ନାଁକୁ ମାତ୍ର ମଦ ଦୋକାନ ବନ୍ଦ - ଚୋରା ମଦରେ ଭାସୁଛି ରାଜଧାନୀ
ଭୁବନେଶ୍ୱର, ୨୪ା୫ : ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଭୁବନେଶ୍ୱର ସମେତ ଲୋକସଭା କ୍ଷେତ୍ରରେ ମତଦାନ ହେବ । ସେଥିପାଇଁ ଗୁରୁବାର ଠାରୁ ଭୁବନେଶ୍ୱରରେ ସମସ୍ତ ମଦ ଦୋକାନ ଓ ବାର ଗୁଡ଼ିକ ବନ୍ଦ କରି ଦିଆଯାଇଛି । ରବିବାର ସକାଳ ୧୦ଟା ବେଳେ ଯାଇ ଦୋକାନ ସବୁ ଖୋଲିବ । ଏହି ନିୟମ ନ ମାନିଲେ ସମ୍ପୃକ୍ତ ଦୋକାନର ଲାଇସେନ୍ସ ବାତିଲ କରାଯିବ ବୋଲି ଅବକାରୀ ବିଭାଗ ବିଜ୍ଞପ୍ତି ଜାରି କରିଛି । ବିଜ୍ୟପ୍ତି ଅନୁସାରେ ଯେଉଁ ଜିଲ୍ଲାରେ ୨୫ ତାରିଖରେ ନିର୍ବାଚନ ସେଠାରେ ଗୁରୁବାର ଅପରାହ୍ନ ଅର୍ଥାତ୍ ୨ ତାରିଖ ୫ଟାରୁ ସମସ୍ତ ଦୋକାନ ବନ୍ଦ କରିଛନ୍ତି । ୨୬ ତାରିଖ ଅର୍ଥାତ ରବିବାର ଦିନ ୧୦ଟା ବେଳେ ସମସ୍ତ ଦୋକାନ ଖୋଲିବ । ତାଛଡ଼ା ଯେଉଁ ଲୋକସଭା କ୍ଷେତ୍ରରେ ମତଦାନ ହେଉଥିବ ତାର ସୀମାନ୍ତ ଲୋକସଭା କ୍ଷେତ୍ରର ୭ରୁ ୧୦ କିମି ଭିତରେ ଥିବା ମଦ ଦୋକାନ ଓ ବାର ଗୁଡ଼ିକ ବନ୍ଦ ରହିବ । ସେଥିପାଇଁ କିଛି ଦୋକାନ ମେ' ୨୩ରୁ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ୬ ଦିନ ବନ୍ଦ କରିବାକୁ ନିଦେ୍ର୍ଦଶ ରହିଛି । ଜୁନ୍ ୧ ତାରିଖରେ ଯେଉଁ ଲୋକସଭା କ୍ଷେତ୍ରରେ ନିର୍ବାଚନ ହେବ ସେଠାରେ ମେ' ୩୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସବୁ ମଦ ଦୋକାନ ବନ୍ଦ ରହିବ । ସେମାନେ ଜୁନ୍ ୨ ତାରିଖ ୧୦ଟା ପରେ ଦୋକାନ ଖୋଲିପାରିବେ । ଭୋଟ ଗଣତି ଦିନ ରାଜ୍ୟର ସମସ୍ତ ଠିପି ବନ୍ଦ ଓ ଖୋଲା ମଦ ଦୋକାନ, ଓଏସପିସି ଜିପୋ, ବଟଲିଂ ୟୁନିଟ୍ ମଧ୍ୟ ବନ୍ଦ ରଖିବାକୁ ଅବକାରୀ ବିଭାଗର ନିଦେ୍ର୍ଦଶ ରହିଛି ।ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ୧ ତାରିଖରେ ଜଗତସିଂହପୁର ଜିଲ୍ଲାରେ ନିର୍ବାଚନ ହେବ ।
ସେଥିପାଇଁ ପାହାଳରେ ଥିବା ପାଲମନ୍ତ୍ରୀ ବାର ବନ୍ଦ ରହିବ । କାରଣ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ନିଆଳି ବିଧାନସଭା ଆସୁଛି । ନିଆଳି ବିଧାନସଭା ସୀମା ଠାରୁ ୭ରୁ ୧୦ କିଲୋମିଟର ଦୂରରେ ପାଲମନ୍ତ୍ରୀ ବାର ଆସୁଛି । ସେଥିପାଇଁ ଉକ୍ତ ବାର ୩୦ ତାରିଖ ଅପରାହ୍ନ ଠାରୁ ଅଢ଼େଇ ଦିନ ବନ୍ଦ ରହିବ । ଏଥିସହ ଫୁଲନଖରାର ଅନନ୍ତପୁର ଠିପି ଖୋଲା ଦୋକାନ, ନହରକଣ୍ଟା ଠିପି ବନ୍ଦ, ବନମାଳିପୁର ସି.ଏଲ, ଖଣ୍ଡଗିରି ୭ ମାଇଲ୍ସ ପ୍ରିମିୟମ୍, ପାହାଳ ବିୟର ପାର୍ଲର, ଟୁଇନ୍ ସିଟି ଠିପି ଖୋଲା ଭଳି ୧୧ଟି ଦୋକାନ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବନ୍ଦ ରହିବ । ଏପଟେ ଖୋର୍ଦ୍ଧାରେ ନିର୍ବାଚନ ଥିବାର ବ୍ରହ୍ମପୁରର କିଛି ଦୋକାନ ବନ୍ଦ ମଧ୍ୟ ରହିବ । ହେଲେ ଏହାର ଫାଇଦା ଉଠାଇଛନ୍ତି ରାଜଧାନୀର ମଦ ଦଲାଲ । ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କାର ମଦ ଚୋରାରେ ଆଣି ରାତି ହେଲେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ୨ ଗୁଣା ଚଢ଼ା ଦରରେ ମିଳୁଛି ଚୋରା ମଦ । ପୁଲିସ ଓ ଅବକାରୀ ଜଳକା ପାଲଟିଛନ୍ତି ।