ପୋଲ ନିର୍ମାଣ ନହେଲେ ରାସ୍ତାରୋକ ଚେତାବନୀ

 ବଡ଼ସାହି  : ବଡ଼ସାହି ବ୍ଲକ୍ ଅନ୍ତର୍ଗତ ମାନଗୋବିନ୍ଦପୁର ପଞ୍ଚାୟତର ଧାନାପାଳ ନିକଟରେ ପ୍ରଶସ୍ତିକରଣ ହେଉଥିବା ଏମଡିଆର -୭୦ ରାସ୍ତାର ନଣ୍ଡା ପୋଲ ନିକଟରେ ନିକଟସ୍ଥ ୨/୩ ଖଣ୍ଡ ଗ୍ରାମର ଅଧିବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଦ୍ୱିତୀୟ ପୋଲ ନିର୍ମାଣ ନିମନ୍ତେ ବିଭାଗ ପକ୍ଷରୁ ସ୍ଥାନ ନିରୂପଣ କରାଯାଇ କାର୍ଯ୍ୟାରମ୍ଭ ହୋଇଥିଲା । ମାତ୍ର ପୋଲର ତଳଭାଗ ଚାଷୀ ଉକ୍ତ ନିର୍ମାଣକୁ ବିରୋଧ କରି ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ପରେ ଗତ ଜୁନ ମାସ ୨୪ ତାରିଖରେ ଉଚ୍ଚ ନ୍ୟାୟାଳୟରେ ମାମଲା ନାକଚ ହୋଇଯାଇଥିଲା । ପୁନଃ କାର୍ଯ୍ୟ ଆରମ୍ଭ ନେଇ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଆଗାମୀ ବନ୍ୟାରେ ଶହଶହ ଏକର ଚାଷ ଜମି ନଷ୍ଟ ହେବା ସହିତ ବହୁ ବାସଗୃହ ଜଳବନ୍ଦୀ ହୋଇ ଘର ସବୁ ଭାଙ୍ଗିଯିବାର ଆଶଙ୍କା କରିବା ପୂର୍ବକ  ସେଠାରେ ଅସନ୍ତୋଷ ଦେଖାଯାଇଛି । ଖୁବଶୀଘ୍ର ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ନ କଲେ ଧନାପାଳ ମୌଜା ନଣ୍ଡା ପୋଲ ନିକଟରେ ଶାନ୍ତିପୂର୍ଣ୍ଣ ଭାବେ ରାସ୍ତାରୋକ କରାଯିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଲିଖିତ ଚେତାବନୀ ଦେଇଛନ୍ତି ।