ବନ୍ଧା ହେବା ଭୟରେ ସାମ୍ବାଦିକ ସମ୍ମିଳନୀ: ବିଜେପି


ପୌର ଅଧ୍ୟକ୍ଷ ଏବଂ ପାରିଷଦ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ଆକାଶ ଦାସନାୟକଙ୍କ ବୟାନକୁ ନେଇ ବୟାନ ରଖିବା ପରେ ବିଜେପି କାଉଣ୍ଟର କରିବାକୁ ଆଗେଇ ଆସିଥିଲା । ଅପରାହ୍ନରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଅଧ୍ୟକ୍ଷ ଏବଂ ପାରିଷଦ ପକ୍ଷରୁ ପକ୍ଷରଖାଯାଇ ଯେଭଳି ବିଧାୟକଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଥିଲେ ବିଜେପି ତାହାର ଜବାବ ରଖିବାକୁ ଯାଇ କହିଥିଲା ବି ପାରିଷଦ ବନ୍ଧା ହେବା ଭୟରେ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଇଛନ୍ତି । ବିଜେପି ନଗର ସଭାପତି ଅଚୁ୍ୟତାନନ୍ଦ ଦାସ, କାଉନସିଲର ରଶ୍ମିତା ରାଉତ, ବରିଷ୍ଠ ନେତା ଚନ୍ଦ୍ରଶେଖର ପଣ୍ଡା, ସୈାମେନ୍ଦ୍ର ରାଉତ, ଶିଶିର ରାଉତ୍, ପ୍ରଶାନ୍ତ ବୋଇତାଇ, ନିରଞ୍ଜନ ଘଡ଼ାଇ ପ୍ରମୂଖ କହିଥିଲେ କି ଅଧ୍ୟକ୍ଷ ଏବଂ ପାରିଷଦ ଆଜି ଯେଉଁ ସାମ୍ବାଦିକ ସମ୍ମିଳନୀ କରିଥିଲେ ତା ପଛରେ ବନ୍ଧା ହେବାର ଭୟ ରହିଛି । ଟେଣ୍ଡରକୁ ନେଇ ହୋଇଥିବା ଅଭିଯୋଗ ଉପରେ ଆରମ୍ଭ ହୋଇଥିବା ପ୍ରଶାସନୀକ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରାଯାଇଛି । ଏଭଳି କରି ପାରିଷଦ ଠାକୁର ଘର କିଏ ନାଁ କଦଳୀ ଖାଇନୁ ବୋଲି ଜଣାଇ ଦେଇଛନ୍ତି । ଯାଜପୁର ପ୍ରରୋଚନାରେ ପାରିଷଦ କାର୍ଯ୍ୟ କରୁଛନ୍ତି । ବିଜେପି ପକ୍ଷରୁ କୁହାଯାଇଥିଲା କି ବ୍ୟାସନଗର ବିକାଶରେ ବିଧାୟକ ବାଧକ ନୁହଁନ୍ତି, ଟେଣ୍ଡରରେ ସବୁ ୱାର୍ଡ଼କୁ ପ୍ରଧାନ୍ୟତା ଦିଆଯାଇନି । ସବକା ସାଥ ସବକା ବିକାଶ ହେଉଛି ବିଧାୟକ ମନ୍ତ୍ର ବୋଲି ବିଜେପି ପକ୍ଷରୁ କୁହାଯାଇଥିବା ବେଳେ ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ବିଧାୟକ ମୁଣ୍ଡରେ ଦୋଷ ଲଦୁଛନ୍ତି । ପୈାର ବିକାଶ ସଂପୂର୍ଣ୍ଣ ଅବହେଳିତ ହୋଇପଡ଼ିଛି । ବିଧାୟକ ବ୍ୟାସନଗର ବିକାଶ ପାଇଁ ସବୁ ବେଳେ ତତ୍ପର । ତାଙ୍କ ଦ୍ୱାର ସବୁବେଳେ ଖୋଲା ରହିଛି । ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା କି ପାରିଷଦ ଫଲ୍ସ ବିଲ କରୁଛନ୍ତି । ଆଗାମି ପୈାର ନିର୍ବାଚନରେ ବ୍ୟାସନଗର ବିଜେଡ଼ି ଆଉ ଖାତା ଖୋଲିପାରିବନି । ଆଗାମି ଦିନରେ ବ୍ୟାସନଗର ଦେଖିବ ବିକାଶର ପର୍ବ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା ।