ଶୀତରେ ଓଡ଼ିଶା ଥୁରୁଥୁରୁ
ଭୁବନେଶ୍ୱର : ବାଘ ଭଳିଆ ଶୀତ । ସାରା ଓଡ଼ିଶା ଥୁରୁଥୁରୁ ହେଉଛି । ଶୀତ ଲହରୀ ଅନୁଭୂତ ହେଉଥିବାବେଳେ ଆଉ ଦୁଇ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି । ସେପଟେ ପୁଣି ଜାଡରେ କଲବଲ ହେଉଛି ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି । ତାପମାତ୍ରା ୩ ଡିଗ୍ରୀକୁ ଖସିଆସିଛି । ଆସନ୍ତାକାଲି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୋନପୁର, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ବାଲେଶ୍ୱର ଓ ଝାରସୁଗୁଡ଼ା ଜିଲ୍ଲାର କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବ । ସେହିପରି ଜାନୁଆରୀ ୯ରେ ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅପରପକ୍ଷରେ ୧୭ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ରାଉରକେଲାର ତାପମାତ୍ରା ୫.୧, ଫୁଲବାଣୀର ୫ ଡିଗ୍ରୀ ଥିବା ରେକଡର଼୍ କରାଯାଇଛି । ବାଲେଶ୍ୱରରେ ତାପମାତ୍ରା ୯.୮, ଅନୁଗୁଳରେ ୮, ବାରିପଦାରେ ୮.୬, ଝାରସୁଗୁଡ଼ାରେ ୫.୪, କେନ୍ଦୁଝରଗଡ଼ରେ ୭.୬, ସମ୍ବଲପୁରରେ ୯.୯, ସୁନ୍ଦରଗଡ଼ରେ ୭.୮, ଭବାନୀପାଟଣାରେ ୭.୮, ବଲାଙ୍ଗୀରରେ ୮.୫, କୋରାପୁଟରେ ୮.୫, ସୋନପୁରରେ ୯.୬, ଦାରିଙ୍ଗବାଡ଼ିରେ ୭, ଢେଙ୍କାନାଳରେ ୮.୬, ନବରଙ୍ଗପୁରରେ ୯.୫ ଡିଗ୍ରୀ ରହିଛି ।
ଘୁ. ଉଦୟଗିରିର ଗତକାଲି ପାରଦ ୬.୮ ବେଳେ ଆଜି ହଠାତ ୩ ଡିଗ୍ରିକୁ ଖସିଥିବା ରେକର୍ଡ କରାଯାଇଛି । ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହୋଇଥିବା ବେଳେ ପୁଣି ଜାନୁଆରୀ ଆରମ୍ଭରେ ଶୀତ ତା’ର ପ୍ରକୋପ ଦେଖାଇବା ଆରମ୍ଭ କରିଛି । ଆଗାମୀ ଦିନରେ ତାପମାତ୍ରା ଆହୁରି ତଳ ମୁହାଁ ହେବା ଆଶଙ୍କା କରିଛି ପାଣିପାଗ ବିଭାଗ । ସଞ୍ଜ ନଇଁଲେ ତାପମାତ୍ରା ଖସିବା ସହ ଶୀତର ପ୍ରକୋପ ବଢିବାରେ ଲାଗିଛି । ରାତିରେ ପ୍ରବଳ ଜାଡ଼ ହେଉଥିବାରୁ ଘର ଭିତରେ ବି ରହିହେଉନି ।
Samir Kumar Rout