ଶିକାରୀ ଫାଶରେ ପଡି ଜିଆଦର ମୃତୁ୍ୟ 

ବୁଗୁଡ଼ା: ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଭଗବାନପୁର ଗାଁର ଏକ ପୋଖରୀ ନିକଟରେ ଶିକାରୀଙ୍କ ଦ୍ୱାରା ବିଛା ଯାଇଥିବା ଫାଶରେ ପଡ଼ି ଗୋଟିଏ ଅଣ୍ଡିରା ଜିଆଦର ମୃତୁ୍ୟ ଘଟିଥିବା ଜଣାପଡିଛି । ପ୍ରକାଶ ଯେ, ବୁଧବାର ରାତିରେ ଭଗବାନପୁର ଗାଁର ଏକ ପୋଖରୀ ନିକଟରେ ଦୁର୍ବୃତ୍ତଙ୍କ ଦ୍ୱାରା ବନ୍ୟଜନ୍ତୁ ଶିକାର ଉଦେ୍ଦଶ୍ୟରେ ଫାଶ ପକାଇଥିଲେ । ରାତିରେ ଖାଦ୍ୟ ଅନ୍ୱେଷଣରେ ଜିଆଦଟିଏ ଆସି ସେହି ଫାଶରେ ପଡ଼ିଯାଇଥିଲା । ସେଥିରୁ ମୁକୁଳିବା ପାଇଁ ଜିଆଦଟି ଚେଷ୍ଟା ଯୋଗୁଁ ବେକର ବିଭିନ୍ନ ଭାଗରେ ଗଭୀର ଆଘାତ ଲାଗିଥିଲା ।ସକାଳେ ଜିଆଦଟି ଫାଶରୁ ଖସିଯିବା ପରେ କୁକୁର ପଲର ହାବୁଡ଼ରେ ପଡିଥିଲା । କୁକୁର ପଲର ଆକ୍ରମଣରୁ ବର୍ତ୍ତିବା ପାଇଁ ଜିଆଦଟି ଦୌଡି ଯାଇ ନିକଟସ୍ଥ ପୋଖରୀ ମଧ୍ୟକୁ ପଶିଯାଇଥିଲା । ଏ ଦୃଶ୍ୟ ଜନୈକ ଗ୍ରାମବାସୀଙ୍କ ନଜରକୁ ଆସିବା ପରେ ବନ ବିଭାଗର ଭଗବାନପୁର  ବିଟକୁ ଜଣାଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ଜିଆଦଟିକୁ ଉଦ୍ଧାର କରିଥିଲେ ସୁଦ୍ଧା କିଛି ସମୟ ପରେ ତାହାର ମୃତୁ୍ୟ ଘଟିଥିଲା । ଏ ନେଇ ବନାଞ୍ଚଳ ଅଧିକାରୀଙ୍କୁ ଅବଗତ କରାଯିବା ପରେ ତାଙ୍କର ନିଦେ୍ର୍ଦଶ କ୍ରମେ ମୃତ ମୃଗଟିକୁ ବୁଗୁଡ଼ା ବନ ବିଭାଗ କାର୍ଯ୍ୟାଳୟକୁ ଅଣାଗଲା ଏବଂ ଶବ ବ୍ୟବଚ୍ଛେଦ ପରେ ତାହାକୁ ପୋତା ଯାଇଥିଲା ।