ସାରା ଓଡ଼ିଶା ଛୁଇଁଲା ମୌସୁମୀ
ଭୁବନେଶ୍ୱର : ସାରା ଓଡ଼ିଶା ଛୁଇଁଛି ମୌସୁମୀ । ଗତ ମେ’ ୨୬ରୁ ମୌସୁମୀ ଜୁନ୍ ୧୫ ଯାଏଁ ଗୋଟିଏ ସ୍ଥାନରେ ଅଟକି ଯାଇଥିଲା । ଗତକାଲି ଠାରୁ ମୌସୁମୀ ଆଗକୁ ବଢ଼ି ଓଡ଼ିଶାର କିଛି ଅଂଶକୁ ବଢ଼ିଥିଲା । ଆଜି ସାରା ଓଡ଼ିଶାକୁ ମୌସୁମୀ ଛୁଇଁଛି ବୋଲି ଆଇଏମଡ଼ି ମାନଚିତ୍ରରୁ ସ୍ପଷ୍ଟ ହୋଇଛି । ସମ୍ପ୍ରତି ମୌସୁମୀ ଓଡ଼ିଶାରେ ସକ୍ରିୟ ରହିଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭଲ ବର୍ଷା ହୋଇଛି ।
ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ଦେବଗଡ଼, ଯାଜପୁର, ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼, ବାଲେଶ୍ୱର ଓ ଝାରସୁଗୁଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି । ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବବୋଲି ଜାଣିବାକୁ ମିଳିଛି । ଅପରପକ୍ଷରେ ଝାରସୁଗୁଡ଼ା, ଦେବଗଡ଼, ଢେଙ୍କାନାଳ, ଅନୁଗୁଳ, ବରଗଡ଼, ସୋନପୁର ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ମଧ୍ୟ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଳପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଓ ବରଗଡ଼, ସୋନପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି । ୨୦ ତାରିଖ ଯାଏଁ ଭଲ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।