ରେଳପଥ ମହାପ୍ରବନ୍ଧକଙ୍କ ମହାସମୁନ୍ଦ-ଟିଟିଲାଗଡ଼ ରେଳ ସେକ୍ସନ ନିରୀକ୍ଷଣ

 ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ମହାସମୁନ୍ଦ-ଟିଟିଲାଗଡ଼ ରେଳ ସେକ୍ସନକୁ ବିସ୍ତୃତ ଭାବେ ନୀରିକ୍ଷଣ କରିଛନ୍ତି  । ଏହି ନୀରିକ୍ଷଣ ସମୟରେ ରେଳ ସେକ୍ସନର ବିଭିନ୍ନ ଷ୍ଟେସନରେ ନିରାପତ୍ତା ବ୍ୟବସ୍ଥା, ଟ୍ରାଫିକ୍ ସୁବିଧା, ଯାତ୍ରୀଙ୍କ ସୁବିଧା ଏବଂ ଚାଲୁରହିଥିବା ଭିତ୍ତିଭୂମି କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା । ନୀରିକ୍ଷଣ ସମୟରେ ଫୁଙ୍କୱାଲ ମହାସମୁନ୍ଦ, କୋମାଖାନ, ଲଖନା, ଖରିଆର ରୋଡ, କଣ୍ଟାବାଞ୍ଜି ଏବଂ ଟିଟିଲାଗଡ ସମେତ ବିଭିନ୍ନ ଷ୍ଟେସନରେ ଟ୍ରାଫିକ ସୁବିଧା କାର୍ଯ୍ୟ, ଯାତ୍ରୀଙ୍କ ସୁବିଧା ତଥା ଭିତ୍ତିଭୂମି ବିକାଶ ପ୍ରକଳ୍ପର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ମହାପ୍ରବନ୍ଧକ ମଧ୍ୟ ନିରାପଦ ଏବଂ ସୁଗମ ଟ୍ରେନ୍ ଚଳାଚଳ କାର୍ଯ୍ୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ଅନେକ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଉପରେ ମଧ୍ୟ ଶ୍ରୀ ଫୁଙ୍କୱାଲ ସମୀକ୍ଷା କରିଛନ୍ତି । ଏଥିମଧ୍ୟରେ ପାର୍କିଂ କ୍ଷେତ୍ରରେ ଉନ୍ନତି, ସର୍କୁଲାର ବା ଚଳପ୍ରଚଳ କ୍ଷେତ୍ର ଏବଂ ଷ୍ଟେସନରେ ଲ୍ୟାଣ୍ଡସ୍କପ୍ ଅନ୍ତର୍ଭୁକ୍ତ । ମହାପ୍ରବନ୍ଧକ ବିଶେଷ ଭାବରେ ଅମୃତ ଷ୍ଟେସନ ଯୋଜନା ଅଧୀନରେ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ଅଗ୍ରଗତି ଉପରେ ଧ୍ୟାନ ଦେଇଥିଲେ, ଯାହା ନେଟୱାର୍କରେ ଯାତ୍ରୀଙ୍କ ଅଭିଜ୍ଞତାକୁ ବୃଦ୍ଧି କରାଇବା ପାଇଁ ଲକ୍ଷ୍ୟ ରଖିଛି । ମହାପ୍ରବନ୍ଧକଙ୍କ ନୀରିକ୍ଷଣ ସମୟରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ତୁଷାର କାନ୍ତ ପାଣ୍ଡେ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।