ରୋଗୀ କଲ୍ୟାଣ ସମିତିର ବୈଠକ
ନୂଆପଡା : ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରୋଗୀ କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମନୋଜ କୁମାର ସାହୁ, ଏଡିଏମ୍ଓ ଡଃ ଗୁରୁପ୍ରସାଦ ଜେନା, ଡଃ ଲଲିତ ମୋହନ ବିଶି, ଡଃ ଉମାକାନ୍ତ ମେହେର, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳୀ ଗୋଆଲ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଚେତନା ଅଧ୍ୟକ୍ଷା ସୋନାଲୀ ପାଣିଗ୍ରାହୀ, ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ । ସମସ୍ତଙ୍କୁ ସ୍ୱାଗତ କରି ଜିଲ୍ଲାପାଳ କହିଲେ ଯେ, ଉପଲବ୍ଧ ସମ୍ବଳର ସଦ୍ବିନିଯୋଗ କରି ଆମକୁ ଜନ ସାଧାରଣଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ପଡିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱସ୍ତରୀୟ ଅପରେସନ ଥିଏଟର ଓ ଆଇସିୟୁ ରହିବ । ଏଥିପାଇଁ ପାଣ୍ଠିର କୌଣସି ଅଭାବ ରହିବ ନାହିଁ । ଡିପିଏମ୍ ସତ୍ୟନାରାୟଣ ତ୍ରିପାଠୀ ଏବଂ ହସ୍ପିଟାଲ ମ୍ୟାନେଜର ସିପ୍ରାମୟୀ ବିଶ୍ୱାଳ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସୂଚନା ଉପସ୍ଥାପିତ କରିଥିଲେ । ଏଠାରେ ଏବେ ୧୨୪ ଜଣ ଡାକ୍ତରଙ୍କ ସ୍ଥାନରେ ୪୧ ଜଣ, ଷ୍ଟାଫ୍ନର୍ସ ୯୨ରୁ ୭୩, ଫାର୍ମାସିଷ୍ଟ ୧୫ ରୁ ୧୧ ଜଣ କାର୍ଯ୍ୟରତ ଅଛନ୍ତି । ସେହିଭଳି ୩୬ ଜଣ ସହାୟକ ୭୫ ଜଣ ସଫେଇ କର୍ମଚାରୀ ୭୦ ଜଣ ଗାର୍ଡ ଏବଂ ୧୮ଜଣ ଲିଫ୍ଟମ୍ୟାନ୍ କାମ କରୁଛନ୍ତି । ଏଠାରେ ଏକ୍ସରେ, ଇସିଜି, ପାଥୋଲୋଜି, ବ୍ଲଡ୍ ବ୍ୟାଙ୍କ ଏବଂ ସିଟି ସ୍କାନ ସେବା ଉପଲବ୍ଧ ଅଛି । ଜୁନ୍ ଶେଷ ଯାଏଁ ଖର୍ଚ୍ଚ ବାଦ୍ ୧୦,୨୪,୩୫୩ ଟଙ୍କା ରୋଗୀ କଲ୍ୟାଣ ସମିତିରେ ରହିଛି । ଡାକ୍ତରଖାନାର ସ୍ୱଚ୍ଛତା ଓ ପରିମଳ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।