାଶି ମଧ୍ୟରୁ ନୂଆ ସ୍କୁଲ ଭବନ ପାଇଁ  ୧୪ କୋଟି, ଇନଡୋର୍ ଷ୍ଟାଡିୟମ କିମ୍ବା ବହିମୁଖୀ ସଭାଗୃହ ପାଇଁ ୧୦ କୋଟି, ନୂଆ ହଷ୍ଟେଲ ପାଇଁ ୨୦.୭ କୋଟି, ସ୍କୁଲ ବିଲଡିଂ ପାଇଁ ୫.୧୨ କୋଟି ଖର୍ଚ୍ଚ କରାଯିବ । ସେହିପରି ସ୍କୁଲ ଭବନର ନବୀକରଣ ପାଇଁ ୩.୩୨ କୋଟି, ବିଦ୍ୟାଳୟ ଚତୁଃପାର୍ଶ୍ୱର ବିକାଶ ପାଇଁ ୬.୯୩ କୋଟି, ଷ୍ଟାଫ୍ କ୍ୱାଟର, ସାଇସେଲ ଷ୍ଟାଣ୍ଡ ଓ ଆନୁଷଙ୍ଗିକ ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗୀତାରେ ଏହି ସ୍କୁଲର ବିକାଶ ଓ ନବୀକରଣ ହେବ ।