ଶପଥ ନେଲେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ
ଭୁବନେଶ୍ୱର: ନବନିଯୁକ୍ତ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଏବଂ ୩ ଜଣ ରାଜ୍ୟ ସୂଚନା ଆୟୁକ୍ତ ଶପଥ ଗ୍ରହଣ କରିଛନ୍ତି । ଆଜି ରାଜଭବନର ଅଭିଷେକ ହଲ୍ଠାରେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ମନୋଜ କୁମାର ପରିଡ଼ା, ରାଜ୍ୟ ସୂଚନା ଆୟୁକ୍ତ ଭାବେ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ପବିତ୍ର ମଣ୍ଡଳ ଏବଂ କଳ୍ପନା ପଟ୍ଟନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।
ପ୍ରାରମ୍ଭରେ ରାଜ୍ୟପାଳଙ୍କ ଅନୁମତି ପ୍ରାପ୍ତ ପରେ ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଏବଂ ରାଜ୍ୟ ସୂଚନା ଆୟୁକ୍ତଙ୍କ ନିଯୁକ୍ତି ଆଜ୍ଞାପତ୍ର ପାଠ କରିଥିଲେ । ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଧାନସଭାର ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ ମାନବିକ ଅଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍ ଶତ୍ରୁଘନ ପୂଜାହାରୀ, ରାଜ୍ୟ ସୂଚନା ଆୟୁକ୍ତ ସୁଶାନ୍ତ କୁମାର ମହାନ୍ତି, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ, ସୂଚନା ଓ ଲୋକ ସଂପର୍କ ବିଭାଗର ନିଦେ୍ର୍ଦଶକ ଦେବ ପ୍ରସାଦ ଦାଶ, ସୂଚନା ଓ ଲୋକ ସଂପର୍କ ବିଭାଗର ନିଦେ୍ର୍ଦଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିଦେ୍ର୍ଦଶକ ଗୁର୍ବୀର ସିଂହଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।