ଶବ ବ୍ୟବଚ୍ଛେଦ ନେଇ ବିକ୍ଷୋଭ
ନବରଙ୍ଗପୁର : ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାପଡ଼ିଛି । ଶୁକ୍ରବାର ଦିନ ଚକାମାଲ ଗ୍ରାମର ତ୍ରିଲୋଚନ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ପୋଖରୀରେ ବୁଡି ମୃତୁ୍ୟ ହୋଇଛି । ଏ ସମ୍ପର୍କରେ ପରିବାର ପକ୍ଷରୁ ଚନ୍ଦାହାଣ୍ଡି ଥାନରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା । ତେବେ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ଡାକ୍ତର ନଥିବାରୁ ଶବକୁ ଧରି ଚନ୍ଦାହାଣ୍ଡି ସଦର ଠାରୁ ୫୫ କିମି ଦୂର ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ନେବାକୁ କୁହାଯାଇଥିଲା । ଏହାକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ହୋହାଲ୍ଲା କରାଯାଇଥିଲା । ବିଜେଡି ନେତା ପ୍ରଶାନ୍ତ ପାରି, ଗୌରହରି ନାୟକ, ବାସୁଦେବ ଗୌଡ଼, ପୁରୁଷୋତ୍ତମ ବାଘ, ଋଷୁ ବାଘ ,ଭୋଜରାମ ସିହ୍ନା, ବଳରାମ ପଟ୍ଟନାୟକ ପ୍ରମୁଖଙ୍କ ସମେତ ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସି ପ୍ରତିବାଦ କରିଥିଲେ । ପରେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ହସ୍ତକ୍ଷେପ କରି ନବରଙ୍ଗପୁର ସିଡିଏମ ଡାକ୍ତର ସନ୍ତୋଷ ପଣ୍ଡାଙ୍କୁ ଏ ବାବଦରେ ଜଣାଇବା ପରେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଶରତ ଚନ୍ଦ୍ର ସେଠୀ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଶବ ବ୍ୟବଚ୍ଛେଦ କରିଥିଲେ ।