ହିଙ୍ଗୁଳା ଖଣି ବନ୍ଦ ଆନେ୍ଦାଳନ
ତାଳଚେର : ଥଇଥାନ ତଥା କ୍ଷତିପୂରଣ ଆଦି ଦାବି ନେଇ ତାଳଚେର ବ୍ଲକ ଗୋପାଳପ୍ରସାଦ ଗ୍ରାମବାସୀମାନଙ୍କ ପକ୍ଷରୁ ହିଙ୍ଗୁଳା କୋଇଲା ଖଣି ବନ୍ଦ ଆନ୍ଦୋଳନ କରାଯାଇଛି । ଶତାଧିକ ଗ୍ରାମବାସୀ ହିଙ୍ଗୁଳା କୋଇଲା ଖଣି, ଟାଇମ ଅଫିସ, କୋଇଲା ପରିବହନ ରାସ୍ତା ଆଦି ଅବରୋଧ କରିବାରୁ ଖଣିରୁ କୋଇଲା ଉତ୍ପାଦନ କାର୍ଯ୍ୟ ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଥିଲା ।
ସୂଚନାରୁ ପ୍ରକାଶ ଯେ, ଗୋପାଳପ୍ରସାଦ ତୃତୀୟ ପର୍ଯ୍ୟାୟ ଜମିହରା ପ୍ରଜାମାନଙ୍କର ୨୦୫ଟି ନିଯୁକ୍ତି ସମ୍ବଦ୍ଧୀୟ ଫାଇଲକୁ ଏମ୍ସିଏଲ୍ କର୍ତୃପକ୍ଷ ଏପର୍ଯ୍ୟନ୍ତ ଅନୁମୋଦନ କରିନାହାନ୍ତି । ପୂର୍ବରୁ ଏମ୍ସିଏଲ୍ ପକ୍ଷରୁ ଜମିହରା ପ୍ରଜାଙ୍କୁ ଏହି ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କ ଦାବି ପୂରଣ କରାଯାଇନାହିଁ । ତାହାସହିତ ଜମିହରା ପ୍ରଜାମାନଙ୍କୁ ଜମିର ମୂଲ୍ୟ ନୂଆ ଦରରେ ନିର୍ଦ୍ଧାରଣ କରି କ୍ଷତିପୂରଣ ଦେବାପାଇଁ ଦାବି କରାଯାଇଥିଲା । ପରନ୍ତୁ ଖଣି କର୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରି ସେମାନଙ୍କୁ ୨୦୦୪ ମସିହାର ଥଇଥାନ ଦର ଅନୁଯାୟୀ କ୍ଷତିପୂରଣ ରାଶି ନେବାକୁ ବାଧ୍ୟ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୂର୍ବରୁ ଖଣି କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଜମିହରା ଗ୍ରାମବାସୀଙ୍କୁ ନିଯୁକ୍ତି, ଥଇଥାନ ଦେବାକୁ ଲିଖିତ ଚୁକ୍ତିନାମା କରିଥିଲେ ମଧ୍ୟ ଏହି ଚୁକ୍ତିନାମାକୁ ଖଣି କର୍ତ୍ତୃପକ୍ଷ ଅଣଦେଖା କରି ସେମାନଙ୍କୁ ପ୍ରତାରଣା କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପ୍ରତିଶ୍ରୁତି ରକ୍ଷା କରିବାରେ ଖଣି କର୍ତ୍ତୃପକ୍ଷ ବାରମ୍ବାର ବିଫଳ ହେଉଥିବାରୁ ଗ୍ରାମବାସୀମାନେ ଏହି ଆନେ୍ଦାଳନ ଚଳାଇଛନ୍ତି । ଯଦିଓ ଜିଲ୍ଲାପାଳଙ୍କ ସମେତ ବହୁ ପ୍ରଶାସନ ଅଧିକାରୀ ଏହି ଆନେ୍ଦାଳନ ନ କରିବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ ବିସ୍ଥାପିତ ପ୍ରଜାମାନେ କୌଣସି କଥା ନ ଶୁଣି ଖଣି ବନ୍ଦ ଆନେ୍ଦାଳନ ଚଳାଇଛନ୍ତି । ଶେଷରେ ପୋଲିସ ଘଟଣାସ୍ଥଳକୁ ଯାଇ ଆନେ୍ଦାଳନକାରୀ ଗ୍ରାମବାସୀଙ୍କୁ ଗିରଫ କରିବାରୁ ସେଠାରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଗୋପାଳପ୍ରସାଦ ଗ୍ରାମର ମହିଳାମାନେ ହିଙ୍ଗୁଳା କୋଇଲା ଖଣିର ବିଭିନ୍ନ ସ୍ଥାନକୁ ଯାଇ ପୁଣି ଅବରୋଧ କରିବାରୁ ଆନେ୍ଦାଳନ ଚାଲୁ ରହିଛି । ସମସ୍ୟାର ସମାଧାନ ନହେବା ଯାଏଁ ଖଣି ବନ୍ଦ ଆନେ୍ଦାଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ବୋଲି ଗ୍ରାମର ମହିଳାମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।