ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ମଧ୍ୟାହ୍ନ ଭୋଜନର ମୂଲ୍ୟରେ ଏକ ଟଙ୍କା ବୃଦ୍ଧି କରାଯିବ

Mohan Charan Majhi

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ମଧ୍ୟାହ୍ନ ଭୋଜନର ମୂଲ୍ୟରେ ଏକ ଟଙ୍କା ବୃଦ୍ଧି କରାଯିବ

ଭୁବନେଶ୍ବର : ଆଜି ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ ନୂତନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା କାର୍ଯ୍ୟକ୍ରମ ଗୁଡିକ ହେଲା:-

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ: ରାଜ୍ୟର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଅଧୀନରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ସମୁଦାୟ ୬,୭୯୪ଟି ବିଦ୍ୟାଳୟ ନିର୍ମାଣ କରାଯିବ। ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା, ସେହିଭଳି ଏହି ବିଦ୍ୟାଳୟ ଗୁଡିକରେ ମଧ୍ୟ ପିଲାମାନଙ୍କ ପାଇଁ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିବ । ଏଥିରେ ବିଶେଷ କରି ପିଲାମାନଙ୍କର ଭାଷା ଜ୍ଞାନ ଓ ମୌଳିକ ଗାଣିତିକ ଜ୍ଞାନ ଉପରେ ଗୁରୁତ୍ୱ ଆରୋପ କରାଯିବ। ଏହା ଦ୍ୱାରା ପିଲାମାନେ ଉଚ୍ଚତର ଶ୍ରେଣୀରେ ସହଜରେ ଶିକ୍ଷା ଗ୍ରହଣ କରି ପାରିବେ। ଉନ୍ନତ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ଓ ସାମଗ୍ରୀକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ପିଲାମାନଙ୍କର ମୌଳିକ ଜ୍ଞାନ ଓ ବୌଦ୍ଧିକ ବିକାଶକୁ ସୁଦୃଢ କରିବା ଦିଗରେ ପଦକ୍ଷେପ ନିଆଯିବ। ଏହି ଯୋଜନାରେ ନୂଆ କ୍ଲାସ ରୁମ୍, ବାଳକ ଓ ବାଳିକାମାନଙ୍କ ପାଇଁ ପୃଥକ ଟଏଲଟର ବ୍ୟବସ୍ଥା, ପ୍ରାଚୀର ନିର୍ମାଣ, ସବୁଜ ପରିବେଶ, ଡିଜିଟାଲ ଲାଇବ୍ରେରୀ ଓ ଲାଙ୍ଗୁଏଜ୍ ଲ୍ୟାବ୍, ଖେଳ ପଡିଆ, ଡାଇନିଙ୍ଗ ହଲ୍, କମ୍ପ୍ୟୁଟର, ସ୍ମାର୍ଟ ବୋର୍ଡ ଆଦିର ବ୍ୟବସ୍ଥା କରାଯିବ। ଏହା ସହିତ କ୍ରୀଡା, ଶାରୀରିକ ବ୍ୟାୟମ ଏବଂ ସାମାଜିକ ଓ ସାଂସ୍କୃତିକ ଶିକ୍ଷା ଉପର ମଧ୍ୟ ଗୁରୁତ୍ୱ ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଯେତେବେଳେ ବିରୋଧୀ ଦଳରେ ଥିଲେ, ସେତେବେଳେ ପ୍ରାଥମିକ ବିଦ୍ୟାଲୟରେ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କୁ  ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେତେବେଳର ସରକାର କିଛି ପଦକ୍ଷେପ ନେଇନଥିଲେ। 

ଐତିହ୍ୟ ବିଦ୍ୟାଳୟ : ରାଜ୍ୟର ପୁରାତନ ବିଦ୍ୟାଳୟର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ଐତିହ୍ୟ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ରାଜ୍ୟର ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ବିଦ୍ୟାଳୟ କିମ୍ବା ଜିଲ୍ଲାର ସର୍ବ ପୁରାତନ ବିଦ୍ୟାଳୟ ଗୁଡିକର ବିକାଶ କରାଯିବ । ଏହାର ଐତିହ୍ୟ ଓ ଐତିହାସିକ ଗୌରବର ପୁନଃପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯିବ। ସମୁଦାୟ 51ଟି ଐତିହ୍ୟ ବିଦ୍ୟାଳୟର ବିକାଶ କରାଯିବ।

ଓଡିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲ ଅନ୍ତେବାସୀଙ୍କ ମାସିକ ଖର୍ଚ୍ଚ ରାଜ୍ୟ ସରକାରଙ୍କ ଦ୍ବାରା ବହନ: ୩୧୪ ଟି ଓଡିଶା ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ୧୭୩ ଟି ଆଦର୍ଶ ବିଦ୍ୟାଳୟରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଯୋଜନା ଅଧୀନରେ ବାଳିକା ହଷ୍ଟେଲ ନିମନ୍ତେ କେନ୍ଦ୍ର ସରକାରଙ୍କ ଠାରୁ ଅନୁମୋଦନ ମିଳିସାରିଛି । ଯେଉଁଥିରେ ସମସ୍ତ ଛାତ୍ରୀଙ୍କ ନିମନ୍ତେ ମାଗଣା ରହିବା ଏବଂ ଖାଇବାର ବ୍ୟବସ୍ଥା ରହିଛି । ବାକି ୧୪୧ ଟି ବାଳିକା ହଷ୍ଟେଲ ଏବଂ ୩୧୪ ଟି ବାଳକ ହଷ୍ଟେଲ କାର୍ଯ୍ୟକ୍ଷମ କରିବା ନିମନ୍ତେ ସରକାରଙ୍କ ତରଫରୁ ସମସ୍ତ ପଦକ୍ଷେପ ନିଆଯାଉଛି। ମୋଟ ୪୫୫ଟି ହଷ୍ଟେଲରେ ଅନ୍ତେବାସୀ ମାନଙ୍କଠାରୁ ମାସିକ 2000 ଟଙ୍କା ଲେଖାଏଁ ଖାଇବା ଖର୍ଚ୍ଚ ଆଦାୟ ନିମନ୍ତେ ପୂର୍ବରୁ ମାର୍ଗଦର୍ଶିକା ଜାରି ହୋଇଥିଲା । କିନ୍ତୁ ଅଭିଭାବକ ମାନଙ୍କର  ଅନୁରୋଧ ରକ୍ଷାକରି ମାସିକ ଖର୍ଚ୍ଚ ସରକାର ବହନ କରିବେ ବୋଲି ନିଷ୍ପତ୍ତି ନିଆଗଲା । ଏଥି ପାଇଁ ଛାତ୍ରଛାତ୍ରୀମାନଙ୍କୁ କୌଣସି ଖର୍ଚ୍ଚ ଦେବାପାଇଁ ପଡ଼ିବନାହିଁ। ଏହା ଅଧୀନରେ ସମସ୍ତ ଅନ୍ତେବାସୀ ସମ୍ପୂର୍ଣ୍ଣ ମାଗଣାରେ ହଷ୍ଟେଲ ସୁବିଧା ପାଇବେ । ସମସ୍ତ ହଷ୍ଟେଲକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ମୂଳଖର୍ଚ୍ଚ 63.70 କୋଟିକୁ ବାଦ୍ ଦେଇ ସରକାର ବାର୍ଷିକ 187.15 କୋଟି ଟଙ୍କା ବହନ କରିବେ  ।