ଶହେ ବର୍ଷ ନପୂରୁଣୁ ୪ ବିଧାନସଭା

ଭୁବନେଶ୍ୱର : ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଲୋକସେବା ଭବନ ଓ ବିଧାନସଭା ସୌଧର ଶିଳାନ୍ୟାସ କରିଛନ୍ତି । ୩ ଶହ ବିଧାୟକ ବସିବା ଭଳି ବିଧାନସଭା ସୌଧ କରାଯିବ। ତେବେ ଏହି ବିଧାନସୌଧ କାର୍ଯ୍ୟକ୍ଷମ ହେବାପରେ ତାହା ହେବ ରାଜ୍ୟର ଚତୁର୍ଥ ବିଧାନସଭା ଶୌଧ । ୧୯୩୬ରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଅବିଭକ୍ତ କୋରାପୁଟ, ଗଞ୍ଜାମ, ପୁରୀ, କଟକ, ବାଲେଶ୍ୱର ଓ ସମ୍ବଲପୁର ଜିଲ୍ଲାକୁ ନେଇ ଗଠନ କରାଯାଇଥିଲା । ଏହା ପରେ ୧୯୩୭ରେ ଓଡିଶା ବିଧାନସଭା ପାଇଁ ପ୍ରଥମ ନିର୍ବାଚନ ହୋଇଥିଲା । ସେତେବେଳେ ବିଧାନସଭା କଟକର ଐତିହ୍ୟ ସମ୍ପନ୍ନ ରେଭେନ୍ସା କଲେଜରେ ଅନୁଷ୍ଠିତ ହେଉଥିଲା । ସେ ସମୟରେ ଓଡିଶା ବିଧାନସଭାର ସଦସ୍ୟ ସଂଖ୍ୟା ଥିଲା ୬୦ । ୧୯୪୬ରେ ଦ୍ୱିତୀୟଥର ପାଇଁ ବିଧାନସଭା ନିର୍ବାଚନ ପ୍ରାକ୍‌ ସ୍ୱାଧୀନତା କାଳରେ ହୋଇଥିଲା । ସେହି ବିଧାନସଭା ଓ ତାହାର ସଚିବାଳୟ କଟକରେ ହିଁ ଚାଲୁଥିଲା । କଟକରୁ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତରିତ ହେବା ପରେ ବର୍ତ୍ତମାନର ୨ନମ୍ବର ୟୁନିଟ୍‌ରେ ଥିବା ସର୍ଦ୍ଦାର ପଟେଲ ହଲରେ ବିଧାନସଭା ଅଧିବେଶନ ବସୁଥିଲା ।

   ବିଧାନସଭା ସଚିବାଳୟ ମଧ୍ୟ ଏହି ପରିସରରେ ଥିବା କେତେକ ଏକ ମହଲା କୋଠାରେ ହେଉଥିଲା । ପରେ ବିଧାୟକଙ୍କ ସଂଖ୍ୟା ୧୪୦କୁ ଓ ପୁଣିଥରେ ବଢ଼ି ୧୪୭ରେ ପହଞ୍ଚିଲା । ତେଣୁ ବିଧାନସଭାର ନୂତନ ସୌଧ ନିର୍ମିତ ହେଲା । ଏବେ ରାଜ୍ୟ ସରକାର ସୂଚନା ଦେଇଛନ୍ତିଯେ, ଭୁବନେଶ୍ୱରରେ ନୂତନ ସଚିବାଳୟ ଓ ନୂତନ ବିଧାନସଭା ସୌଧ ନିର୍ମିତ ହେବ ।ଏପରିପ୍ରେକ୍ଷୀରେ ବର୍ତ୍ତମାନର ବିଧାନସଭା ଭବନକୁ ନଭାଙ୍ଗି ତାହାକୁ ସ୍ମାରକୀ ଭାବେ ରଖାଯିବ । ଯଦି ବିଧାନ ପରିଷଦ ଗଠନ ହୁଏ ତାହେଲେ ପୁରୁଣା ବିଧାନସଭା ସୌଧରେ ବିଧାନ ପରିଷଦ ଚାଲିବ । ନୂଆ ଯୋଜନା ମୁତାବକ ଭୁବନେଶ୍ୱରର ପ୍ରଥମ ନଅ ମହଲା କୋଠା ଭାବେ ପରିଚିତ ବିଭାଗୀୟ ମୁଖ୍ୟ ଦପ୍ତର ସୌଧ ଓ ରାଜୀବ ଭବନ ସମେତ ଅନ୍ୟ ଯେଉଁସବୁ ସରକାରୀ କୋଠାବାଡିକୁ ଅସୁରକ୍ଷିତ ଘୋଷଣା କରାଯାଇଛି ସେଗୁଡିକୁ ଭାଙ୍ଗି ସେହି ସ୍ଥାନରେ ନୂଆ ସଚିବାଳୟ ନିର୍ମିତ ହେବ । ସଚିବାଳୟ ଓ ନୂଆ ବିଧାନସଭା ଗୋଟିଏ ପରିସର ଭିତରେ ରହିବ । ଏହି ଯୋଜନା ଯଦି ସଫଳ ହୁଏ ତେବେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶହେବର୍ଷ ପୂର୍ବରୁ ଓଡିଶା ବିଧାନସଭା ଓ ରାଜ୍ୟ ସଚିବାଳୟ ଚତୁର୍ଥ ଥର ପାଇଁ ନୂଆ ସୌଧକୁ ସ୍ଥାନାନ୍ତରିତ ହେବ ।