ଶିକ୍ଷକ ଅଭାବରୁ ଧାରଣାରେ ଛାତ୍ରଛାତ୍ରୀ
ଧାମନଗର : ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ଉକ୍ରଳମଣି ନୋଡାଲ ଉଚ୍ଚ ବିଦ୍ୟାପିଠରେ ଶିକ୍ଷକ ଅଭାବକୁ ନେଇ ଗେଟରେ ଚାବି ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ପ୍ରକାଶ ଥାଉକି ଏହି ସ୍କୁଲରେ ଦୀର୍ଘଦିନ ହେବ ଗଣିତ ଓ ହିନ୍ଦୀ ଶିକ୍ଷକ ନାହାନ୍ତି । ୧୦ ବର୍ଷ ହେବ ସ୍ଥାୟୀ ପ୍ରଧାନ ଶିକ୍ଷକ ବି ନାହାନ୍ତି । ଏଣୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲ ଖୋଲିବା ପୂର୍ବରୁ ଗେଟରେ ତାଲା ପକାଇ ଶିକ୍ଷକ ନିଯୁକ୍ତି ନେଇ ପ୍ରତିବାଦ ଓ ଦାବି କରିଥିଲେ । ସୂଚନା ଥାଉକି, ବିଦ୍ୟାଳୟଟି ପୂରାତନ । ୧୯୬୭ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ୬ ରୁ ୧୦ ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ସ୍କୁଲ୍ ଉପରେ ୩ ଟି ପଞ୍ଚାୟତର ଥିବା ଗ୍ରାମ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କିଛି ଗ୍ରାମର ଛାତ୍ର ଛାତ୍ରୀ ପାଠ ପଢିବାକୁ ନିର୍ଭର କରିଥାନ୍ତି । ଏହି ସ୍କୁଲରେ ଚଳିତ ବର୍ଷ ୧୮୦ ଜଣ ପିଲା ପାଠ ପଢୁଛନ୍ତି । ଏଥିଲାଗି ବିଭିନ୍ନ ବିଷୟ ଓ କ୍ରୀଡାକୁ ମିଶାଇ ୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ କରୁଛନ୍ତି । ହେଲେ ଗଣିତ ଓ ହିନ୍ଦୀ ବିଷୟ ପାଇଁ ଶିକ୍ଷକ ନାହାନ୍ତି । ଗଣିତରେ ୨ ବର୍ଷ ପୂର୍ବେ ଶିକ୍ଷକ ଅବସର ଗ୍ରହଣ କରିଥିବା ବେଳେ, ହିନ୍ଧୀ ବିଷୟ ପାଇଁ ୫ ବର୍ଷ ପୂର୍ବେ ଶିକ୍ଷକ ଅବସର ଗ୍ରହଣ କରିସାରିଛନ୍ତି ।
ସେହିପରି ୧୦ ବର୍ଷ ହେବ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି । ସେହିପରି ଏବେ ଜିଏ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଅଛନ୍ତି ତାଙ୍କର ମନ ମୁଖୀକାର୍ଯ୍ୟ ନେଇ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡିଛି । ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ଭଦ୍ରକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ପରେବି କୌଣସି ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ, ଏପରି କି ପ୍ରଧାନଶିକ୍ଷୟିତ୍ରୀଙ୍କ କୌଣସି ଉଦ୍ୟମ ରହିଲା ନାହିଁ । ବାଧ୍ୟହୋଇ ସ୍କୁଲ ଗେଟ୍ରେ ଚାବି ପକାଇ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ୨ ରୁ ୩ ଘଣ୍ଟା ଗେଟ୍ ଆଗରେ ଛିଡା ହୋଇ ରହିଥିଲେ । ଘଟଣା ସମ୍ପର୍କରେ ଭଦ୍ରକ ଡିଇଓ ଖବର ପାଇବା ପରେ ଶିକ୍ଷକ ନିଯୁକ୍ତି ନେଇ ତତ୍ପରତା ଦେଖାଇଥିଲେ । ତତକ୍ଷଣାତ୍ ଜାହାଙ୍ଗୀର ଜନତା ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ସୁରଜ ମହାପାତ୍ରଙ୍କୁ ଡେପୁଟେସନ୍ରେ ପଠାଇଥିଲେ । ସେ ସପ୍ତାହରେ ୪ ଦିନ ବନ୍ଧଟିଆ ଉକ୍ରଳମଣି ନୋଡାଲ ଉଚ୍ଚ ବିଦ୍ୟାପିଠରେ ଶିକ୍ଷାଦାନ କରିବା ନେଇ ଚିଠି କରିଥିଲେ । ଯଥା ଶିଘ୍ର ଅନ୍ୟ ବିଷୟର ଶିକ୍ଷକ ଓ ସ୍ଥାୟୀ ପ୍ରଧାନଶିକ୍ଷକ ନିଯୁକ୍ତି ନେଇ ପ୍ରତିଶ୍ରୁତି ଦେଲା ପରେ ଚାବି ଖୋଲିଥିଲେ । ସେପଟେ ଚିଠି ମିଳିବା ପରେ ସୁରଜ ମହାପାତ୍ର ସ୍କୁଲରେ ଯୋଗଦେଇଛନ୍ତି । ଶିକ୍ଷକ ଅଭାବନେଇ ବାରମ୍ୱାର ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି ବୋଲି ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଉର୍ବଶୀ ସାମନ୍ତ କହିଛନ୍ତି ।