ଜମିହରାଙ୍କ ପାଇଁ ମିଳିତ ଅଭିଯୋଗ ଶୁଣାଣି

 ତାଳଚେର : ମହାନଦୀ କୋଲଫିଲ୍ଡସ୍ ଲିମିଟେଡର ସ୍ୱତନ୍ତ୍ର ଭୂ-ଅର୍ଜନ କାର୍ଯ୍ୟାଳୟ ପକ୍ଷରୁ ଜମିହରା ପ୍ରଜାଙ୍କ ପାଇଁ ତାଳଚେର ଉପଜିଲ୍ଲାପାଳଙ୍କ ସଭାଗୃହ ଠାରେ ତୃତୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶୁଣାଣି ଶିବିରକୁ ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ଶିବିରରେ ମହାନଦୀ କୋଲଫିଲଡ୍ସ ଲିମିଟେଡର ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ପ୍ରତାପହରି ପ୍ରଧାନ, ସମସ୍ତ କ୍ଷେତ୍ରର ଭୂମି ଅଧିଗ୍ରହଣ ଅଧିକାରୀ, ପୁନଃସ୍ଥାପନ ଏବଂ ପୁନଃ ଥଇଥାନ ଅଭିଯୋଗ ସମାଧାନ କାର୍ଯ୍ୟାଳୟର ଅଧିକାରୀ ପ୍ରେମାନନ୍ଦ ପ୍ରଧାନଙ୍କ ସହ ବିଭିନ୍ନ ଗ୍ରାମର ଜମିହରା ପ୍ରଜାମାନେ ସେମାନଙ୍କ ଅଭିଯୋଗ ଦାଖଲ କରିଥିଲେ । ଶିବିରରେ ସମୁଦାୟ ୧୩ଟି ଅଭିଯୋଗ ଗ୍ରହଣ ହୋଇଥିବାବେଳେ ସେଥିମଧ୍ୟରୁ ୯ଟି ଅଭିଯୋଗର ତୁରନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।