ଡ୍ରାଇଭର ଧର୍ମଘଟର ପ୍ରଭାବ : ପେଟ୍ରୋଲ ସଂକଟ ଆଶଙ୍କା

 ଭୁବନେଶ୍ୱର: ଟାଙ୍କିରୁ ସରିଯିବ ପେଟ୍ରୋଲ ଓ ଡିଜେଲ  । ସାରା ରାଜ୍ୟର ପେଟ୍ରୋଲ ପମ୍ପରେ ଏମିତି ଅବସ୍ଥା ଦେଖିବାକୁ ମିଳିବ  । ଡ୍ରାଇଭର ସଂଘର ଧର୍ମଘଟ ଜାରିରହିଲେ ଏଭଳି ସ୍ଥିତି ଉପୁଜିବା ନେଇ ପେଟ୍ରୋଲିୟମ୍ ଡିଲର ମହାସଂଘ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି  । ଏନେଇ ଉକôଳ ପେଟ୍ରୋଲିୟମ ଡିଲର ମହାସଂଘର ସାଧାରଣ ସମ୍ପାଦକ ସଂଜୟ ଲାଠ୍ କହିଛନ୍ତିଯେ, ଡ୍ରାଇଭର ସଂଘର ଆନେ୍ଦାଳନ ଯୋଗୁଁ ତେଲ ଟାଙ୍କି ଗଡୁନି  । ଫଳରେ ଗତ ୪୮ ଘଣ୍ଟା ମଧ୍ୟରେ ପେଟ୍ରୋଲ ପମ୍ପକୁ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି  । ଗୋଟିଏ ବି ଟ୍ୟାଙ୍କର ତେଲ ଆସିପାରୁନଥିବାରୁ କିଛି ଟାଙ୍କିରେ ତୈଳ ସଂକଟ ସୃଷ୍ଟି ହୋଇସାରିଲାଣି  । ଯଦି ଆସନ୍ତାକାଲି ଏହି ସମସ୍ୟା ଲାଗିରହିବ ତେବେ ତେଲ ସଂକଟ ସୃଷ୍ଟିହେବା ନିଶ୍ଚିତ  । ଷ୍ଟକ ସରିଯାଇଥିବାରୁ ସେ ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି  । ପାରାଦୀପ, ବାଲେଶ୍ୱର, ଜଟଣୀ ଓ ଝାରସୁଗୁଡ଼ାରେ ଥିବା ତୈଳ ଡିପୋଗୁଡ଼ିକରୁ ଯୋଗାଣ ବାଧାପ୍ରାପ୍ତ ହେଇଛି  । ତେଲ ଟ୍ୟାଙ୍କରଗୁଡ଼ିକ କିଭଳି ଚାଲିବ ସେନେଇ ସରକାର ପଦକ୍ଷେପ ନେବା ଦରକାର  । ପୁଲିସ୍ ମୁତୟନ କରି ତେଲ ଟ୍ୟାଙ୍କର ଚଳାଚଳର ବ୍ୟବସ୍ଥା କରାଯିବା ଉଚିତ୍ ବୋଲି ସେ କହିଛନ୍ତି  । ଓଡ଼ିଶାରେ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନେ୍ଦାଳନ ଜାରିରହିଛି  । ବେସରକାରୀ ଗାଡ଼ିଗୁଡ଼ିକ ଗଡୁନଥିବାରୁ ସାଧାରଣ ଜନତା ଯାତାୟତରେ ସମସ୍ୟା ଭୋଗୁଛନ୍ତି  । ବସ, ଟ୍ରକ, ଭ୍ୟାନ, ଟାକ୍ସି ଡ୍ରାଇଭରମାନେ ମଧ୍ୟ ଷ୍ଟିୟରିଂ ଛାଡ଼ ଆନେ୍ଦାଳରେ ସାମିଲ୍ ହୋଇଛନ୍ତି  । ପୋଲିସକୁ ଗାଡ଼ି ଚେକିଂ କ୍ଷମତା ନଦେବା, ୬୦ ବର୍ଷ ହେଲେ ଡ୍ରାଇଭରଙ୍କୁ ପେନସନ ପ୍ରଦାନ, ୨୦ ଲକ୍ଷର ବୀମା ପ୍ରଦାନ, ଅଟୋ ଡ୍ରାଇଭରଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଓ ୱାର୍କର ୱେଲଫେୟାର ବୋର୍ଡ଼ରେ ସାମିଲ୍, ଖଣି, କାରଖାନା ଆଦିରେ ସ୍ଥାନୀୟ ଡ୍ରାଇଭରଙ୍କୁ ୭୦% ନିଯୁକ୍ତି ସଂରକ୍ଷଣ ଆଦି ଦାବିରେ ଷ୍ଟିୟରିଂ ଛାଡ଼ ଆନେ୍ଦାଳନ ଜାରିରହିଛି  ।