ମହାକାଳ ଗ୍ୟାଙ୍ଗର ଡନ ସମେତ ୯ ଗିରଫ
- ପିସ୍ତଲ, ଗୁଳି, ମ୍ୟାଗେଜିନ, ଗାଡ ଓ ମାରଣାସ୍ତ୍ର ଜବତ
- ୮ମହାକାଳ ଗ୍ରୁପ କରି ଗଠନ କରିଥିଲା ଗ୍ୟାଙ୍ଗ
- ୮ଗ୍ରୁପରେ ଥିଲେ ଓଡିଶା ଓ ଝାଡଖଣ୍ଡର ଯୁବକ
କେନ୍ଦୁଝର : ମହାକାଳ ଗ୍ରୁପ ଗଠନ କରି ଏଥିରେ ସାମିଲ କରିଥିଲା ଝାରଖଣ୍ଡ ଓ ଓଡିଶା ରାଜ୍ୟରୁ ବଛା ବଛା ଅନେକ ଯୁବକ । ଏହାର ଡନ ସାଜିଥିଲା ମୟୂରଭଞ୍ଜ ଜିଲ୍ଲା ଛେଳିଆନାଳ ଅଞ୍ଚଳର ଗଣେଷ ଗିରି । ଏହି ମହାକାଳ ଗ୍ରୁପ ନିଜର ସାମ୍ରାଜ୍ୟ ବଢ଼ାଇବାକୁ ବିଭିନ୍ନ ଖଣି ଓ କଳ କାରଖାନା ମାଲିକଙ୍କୁ ଧମକ ଦେଇ ନେଉଥିଲେ ଦାଦା ବଟି । ଯାହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଥାନାରେ ରୁଜୁ ହୋଇଛି ୩୭ ଟି ମାମଲା । ଯେଉଁଥିରେ ଡକାୟତି , ହତ୍ୟା , ଖଣିଜ ପଦାର୍ଥ ଚୋରାଚାଲାଣ ଓ ଦାଦା ବଟି ଆଦାୟ ଭଳି ସଙ୍ଗିନ ଅଭିଯୋଗ ରହିଛି । ଯାହାକୁ ନେଇ ତାଙ୍କ ପଛରେ ପଡ଼ିଥିଲା କେନ୍ଦୁଝର ପୁଲିସ । ଏସପିଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକାଧିକ ସ୍ପେସାଲ ସ୍କ୍ୱାର୍ଡ । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି କେନ୍ଦୁଝରରେ ଡକାୟତି ପାଇ ନରଣପୁରର ଘଡଘଡି ମନ୍ଦିର ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଯୋଜନା କରୁଥିବା ବେଳେ ୯ ଜଣଙ୍କୁ ମାଡି ବସିଲା ପୁଲିସ । ସେମାନଙ୍କ ଠାରୁ ୫ ଟି ପିସ୍ତଲ ୨୫ ଟି ଜୀବନ୍ତ ଗୁଳି, ୭ ଟି ମ୍ୟାଗେଜିନ ସହ ୫ ଟି ମାରଣାସ୍ତ୍ର ଓ ଏକ ମହିଦ୍ରା ଥର ଗାଡି ଜବତ କରିଛି ପୁଲିସ । ଏମାନଙ୍କ ମଧ୍ୟରୁ ଜଣେ ଝାରଖଣ୍ଡର ହୋଇଥିବା ବେଳେ ଅନ୍ୟମାନେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ।
ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଛେଳିଆନାଳ ଗ୍ରାମର ଗଣେଶ ଓରଫ ବିଶ୍ୱଜିତ ଗିରି ( ୩୨), ଝାରଖଣ୍ଡ ରାଜ୍ୟର ଜଗନ୍ନାଥପୁର ଥାନା ଅନ୍ତର୍ଗତ ଗୋବରଗାଁର ପର୍ଶୁରାମ ପ୍ରଧାନ (୫୫), କେନ୍ଦୁଝର ଜିଲ୍ଲାର ବାରିଆ ଥାନା ଅନ୍ତର୍ଗତ ନନ୍ଦପୁର ଗ୍ରାମର ପ୍ରିୟଦର୍ଶିନ ପ୍ରଧାନ(୨୯), ଯୋଡ଼ା ଥାନା ଅନ୍ତର୍ଗତ ଯହିରା ହଟିଂର ରୋହିତ ନାଏକ(୨୧), କୁନ୍ଦୁରୁନାଳିର ବିନୋଦ ମୁଣ୍ଡା (୩୨), ମାଝୀ ହଟିଂର ମହମ୍ମଦ ଜିସନ(୨୫), ଦିପୁ ହଟିଂର ନିର୍ମଳ ପ୍ରଧାନ (୪୦),ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଗ୍ରାମର ରଞ୍ଜନ ପଲେଇ (୨୬) ଏବଂ ମୟୁରଭଞ୍ଜ ଜିଲ୍ଲାର ରରୁଆଁ ଥାନା ଅନ୍ତର୍ଗତ ଉତ୍ତରପଶିର ଶୁଭାଶିଷ ଗିରି (୨୭) । ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ମହାପାତ୍ର, ସଦର ଉପଖଣ୍ଡ ପୁଲିସ ଅଧିକାରୀ ସୁଦର୍ଶନ ଗଙ୍ଗୋଇ, ଟାଉନ ଥାନା ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।