ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ କର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫ା୬ : ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗ ସମୀକ୍ଷା ବୈଠକ ଶେଷ ହୋଇଥିବା ବେଳେ, ରାଜ୍ୟରେ ପୁଲିସର ସ୍ଥିତି, ଆଇନଶୃଙ୍ଖଳା ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି ବୋଲି ଡ଼ିଜିପି ଅରୁଣ ଷଢ଼ଙ୍ଗୀ କହିଛନ୍ତି । ଏହାସହ ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର ବାବଦରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ସେହିପରି ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ପୁଲିସ ଡିଜି ସୈଜନ୍ୟ ମୂଳକ ସାକ୍ଷାତ କରିବା ବେଳେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହା ସହ ଆସନ୍ତା ଜୁଲାଇରୁ କାର୍ଯ୍ୟକାରୀ ହେବାକୁ ଥିବା ଦେଶର ତିନୋଟି ଗୁରୁତ୍ୱପୂର୍ଣ୍ଣ ଆଇନ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି ବୋଲି ପୁଲିସ ଡିଜି ଶ୍ରୀ ଷଢ଼ଙ୍ଗୀ କହିଛନ୍ତି । ଏତଲା ଦେବାକୁ ଆସୁଥିବା ଯେ କୌଣସି ବ୍ୟକ୍ତି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତୁ । ସଠିକ୍ ଭାବେ ଅପରାଧ ନିୟନ୍ତ୍ରଣ ସହ ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସ ବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି ।
ସୂଚନାଯୋଗ୍ୟଯେ, ଆଜି ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି । ପୁଲିସ ଡିଜି ଅରୁଣ କୁମାର ଷଡଙ୍ଗୀ ଓ ଗୁଇନ୍ଦା ନିଦେ୍ର୍ଦଶକ ସମେତ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା । ବୈଠକରେ ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ଲୋକଙ୍କୁ ଉତ୍ତମ ବ୍ୟବହାର କରିବା ସହ ଯେପରି କେହି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପ୍ରତି ସତର୍କ ରହିବାକୁ ତାଗିଦ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ପୁଲିସ ଲୋକଙ୍କୁ ଭଲ ପାଇଲେ, ପୁଲିସର ବିଶ୍ୱସନୀୟତା ବଢ଼ିବ । ଏଣୁ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ କହିଛନ୍ତି । ଆଗ ଭଳି ଆଉ ପୁଲିସ ବ୍ୟବସ୍ଥା ଚାଲିବ ନାହିଁ ବୋଲି ବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରିଷ୍ଠ ଅଧିକାରୀମାନଙ୍କୁ ରୋକଠୋକ୍ ଶୁଣାଇଛନ୍ତି । ପୁଲିସ ବିରୋଧରେ କୌଣସି ଅଭିଯୋଗ ଆସିଲେ, ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।