ସରକାର ଓ ସଂଗଠନରେ ମୋହନଙ୍କ ଦବଦବା ଗଢ଼ିବେ ଟିମ୍ : ବାଣ୍ଟିବେ ବିଭାଗ  ମନ୍ତ୍ରୀ ପଦ ଯିବା ଆଶଙ୍କାରେ ନେତା

ଭୁବନେଶ୍ୱର: ୨୦୨୪ ଜୁନ୍ରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ମୋହନ ଚରଣ ମାଝୀ  । ହେଲେ ସେତେବେଳେ ଯେଉଁ ମନ୍ତ୍ରୀମଣ୍ଡଳ ଗଠନ ହୋଇଥିଲା ସେଥିରେ ମୋହନଙ୍କ ବଡ଼ ଭୂମିକା ନଥିଲା  । ଦିଲ୍ଲୀରୁ ପ୍ରସ୍ତୁତ ତାଲିକା ତାଙ୍କ ଉପରେ ଲଦି ଦିଆଯାଇଥିଲା  । ବିଭାଗ ଆବଣ୍ଟନରେ ବି ସେ ଅଳ୍ପ ମୁଣ୍ଡ ଖେଳାଇଥିଲେ  । ଗାଏମୋଟ୍ କହିଲେ ସେ ମନ୍ତ୍ରୀମଣ୍ଡଳର ମୁଖ୍ୟ ଥିଲେବି କେତେକ ମନ୍ତ୍ରୀ ସ୍ୱାଭାବିକ ଭାବେ ତାଙ୍କ ପ୍ରତି ସେଭଳି ଅନୁରକ୍ତି ପ୍ରକାଶ କରିନଥିଲେ  । ଏବେ କିନ୍ତୁ ସ୍ଥିତି ବଦଳିଯାଇଛି  । ମୋହନଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସ୍ଥା ପ୍ରକଟ କରିଛନ୍ତି  । ନିଜ ଟିମ୍ ନିଜେ ଗଢ଼ିବା ସହ ବିଭାଗ ଆବଣ୍ଟନ ପାଇଁ ବି ମୋଦି ତାଙ୍କୁ ପାୱାର ଦେଇଛନ୍ତି  । ଯାହାକୁ ନେଇ ଏବେ ବିଜେପି ଅଳିନ୍ଦରେ ଓ ପାୱାର କରିଡ଼ରରେ ହଲଚଲ ସୃଷ୍ଟି ହୋଇଯାଇଛି  ।
ମୋହନ ଏବେ କାହାକୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ୍ କରିବେ ସେନେଇ ବ୍ଳୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି  । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠାରୁ ନେଇ ଅନ୍ୟ ବରିଷ୍ଠ ନେତାମାନଙ୍କର ସେ ପରାମର୍ଶ ନେଉଛନ୍ତି  । କେଉଁ କେଉଁ ବିଧାୟକଙ୍କର ଦକ୍ଷତା ରହିଛି, କେଉଁ ବିଧାୟକଙ୍କର ତାଙ୍କ ପ୍ରତି ଅନୁରକ୍ତି ରହିବ ଆଦି ବିଶଦ ଭାବେ ସେ ଅନୁଧ୍ୟାନ କରୁଛନ୍ତି  । ସେହିପରି ଏବେ ଯେଉଁସବୁ ମନ୍ତ୍ରୀମାନଙ୍କର ପ୍ରଦର୍ଶନରେ ସେ ସନ୍ତୁଷ୍ଟ ନୁହଁନ୍ତି ସେମାନଙ୍କୁ ବି ବାଦ୍ ଦେବାକୁ ଚିନ୍ତା କରୁଛନ୍ତି  ।
ଏବେ ରାଜନୀତିକ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ତାଲିକା ଧରି ମନମୋହନ ସାମଲ ଦିଲ୍ଲୀ ଯାଇଛନ୍ତି  । କିନ୍ତୁ ବାସ୍ତବରେ ଏହା ଠିକ୍ ନୁହେଁ  । ତାଲିକା ଧରି ମୋହନ ହିଁ ଦିଲ୍ଲୀ ଯିବେ  । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସବୁ ରାଜ୍ୟ ପାଇଁ ଯେଉଁ ନୀତି ଆପଣାଇଛନ୍ତି ସମାନ ନୀତି ଓଡ଼ିଶାରେ ବି କାର୍ଯ୍ୟକାରୀ ହେବ  । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବି ମୁଖ୍ୟମନ୍ତ୍ରୀଙ୍କୁ କ୍ଷମତା ଅର୍ପଣ କରାଯାଇଛି  । କେତେକ ମନ୍ତ୍ରୀଙ୍କର ପ୍ରଦର୍ଶନ ଓ ଆନୁଗତ୍ୟକୁ ନେଇ ମୋହନ କୁଆଡ଼େ ଖୁସିନାହାନ୍ତି  । ତେଣୁ ସେମାନଙ୍କୁ ହଟାଇବେ ନଚେତ୍ ବିଭାଗ ପରିବର୍ତ୍ତନ କରିବାକୁ ସେ ଚିନ୍ତା କରୁଛନ୍ତି  । କାହିଁକିନା ସରକାରଙ୍କର ସବୁ ଉତ୍ତରଦାୟିତ୍ୱ ତାଙ୍କ ମୁଣ୍ଡ ଉପରେ ହିଁ ଯିବ  । ଯଦି କିଛି ଓଲମବିଲମ ହେଲା ବା ସରକାରଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଲା ତେବେ ତାଙ୍କ ଉପରେ ବି ଡେମୋକ୍ଳିସର ଖଣ୍ଡା ଝୁଲିବ  । ତେଣୁ ପ୍ରଶାସନକୁ ପ୍ରଭାବୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏବେ ସବୁକିଛି ଟିକିନିଖି ଭାବେ ଅନୁଧ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି  । ଯାହାକୁ ନେଇ ମନ୍ତ୍ରୀ ପଦ ଯିବ ବୋଲି ଅନେକ ନେତା ଜାଣିସାରିଲେଣି  । ସେପଟେ ମୋହନଙ୍କ ନିକଟତର ଥିବାରୁ କେତେକ ନେତା ମନ୍ତ୍ରୀ ପଦ ପାଇବାକୁ ମନ ବଳେଇ ସାରିଲେଣି  ।  ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରୀମଣ୍ଡଳ ଗଠନରେ ମୋହନଙ୍କୁ କ୍ଷମତା ଦିଆଯାଇଛି  । କୌଣସି ନେତା ତାଙ୍କୁ ସେଥିପାଇଁ ଚାପ ପକାଇପାରିବେ ନାହିଁ  । ତେବେ ନିଗମ ଅଧ୍ୟକ୍ଷ ନିଯୁକ୍ତିରେ ରାଜ୍ୟ ସଭାପତି ମନମୋହନ ସାମଲ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିବେ  । ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରି ମନମୋହନ ତାଲିକା ପ୍ରସ୍ତୁତ କରିଥିଲେବି ଏଯାଏଁ ଚୂଡ଼ାନ୍ତ ହୋଇପାରିନାହିଁ  ।