୩ବର୍ଷ ହେଲା ଅଚଳ ହୋଇପଡ଼ିଛି ଥଣ୍ଡା ପାନୀୟଜଳ ଯୋଗାଣ ଯନ୍ତ୍ର
ବାଲିଚନ୍ଦ୍ରପୁର: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନାନୁଯାୟୀ ଆଗକୁ ଆହୁରି ତାପମାତ୍ରା ବଢିବାର ସମ୍ଭାବନା ରହିଛି । ତାପମାତ୍ରାକୁ ଦୃଷ୍ଟିରେ ରଖି ପାନୀୟ ଜଳ ମଧ୍ୟ ଦିନକୁ ଦିନ ଉକôଟ ହେବାର ଲାଗିଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ବଜାରରେ ଥିବା ଶୀତଳୀକରଣ ଯନ୍ତ୍ର ।
କଟକ-ଯାଜପୁର-କେନ୍ଦ୍ରାପଡ଼ା ଜିଲାର ସୀମାନ୍ତବର୍ତ୍ତୀ ତଥା ଯାଜପୁର ଜିଲା ଅନ୍ତର୍ଗତ ବାଲିଚନ୍ଦ୍ରପୁର ବଜାରଟି ଏକ ପ୍ରମୁଖ ଏବଂ ପୁରାତନ ବାଣିଜି୍ୟକ ପେଣ୍ଠସ୍ଥଳୀ ହୋଇଥିଲେ ମଧ୍ୟ ଏହା ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇଛି । ପ୍ରାୟ ୬୦/୭୦ବର୍ଷର ପୁରୁଣା ଏହା ଏକ ଗ୍ରାମୀଣ ବଜାର ହୋଇଥିଲାବେଳେ ପ୍ରାୟ ହଜାରରୁ ଅଧିକ ଛୋଟ ବଡ଼ ବ୍ୟବସାୟୀଙ୍କର ବ୍ୟବସାୟ ପ୍ରତିଷ୍ଠାନ ଏଠାରେ ରହିଛି ।୧୦ରୁ ଅଧିକ ଶିକ୍ଷାନୁଷ୍ଠାନ, ୫ରୁ ଅଧିକ ବ୍ୟାଙ୍କ, ପୁଲିସ ଥାନା, ତେଲଟାଙ୍କି ରହିଥିଲା ବେଳେ ଚଳଚଞ୍ଚଳ ଏବଂ ଗୁରୁତ୍ୱପୂର୍ଣ୍ଣ ଚଣ୍ଡୀଖୋଲ-ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥ ଏହାକୁ ସଂଯୋଗ କରୁଛି । ମଙ୍ଗଳବାର ଓ ଶନିବାର ଦୁଇଦିନ ସାପ୍ତାହିକ ହାଟପାଳି ଏଠାରେ ବସିଥାଏ । ପ୍ରତ୍ୟହ ଶତାଧିକ ଚାଷୀ, ବ୍ୟବସାୟୀ, ସାଧାରଣଲୋକ, ଛାତ୍ରଛାତ୍ରୀ ଏହି ବଜାର ଉପରେ ନିର୍ଭର କରିଥାନ୍ତି । ଏପରିକି କଟକ ଜିଲାର ମାହାଙ୍ଗା-କୁଆଁପାଳ, ବରି-ଡେରାବିଶ ଅଞ୍ଚଳ, କେନ୍ଦ୍ରାପଡ଼ା-ପଞ୍ଚୁପାଣ୍ଡବ ଏବଂ ଯାଜପୁର-ବରୁଆଁ-ବ୍ରହ୍ମବରଦା ଓ ଚଣ୍ଡୀଖୋଲ ଅଞ୍ଚଳରୁ ବିଭିନ୍ନ କାମରେ ଲୋକମାନେ ବାଲିଚନ୍ଦ୍ରପୁର ବଜାର ଉପରେ ନିର୍ଭର କରିଥାନ୍ତି । ବାଲିଚନ୍ଦ୍ରପୁର ଥାନା ଠାରୁ କଲେଜ ରୋଡ଼୍ ପର୍ଯ୍ୟନ୍ତ ହଜାରେରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନ, ଖୁରୁରା ଉଠାଦୋକାନ ରହିଥିଲାବେଳେ ଓ ପ୍ରତ୍ୟହ ଶହ ଶହ ଲୋକ ବାଲିଚନ୍ଦ୍ରପୁର ବଜାର ଉପରେ ନିର୍ଭର କରୁଥିଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ଶୀତଳ ପାନୀୟ ଜଳ ପ୍ରକଳ୍ପ ବନ୍ଦ ହୋଇ ପଡିଅଛି । ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ତା୨୩ା୧୦ା୨୦୧୯ରିଖରେ ଏହି ପ୍ରକଳ୍ପଟିକୁ ଲୋକାର୍ପିତ କରିଥିଲେ । ବଜାରକୁ ଆସୁଥିବା ଯାତ୍ରୀମାନେ ସୁବିଧାରେ ଶୀତଳ ପାନୀୟଜଳ ପାଇବା ଉଦେ୍ଧଶ୍ୟରେ ଉକ୍ତ ପାନୀୟଜଳ ପ୍ରକଳ୍ପ ବସାଯାଇଥିଲା । କିନ୍ତୁ ରକ୍ଷଣା ବେକ୍ଷଣା ଅଭାବରୁ ଉକ୍ତ ପାନୀୟଜଳ ପ୍ରକଳ୍ପଟି ଅଚଳ ହୋଇପଡିଛି । ପ୍ରକଳ୍ପଟି ଅଚଳ ହୋଇପଡିଥିବାରୁ ଚର୍ତୁପାଶ୍ୱର୍ରେ ଆବଦ୍ଧ କରାଯାଇଥିବା ଲୁହା ଗ୍ରୀଲ ଗୁଡିକ କଳଙ୍କି ଲାଗିଗଲାଣି । ପ୍ରକଳ୍ପଟି ଅଚଳ ହୋଇପଡିବାରୁ ବାଲିଚନ୍ଦ୍ରପୁର ବଜାରକୁ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଏପରିକି ଅଧିକାଂଶ ଯାତ୍ରୀମାନେ ଦୋକାନରୁ ପାଣି ବୋତଲ କ୍ରୟକରି ପାଣି ପିଉଥିବାର ଦେଖିବାକୁ ମିଳୁଛି । ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାରୁ ଉକ୍ତପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଯାତ୍ରୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି ।