ଶବଦାହ କରିବାକୁ ଆସି ଶବ ପାଲଟିଲେ ଯୁବକ
ପୁରୀ : ସମ୍ପର୍କୀୟଙ୍କ ଶେଷକୃତ୍ୟ କରିବାକୁ ଆସି ନିଜେ ଶବ ହୋଇ ଫେରିଲେ ଯୁବକ । ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା । ଗୁରୁବାର ବିଳମ୍ବିତ ରାତିରେ ପୁରୀ ସ୍ୱର୍ଗଦ୍ୱାର ନିକଟ ଚୈତନ୍ୟ ଛକ ଠାରେ ଘଟିଛି ଏଭଳି ହତ୍ୟାକାଣ୍ଡ । ଛୁରୀରେ ବେକକୁ କାଟି ଯୁବକଙ୍କୁ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମୃତ ଯୁବକ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ଥାନା ଆପଣ୍ଡା ଗ୍ରାମର ରଞ୍ଜନ କୁମାର ଦାସ।
ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଜଣେ ସମ୍ପର୍କୀୟଙ୍କ ଶେଷକୃତ୍ୟ କରିବାକୁ ସ୍ୱର୍ଗଦ୍ୱାର ଆସିଥିଲେ ରଞ୍ଜନ । ସମ୍ପର୍କୀୟଙ୍କ ଶେଷକୃତ୍ୟ ସାରି ସ୍ୱର୍ଗଦ୍ୱାର ବାହାରକୁ ଆସିବା ସମୟରେ କୌଣସି କାରଣକୁ ନେଇ ଜଣେ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ପରେ ଦୁର୍ବୁତ୍ତ ଜଣକ ରଞ୍ଜନଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ରଞ୍ଜନଙ୍କ ମୃତ୍ୟୁ ହୋଇଯାଇଥିଲା । ତାଙ୍କ ସାଙ୍ଗରେ ଥିବା ଆଉ ଜଣେ ଯୁବକଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ହେଉଛନ୍ତି ମାନସ ରଞ୍ଜନ ନାୟକ । ଖବର ପାଇ ସମୁଦ୍ର କୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ସମୁଦ୍ର କୂଳ ଥାନା ପୁଲିସ ।
Samir Kumar Rout