ବିପଦସଂକୁଳ ଅବସ୍ଥାରେ ଟାଙ୍ଗଣା ପୋଲ
ନୀଳଗିରି : ଅସୁରକ୍ଷିତ ଅବସ୍ଥାରେ ଟାଙ୍ଗଣା ପୋଲ । କେତେବେଳେ ଯେ କ’ଣ ଅଘଟଣ ଘଟିବ କେହି କହିନପାରେ । ପ୍ରକାଶ ଯେ, ୧୯ନଂ ରାଜ୍ୟ ରାଜପଥ ରାସ୍ତା ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଟାଙ୍ଗଣା ପୋଲ ବର୍ତ୍ତମାନ ଅସୁରକ୍ଷିତ ଅବସ୍ଥାରେ ରହିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ଶେଷ ସୀମାର ଝରଣଘାଟି ଠାରେ ରହିଥିବା ଏହି ଟାଙ୍ଗଣା ପୋଲ ରାଜାରାଜୁଡ଼ା ସମୟରେ ପଥର ପିଲରରେ ନିର୍ମାଣ ହୋଇଥିବାବେଳେ ସମୟକ୍ରମେ ଏହି ପଥରରେ ନିର୍ମିତ ପୋଲର ମଝି ପିଲର ସବୁ ଦୁର୍ବଳ ହେଉଥିବାବେଳେ ଭାରୀ ଯାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହି ପୋଲ ଜରାଜୀର୍ଣ୍ଣ ଅସୁରକ୍ଷିତ ଅବସ୍ଥାରେ ରହିଥିବାବେଳେ ପୋଲର ତଳ ଭାଗ ଓ ମଝି ପିଲର ଅବସ୍ଥା ଭଲନାହିଁ । ଏହି ପୋଲ ଦେଇ ଦୈନିକ ଭୁବନେଶ୍ୱରରୁ ମୟୁରଭଞ୍ଜକୁ ଅନେକ ଦ୍ରୁତଗାମୀ ବସ୍ ଯିବାଆସିବା କରୁଛି । ଭଗବାନଙ୍କ ଭରସାରେ ପଥଚାରୀ ଓ ଯାତ୍ରୀବାହୀ ଓ ଭାରୀ ଯାନ । ସୁରକ୍ଷା କାରଣରୁ ପୂର୍ବରୁ ଭାରୀଯାନ ଚଳାଚଳ ଉପରେ ପୂର୍ତ୍ତ ବିଭାଗର କଟକଣା ଲଗାଇଥିଲେ ସୁଦ୍ଧା ଉଲ୍ଲଂଘନ କରି ନିୟମିତ ଭାରୀଯାନ ଯାତାୟାତ କରୁଛି । ତେଣୁ ଏକ ବଡ଼ ଧରଣର ଅଘଟଣ ଘଟିବା ପୂର୍ବରୁ ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସନ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି । ପୂର୍ବରୁ ପୋଲ ନିର୍ମାଣ ପାଇଁ ଗତ ୨୦୧୬ ଡିସେମ୍ବର ୨୬ ରିଖରେ ପୂର୍ତ୍ତ ବିଭାଗ ପକ୍ଷରୁ ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା । ଠିକାଦାର ଡାଇଭର୍ସନ ରାସ୍ତା କାର୍ଯ୍ୟ ଆରମ୍ଭ କରିଥିବାବେଳେ କୌଣସି କାରଣରୁ କାମ ଛାଡି ପଳାଇଥିଲେ । ୨୦୧୮ରେ ଉକ୍ତ କାର୍ଯ୍ୟର ଟେଣ୍ଡର କେନ୍ସେଲ ହୋଇଥିବାବେଳେ ଉକ୍ତ ଠିକାଦିରଙ୍କୁ ବ୍ଲାକ ଲିଷ୍ଟ କରାଯାଇଥିଲା । ଏ ସମ୍ପର୍କରେ ନୀଳଗିରି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ଜେନାଙ୍କୁ ପଚାରିବାରୁ କହିଥିଲେ ପୁଣି ସାନି ଟେଣ୍ଡର, ଏଗ୍ରିମେଣ୍ଟ ହୋଇସାରିଛି । ପୋଲକୁ ସଂଯୋଗ କରୁଥିବା ପ୍ରାଇଭେଟ ଜମିକୁ ଚିହ୍ନଟ କରି ସାରିଛୁ ଏବଂ ଏହି ଜମି ଅଧିଗ୍ରହଣ ପରେ ଠିକାସଂସ୍ଥା ପୁରାତନ ପୋଲ ନିକଟରେ ନୂତନ ପୋଲ ପାଇଁ ଲେଆଉଟ ଦେବୁ । ତେବେ ଅସୁରକ୍ଷିତ ବିଷୟକୁ ସେ ମାନିବା ସହ ଉକ୍ତ ପୋଲ ଉପରେ ଭାରିଯାନ ଚଳାଚଳ ବନ୍ଦ କରିବା ପାଇଁ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଜଣାଇଛୁ ବୋଲି କହିଥିଲେ । ଏନେଇ ନୀଳଗିରି ଉପ-ଜିଲ୍ଲାପାଳ ଡ. ମଧୁସ୍ମିତା ସାମନ୍ତରାୟଙ୍କୁ ପଚାରିବାରୁ ମୁଁ ବାହାରେ ଅଛି, ଶୀଘ୍ର ଯାଇ ଟାଙ୍ଗଣା ପୋଲ ତଦାରଖ କରିବି ବୋଲି କହିଥିଲେ । ନୂତନପୋଲ ନିର୍ମାଣ ନେଇ ଗତ ୨୦୧୬ ଠାରୁ ଏହି ପ୍ରକାର ବିଭିନ୍ନ ଆଳ ପ୍ରଶାସନ ଦେଖେଇ ଆସୁଥିବା ବେଳେ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ମତାମତ ନେବାରୁ ସେ ଯାତ୍ରୀଙ୍କ ଜୀବନହାନୀକୁ ଏଡ଼ାଇବା ପାଇଁ ଏହି ପୋଲ ଶୀଘ୍ର ନିର୍ମାଣ କରିବାକୁ ନିର୍ମାଣ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଥିବା ସୂଚନା ଦେଇଥିଲେ ।