ଶୀତଋତୁରେ ସ୍ୱାସ୍ଥ୍ୟରକ୍ଷା

ଡ.ପ୍ରଫୁଲ୍ଲ କୁମାର ଦାସ : ଶୀତ ଆସିଲେ ଥଣ୍ଡା ଓ ସର୍ଦ୍ଦି ଆସିଯାଏ । ଶୀତର କୋପରୁ ରକ୍ଷା ପାଇବାକୁ କେତେକ ପ୍ରାଣୀ ମାଟିତଳେ ପୋତି ହୋଇ ରହିଥାନ୍ତି, କିନ୍ତୁ ମଣିଷକୁ ଶୀତର ପ୍ରକୋପ ଓ ତଜ୍ଜନିତ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସହିତ ଲଢେ଼ଇ କରିବାକୁ ପଡ଼ିଥାଏ । ଶୀତ କାରଣରୁ ବେଶୀ ସମୟ ଘର ଭିତରେ ରହିବା ଫଳରେ ସ୍ୱାସ୍ଥ୍ୟଗତ ସମସ୍ୟାଗୁଡ଼ିକ ଧୀରେ ଧୀରେ ବଢ଼ିବାରେ ଲାଗେ । ବିଶେଷକରି ସଂକ୍ରମଣ ହେବାର ବେଶୀ ଆଶଙ୍କା ରହିଥାଏ । ସାଧାରଣତଃ ସର୍ଦ୍ଦି, ଥଣ୍ଡାର ପ୍ରାୟ ୨୦୦ ପ୍ରକାରର ଭୂତାଣୁ ସକ୍ରିୟ ହୋଇଯାନ୍ତି ଶୀତଦିନେ । ନାକ ଭିତରେ ଥିବା ସୂକ୍ଷ୍ମ ପରଦା ଶୁଷ୍କ ରହିବାରୁ ସହଜରେ ଭୂତାଣୁ ଦ୍ୱାରା ସଂକ୍ରମଣ ବ୍ୟାପିଥାଏ । ଥଣ୍ଡା ହେଲେ ପୁରା ଉପଶମ ପାଇଁ କୌଣସି ଔଷଧ ନାହିଁ, କିନ୍ତୁ ଏହାର ଲକ୍ଷଣ ଯଥା କାଶ, ଗଳାଫୁଲା, ନାକ ରୁନ୍ଧି ହୋଇଯିବା, ଛିଙ୍କ ଓ ଜ୍ୱରର ଚିକିତ୍ସା କରାଯାଇପାରେ । ଏଣୁ ଏଭଳି ସଂକ୍ରମଣରୁ କିଭଳି ରକ୍ଷା ପାଇବା ସେଥିପ୍ରତି ସତର୍କ ରହିବା ଜରୁରି ।
    କାଶ ଓ ଛିଙ୍କ ଆସିଲେ ମୁହଁରେ ହାତ ରଖିବା ଉଚିତ । ଏହାଦ୍ୱାରା ପାଖରେ ଥିବା ଅନ୍ୟ କେହି ଥଣ୍ଡା ଦ୍ୱାରା ସଂକ୍ରମିତ ହେବେନାହିଁ । ପ୍ରତିଦିନ ସାବୁନରେ ହାତ ସଫା କରିବା ଦରକାର । ଥଣ୍ଡା ହେଲେ ଡିସ୍‌ପୋଜାଲ ମାସ୍କ କିମ୍ବା ଡିସ୍‌ପୋଜାଲ ପେପର ବ୍ୟବହାର କରିବା ଦରକାର । ସର୍ଦ୍ଦି ଓ ଥଣ୍ଡା, କାଶରୁ ରକ୍ଷା ପାଇବାକୁ ହେଲେ ଘରକୁ ସଫା ରଖିବା ସହ ଏକ ସୁସ୍ଥ ବାତାବରଣର ଆବଶ୍ୟକତା ରହିଛି । ଯେଉଁମାନଙ୍କର ଫୁସ୍‌ଫୁସ୍‌ ଜନିତ ସମସ୍ୟା ରହିଛି ସେମାନେ ଏ କ୍ଷେତ୍ରରେ ବେଶୀ ଯତ୍ନବାନ ହେବା ଜରୁରି । ମୁଖ୍ୟତଃ ଶିଶୁମାନଙ୍କ ଠାରେ ଥିବା ଶ୍ୱାସକ୍ରିୟାଜନିତ ସମସ୍ୟା ଟାଳିବାକୁ କେତୋଟି ଦିଗ ପ୍ରତି ନଜର ରଖିବାକୁ ପଡ଼ିବ । ସ୍କୁଲ, ଘରେ କିମ୍ବା ଗହଳି ଜାଗାରେ ସର୍ଦ୍ଦିରେ ପୀଡ଼ିତଙ୍କ ସଂସ୍ପର୍ଶରେ ନଆସିବା ଭଲ । ପିଲାମାନଙ୍କର ଯେଭଳି ପୌଷ୍ଟିକ ତତ୍ତ୍ୱର ଅଭାବ ନରହେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ଶରୀରକୁ ଶୀତରୁ ରକ୍ଷା କରିବାକୁ ଶୀତପୋଷାକ ପିନ୍ଧାନ୍ତୁ । ତେବେ ଅତି ବେଶୀ ଶୀତ ପୋଷାକ ବ୍ୟବହାର କରିବା ଉଚିତ ନୁହେଁ । କାରଣ ଏହା ମଧ୍ୟ ସମସ୍ୟା ସୃଷ୍ଟି କରିବ । କେବେ ବି କନ୍‌ଭେନ୍‌ସନ ହିଟର ବ୍ୟବହାର କରିବେ ନାହିଁ । ଏହା ଘର ଭିତରର ବାୟୁକୁ ଶୁଷ୍କ କରିଦିଏ ।  ଶୀତଦିନେ ତ୍ୱଚା ଶୁଷ୍କ ରହେ ଓ ଫାଟେ । ଏଣୁ ତ୍ୱଚାରେ ମଏଶ୍ଚରାଇଜର ଲଗାଇବା ଆବଶ୍ୟକ । ମହିଳା ଓ ଶିଶୁମାନଙ୍କ ଠାରେ ଚିଲ୍‌ବ୍ଲେନସ୍‌ ଦେଖାଯାଏ । ପାଦରେ କିମ୍ବା ଅଙ୍ଗୁଳିରେ ଲାଲ୍‌ଦାଗ ହୋଇ ଫୁଲିଯାଇ ଫୋଟକା ଭଳି ହୋଇଯାଏ । ବେଳେବେଳେ ଏହା ନାକ କାନରେ ମଧ୍ୟ ଦେଖାଦିଏ । ଏହା ଯେଉଁଠି ହୋଇଥାଏ ସେହି ଜାଗା ଭୀଷଣ କୁଣ୍ଡାଇ ହୋଇ ଯନ୍ତ୍ରଣା ବି ହୁଏ । ଏହା ଦୁଇରୁ ତିନି ସପ୍ତାହଯାଏ ରହେ । ଚିଲ୍‌ବ୍ଲେନ୍‌ସ ଥଣ୍ଡା ପ୍ରଭାବରୁ ତ୍ୱଚାକୁ ରକ୍ତପ୍ରବାହ ବାଧାପ୍ରାପ୍ତ ହୋଇ ସୃଷ୍ଟି ହୋଇଥାଏ । ଯେତେବେଳେ ତାପମାତ୍ରା କମ୍‌ ରହେ ସେତେବେଳେ ଭୀଷଣ ଥଣ୍ଡା ଯୋଗୁଁ ତ୍ୱଚା ତଳେ ଥିବା ବ୍ଲଡ଼ ଭେସଲସ୍‌ ସଂକୁଚିତ ହୋଇ ଏଭଳି ସମସ୍ୟା ସୃଷ୍ଟି ହୁଏ । ଏଣୁ ତ୍ୱଚା ଯଦି ତାପମାତ୍ରା ସଂସ୍ପର୍ଶରେ ଆସେ ତେବେ ତାହା ପୁଣି ହଠାତ୍‌ ଚଉଡା ହୋଇଯାଏ । ଏହି କ୍ରିୟା ଖୁବ୍‌ ଶୀଘ୍ର ଘଟିଥାଏ ଓ ସେତେବେଳେ ରକ୍ତ ପାଖାପାଖି ଟିସ୍ୟୁକୁ ଲିକ୍‌ କରିଯାଏ ଯାହାଫଳରେ ବିଲ୍‌ବ୍ଲେନସ ହୋଇଥାଏ । ଶୀତଦିନେ ଶରୀରର ଆଭ୍ୟନ୍ତରୀଣ ତାପମାତ୍ରା ନିୟନ୍ତ୍ରଣ ରଖିବାକୁ ପେରିଫେରିଆଲ ଅଂଶକୁ ରକ୍ତ ପ୍ରବାହ କମ୍‌ ହୋଇଥାଏ । ଏହାଯୋଗୁ ଗଣ୍ଠି ଜାଗାଗୁଡ଼ିକ ବେଶୀ ନମନୀୟ ଓ ସଞ୍ଚାଳନ ଯୋଗ୍ୟ ହୋଇପାରେ ନାହିଁ ଏବଂ ବାୟୁମଣ୍ଡଳର ଚାପରେ ପରିବର୍ତ୍ତନ ହେତୁ ଗଣ୍ଠି ଫୁଲିଯାଏ ଓ ଯନ୍ତ୍ରଣା ହୋଇଥାଏ । ଶୀତରେ ସୂର୍ଯ୍ୟକିରଣ ଶରୀର କମ୍‌ ପାଉଥିବାରୁ ଭିଟାମିନ୍‌-ଡି ଅଭାବରେ ହାଡ଼ ଦୁର୍ବଳ ହୋଇ ଏହି ସମସ୍ୟାକୁ ଆହୁରି ଜଟିଳ କରିଦିଏ । ଏଣୁ ସୂର୍ଯ୍ୟାଲୋକ ପ୍ରତିଦିନ ଦରକାର ।   
    ଶୀତରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ସୁଷମ ଖାଦ୍ୟ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ପ୍ରତିରୋଧକ ଶକ୍ତି ଠିକ୍‌ ରହିଲେ ତାହା ଯେ କୌଣସି ସଂକ୍ରମଣକୁ ପ୍ରତିହତ କରିପାରିବ । ଏଣୁ ପ୍ରତିଦିନ ତୁଳସୀ ପତ୍ର ସେବନ କରିବା ଆବଶ୍ୟକ । ଏହାସହ ଖାଦ୍ୟରେ ଗୋଲମରିଚ ଓ ହଳଦୀ ବି ଖାଇବା ଦରକାର । ରସୁଣ ଓ ଚା'ର ବି ରୋଗ  ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର କ୍ଷମତା ରହିଛି । ପ୍ରତିଦିନ ଶୀତଦିନର ଖାଦ୍ୟରେ ଏହି ଖାଦ୍ୟଗୁଡ଼ିକୁ ସାମିଲ କରନ୍ତୁ, ଅନେକଗୁଡ଼ିଏ ସମସ୍ୟା ଦୂର ହୋଇଯିବ । ବର୍ଷା ଓ ଖରାଦିନ ଭଳି ଶୀତଦିନରେ ପେଟ ଗୋଳମାଳ ହେବା ବେଶୀ ଲକ୍ଷ୍ୟ କରାଯାଏନି । କିନ୍ତୁ ବିଭିନ୍ନ ପର୍ବ ଓ ଭୋଜିର ଆସର ଜମିଥାଏ ଯେଉଁଥିରେ ବେଶୀ ତେଲିଆ ଖାଦ୍ୟ ଖାଇବା ଦେଖାଯାଏ । ଦିନ ଛୋଟ ରହେ ଓ କମ୍‌ ସୂର୍ଯ୍ୟକିରଣ ମିଳେ । ଅନ୍ୟପକ୍ଷରେ ଶାରୀରିକ ପରିଶ୍ରମ ବି କମ୍‌ ହୁଏ । ଯାହାଦ୍ୱାରା ଆମେ ଯେତିକି କ୍ୟାଲୋରୀ ନେଉ ତାହା ସେହି ଅନୁପାତରେ କ୍ଷୟ ହୁଏନାହିଁ । ଏଣୁ ଅଳସୁଆ ଲାଗେ ଓ ଓଜନ ବି ବୃଦ୍ଧି ହୋଇଥାଏ । ଆଲକୋହଲ ନେବା ବଢ଼ିଯାଏ ଶୀତଦିନରେ ଯାହା ସମସ୍ୟା ଆଣେ । ଶୀତରେ ଚା, କଫି ସାଙ୍ଗକୁ ଧୂମପାନ ଅଭ୍ୟାସ ବି ବଢ଼ିଯାଏ । ଏଭଳି ସ୍ଥିତିରେ ଛାତିପୋଡ଼ା, ବଦହଜମି ଓ କୋଷ୍ଠବଦ୍ଧତା ଦେଖାଦିଏ । ଏଣୁ ଗରିଷ୍ଠ ଖାଦ୍ୟଠୁ ଯେତେ ଦୂରେଇ ରହିବେ ସେତେ ଉପକାର ।
      ଶୀତ ପୋଷାକ ଓ ହାତରେ ଗ୍ଲୋଭ୍‌ସ ପିନ୍ଧନ୍ତୁ । ଯେଉଁଠି ଗଣ୍ଠି ବେଶୀ ଫୁଲିଥିବ ସେଠି ଉଲ୍‌ର ଆଉ ଏକ କଭର ରଖନ୍ତୁ । ଘର ଭିତରେ ବ୍ୟାୟାମ କରନ୍ତୁ । ଏହାଦ୍ୱାରା ଶରୀର ସକ୍ରିୟ ରହିବ ଓ ବିନ୍ଧା କମ୍‌ ହେବ । ନଖ ଉଷୁମ ପାଣିରେ ଗାଧୋଇବା ହିତକର । ୱାର୍ମବାଥ ପରେ ହଠାତ୍‌ ବାହାରକୁ ଯିବା ଉଚିତ ନୁହେଁ । ଖରାରେ କିଛି ସମୟ ରୁହନ୍ତୁ ଯାହା ଭିଟାମିନ୍‌ ଡି ଯୋଗାଇଦେବ । ଯଦି ଏହା ସମ୍ଭବ ହୋଇପାରୁନାହିଁ ତେବେ ଭିଟାମିନ ଡି ସପ୍ଲିମେଣ୍ଟ ଖାଆନ୍ତୁ । ଯଦିଓ ଏହାର କୌଣସି ହର୍ବାଲ ସପ୍ଲିମେଣ୍ଟ ନାହିଁ ତଥାପି ଯନ୍ତ୍ରଣା କମାଇବାକୁ ଗ୍ଲୁକୋସମାଇନ ଏବଂ କୋଣ୍ଡ୍ରାଇଟିନ୍‌ ସପ୍ଲିମେଣ୍ଟ ସେବନ କରିବା କିଛି କ୍ଷତିକାରକ ନୁହେଁ । ପାଗ ଯେତେବେଳେ ପୁରା ଥଣ୍ଡା ଥାଏ ସେତେବେଳେ କେବେ ବି ବାହାରକୁ ବାହାରନ୍ତୁ ନାହିଁ । ଥଣ୍ଡା ଜାଗାରେ ଖାଲି ପାଦରେ ବି ଚାଲନ୍ତୁ ନାହିଁ । ଯଦି ବାହାରକୁ ଯିବା ନିହାତି ଦରକାର ତେବେ ଜୋତା ପିନ୍ଧନ୍ତୁ ଓ ଶୀତରୁ ଶରୀରକୁ ରକ୍ଷା କରିପାରୁଥିବା ଭଲ ପୋଷାକ ବ୍ୟବହାର କରନ୍ତୁ । ଓମେଗା-୩ଫ୍ୟାଟି ଏସିଡ଼୍‌ ଫୁଲା କମାଇବାରେ ସହାୟକ ହୋଇଥାଏ । ଦିନକୁ ୨ରୁ ୩ଗ୍ରାମ ଆବଶ୍ୟକ । ଏହା ନେବା ଆଗରୁ ଚିକିତ୍ସକଙ୍କ ପରାମର୍ଶ ଲୋଡ଼ନ୍ତୁ । କାରଣ ଏହା ବ୍ଲିଡିଂ ଭଳି ସମସ୍ୟା ସୃଷ୍ଟି କରିଥାଏ । ଲାଇଫ୍‌ଷ୍ଟାଇଲ ପରିବର୍ତ୍ତନ ଯଦି ନକରିପାରୁଛନ୍ତି ତେବେ ନନ୍‌ ଷ୍ଟିରଏଡ଼୍‌ ଆଣ୍ଟିଇନ୍‌ଫ୍ଲାମାଟୋରୀ ଡ୍ରଗ୍ସ ସେବନ କରିପାରିବେ । ଶୀତରେ ମସାଜ ମାଂସପେଶୀକୁ ସକ୍ରିୟ ରଖିବା ସହ ଗଣ୍ଠି ଯନ୍ତ୍ରଣା ହ୍ରାସ କରିଥାଏ । ଆକ୍ୟୁପଙ୍କଚର ମଧ୍ୟ ଅନେକ ଲାଭ ପହଞ୍ଚାଇଥାଏ । ନଖ ଉଷୁମ ପାଣିରେ ଗାଧାନ୍ତୁ । ଏହାପରେ ଶରୀରରେ ତେଲ ମାଲିସ୍‌ କରନ୍ତୁ । ପୁରା ଶୁଷ୍କ ସ୍କିନ ଲୋସନ କିମ୍ବା ମଇଶ୍ଚରାଇଜର ବ୍ୟବହାର କରିବା ଉଚିତ । ମୁହଁରେ ଫେସ୍‌ ଲୋସନ ଲଗାନ୍ତୁ । ଉଷୁମ ପାଣିରେ କେବେ ବି ମୁହଁ ଧୁଅନ୍ତୁ ନାହିଁ । ହାତ ଓ ପାଦର ସୁରକ୍ଷା ପାଇଁ ଚିଲ୍‌ବ୍ଲେନ୍‌ସରୁ ମୁକ୍ତ ହେବାକୁ ପଡ଼ିବ । ଏଥିପାଇଁ ଏକ ଲିଟର ଉଷୁମ ପାଣିରେ ଏକ ଚାମଚ ଲୁଣ ମିଶାଇ ହାତ ଓ ପାଦ ୫-୧୦ ମିନିଟ୍‌ ଯାଏ ବୁଡ଼ାଇ ରଖନ୍ତୁ । ଏହାପରେ ଟାୱଲରେ ଭଲ କରି ପୋଛି ସେଥିରେ ମଏଶ୍ଚରାଇଜର କ୍ରିମ ଲଗାନ୍ତୁ । ମୁଣ୍ଡରେ ରୁପି ହେଉଥିଲେ କିମ୍ବା ଶୁଷ୍କ ତ୍ୱଚା ଛାଡ଼ୁଥିଲେ ନଡ଼ିଆ, ଅଲିଭ ନଚେତ ଆଲମଣ୍ଡ ତେଲ ମୁଣ୍ଡର ତ୍ୱଚାରେ ଭଲ ଭାବେ ମାଲିସ୍‌ କରିବା ପରେ ଉଷୁମ ପାଣିରେ ସଫା କରନ୍ତୁ । ଓଠକୁ ଶୁଷ୍କ ନରଖିବା ପାଇଁ ମେଟାଲିକ୍‌ ଲିପ୍‌ଷ୍ଟିକ୍‌ ବ୍ୟବହାର ଛାଡ଼ନ୍ତୁ । ଲିପ୍‌ ଗ୍ଲାସ ବ୍ୟବହାର କରିବା ମଧ୍ୟ ଭଲ । ଏହାଦ୍ୱାରା ଓଠ ସୁନ୍ଦର ଓ ସତେଜ ଦିଶେ । ଶୀତକୁ ନେଇ ସେପରି ଭୟଭୀତ ହୁଅନ୍ତୁ ନାହିଁ । ବାସ୍ତବରେ ଶୀତ ଏକ ଆନନ୍ଦପୂର୍ଣ୍ଣ ଋତୁ କହିଲେ ଅତ୍ୟୁକ୍ତି ହେବନାହିଁ । 
କନସ୍‌ଲଟାଣ୍ଟ ରେଡ଼ିଓଲୋଜିଷ୍ଟ, ଏମ୍‌ଆରଆଇ କେନ୍ଦ୍ର
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ 
E-mail : drprafulldas007@gmail.com