ଶୁଣିଲେନି ସରକାର, ଅଣ୍ଟା ଭିଡ଼ିଲେ ଲୋକେ
ବିଭିନ୍ନ ସମୟରେ ଲୋକମାନଙ୍କର ଅଭାବ ଅସୁବିଧାକୁ ଦୂର କରିବା ପାଇଁ ବିଭିନ୍ନ ବିଭାଗର କର୍ମଚାରୀମାନେ ଏବଂ ଅଧିକାରୀମାନେ କ୍ଷେତ୍ର ଉପରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ଉପରିସ୍ଥ ଅଧିକାରୀମାନେ ମଧ୍ୟ ନିଯୁକ୍ତ ହୋଇଛନ୍ତି । ସରକାରୀ ବ୍ୟବସ୍ଥାକୁ ବାଦ୍ ଦେଲେ ଲୋକ ପ୍ରତିନିଧି ବ୍ୟବସ୍ଥା ମଧ୍ୟ ରହିଛି । ପଞ୍ଚାୟତରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଲୋକ ପ୍ରତିନିଧି ଲୋକମାନଙ୍କର ଅସୁବିଧା ଦୂର କରିବା ଦିଗରେ ବେଶ୍ ଯତ୍ନବାନ୍ ଅଛନ୍ତି । ହେଲେ ଏତେ ସବୁ ବ୍ୟବସ୍ଥା ଥାଇ ମଧ୍ୟ କେବେ କେମିତି ଲୋକମାନେ ବାରମ୍ବାର ଆପତ୍ତି ଅଭିଯୋଗ କରୁଥିବାର କୌଣସି କୌଣସି ପ୍ରସଙ୍ଗ ସରକାରୀ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ଅଣଦେଖା ହୋଇଯାଏ କିମ୍ବା ଲୋକ ପ୍ରତିନିଧିମାନଙ୍କ ଦ୍ୱାରା ମଧ୍ୟ ଅଣଦେଖା ହୋଇଯାଏ । ସେହିଭଳି ଏକ ଘଟଣା କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ଅଞ୍ଚଳରେ ଦେଖା ଦେଇଛି । ବୈତାରୀଗୁଡ଼ା ବ୍ଲକ୍ର ବାଲିଗାଁ ପଞ୍ଚାୟତରେ ନାଉଲିଗୁଡ଼ା ଗାଁରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିବା ପାଇଁ ଲୋକଙ୍କୁ ଏକ ନଦୀ ପାରି ହେବାକୁ ପଡ଼େ । ଏହି ନଦୀରେ ପୋଲ ନଥିବାରୁ ବର୍ଷାଦିନର ନଦୀରେ ପାଣି ହେଲେ ଲୋକମାନେ ଏକ ପ୍ରକାରର ବିଚ୍ଛିନ୍ନ ହୋଇ ରହିଯାଉଛନ୍ତି । ଲୋକମାନଙ୍କର ଦୁର୍ଦ୍ଦଶା ନାହିଁ ନଥିବା ବଢ଼ିଯାଉଛି । ତିନି ଖଣ୍ଡ ଗାଁର ଶହ ଶହ ଲୋକ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡୁଛନ୍ତି ଏବଂ ସ୍କୁଲ୍ଗୁଡ଼ିକ ମଧ୍ୟ ପିଲାମାନେ ଆସୁନଥିବାରୁ ବନ୍ଦ ହୋଇଯାଉଛି । ଏହି ସମସ୍ୟାକୁ ନେଇ ତିନିଖଣ୍ଡ ଗାଁର ଲୋକମାନେ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଅନେକ ବର୍ଷ ହେଲା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଛନ୍ତି ସ୍ଥାନୀୟ ବିଧାୟକ ଏବଂ ସାଂସଦଙ୍କୁ ମଧ୍ୟ ଲୋକେ ଏକଥା ବାରମ୍ବାର କହିଛନ୍ତି । ମାତ୍ର ସରକାରୀ ସ୍ତରରେ କିମ୍ବା ଜନ ପ୍ରତିନିଧି ସ୍ତରରେ କେହି ହେଲେ ଲୋକଙ୍କର ଦୁଃଖ ବୁଝିବା ପାଇଁ ସମୟ କରି ପୋଲ ନିର୍ମାଣ କରିବା କଥା ବୁଝିଲେ ନାହିଁ । ତେଣୁ ଅସୁବିଧାରେ ପଡିଥିବା ତିନିଖଣ୍ଡ ଗାଁର ଲୋକେ ମିଶି ଚାନ୍ଦା ଆଦାୟ କରି ଏବଂ ଶ୍ରମଦାନ କରି ବାଉଁଶର ଏକ ପୋଲ ନିର୍ମାଣ କରିଛନ୍ତି । ବର୍ଷା ଦିନରେ ଏହି ପୋଲ ଉପରେ ଯାତାୟତ କରିବା ବିପଜ୍ଜନକ ହୋଇଥିଲେ ମଧ୍ୟ ଲୋକମାନେ ଏଥିରେ ଯିବା ଆସିବା କରୁଛନ୍ତି । କାରଣ ସେମାନଙ୍କ ନିକଟରେ ଆଉ ଅନ୍ୟ କୌଣସି ଉପାୟ ନଥିଲା । ବର୍ତ୍ତମାନ ପ୍ରଶାସନ ବୁଝିବା ଦରକାର ଯେ ଏବଂ ଜନ ପ୍ରତିନିଧି ମଧ୍ୟ ବୁଝିବା କଥା ଯେ ଲୋକମାନେ ସବୁବେଳେ ଏକ ସରକାରୀ ସାହାଯ୍ୟ କିମ୍ବା ସରକାରୀ ବ୍ୟବସ୍ଥାକୁ ଅପେକ୍ଷା କରନ୍ତି ନାହିଁ । ଯେମିତି ସରକାର ଅସମର୍ଥ, ଜନ ପ୍ରତିନିଧିମାନେ ମଧ୍ୟ ଅସମର୍ଥ, ସେଭଳି ପରିସ୍ଥିତିରେ ଜନସାଧାରଣ ନିଜ ଅର୍ଥରେ ନିଜ ସୁବିଧା କରିବା ଏହି ଉଭୟ ବ୍ୟବସ୍ଥା ପ୍ରତି ଅତ୍ୟନ୍ତ ଅପମାନଜକ ଘଟଣା ।
କେତେବର୍ଷ ତଳେ କନ୍ଧମାଳ ଜିଲ୍ଲାର ଏକ ଗାଁରେ ଏକ ନଦୀରେ ପୋଲ ନିର୍ମାଣ ପାଇଁ ଦାବି କରି ଗ୍ରାମବାସୀମାନେ ବିଫଳ ହେବା ପରେ ନଦୀର ଦୁଇ ମୁଣ୍ଡରେ ଦୁଇଟି ତାର ବାନ୍ଧି ଲୋକମାନେ ବିପଦସଙ୍କୁଳ ଅବସ୍ଥାରେ ସେହି ତାର ମାଧ୍ୟମରେ ପାରି ହେଉଥିଲେ । ପ୍ରଶାସନିକ ବିଫଳତାର ଚିତ୍ର ପଦାରେ ପଡ଼ିଯିବାରୁ ତା'ରି ଉପରେ ଯିବା ଆସିବା ଲୋକଙ୍କ ପାଇଁ ବିପଜ୍ଜନକ ବୋଲି ଦର୍ଶାଇ ପ୍ରଶାସନ ତାର ଦୁଇଟିକୁ ଖୋଲି ନେଇଥିଲା । ଏହା ଫଳରେ ଶହ ଶହ ଲୋକ ଅସୁବିଧାର ସମ୍ମୁଖୀନ ହେଲେ । ହେଲେ ପ୍ରଶାସନ ପୋଲ ନିର୍ମାଣ କରିପାରିଲେ ନାହିଁ । ପରବର୍ତ୍ତୀ ସମୟରେ ପୋଲ ନିର୍ମାଣ କରାଯିବାର ପ୍ରତିଶ୍ରୁତି ଦିଆଗଲେ ମଧ୍ୟ ଲୋକମାନଙ୍କର ତକ୍ରାଳୀକ ଅସୁବିଧା ଦୂର ହୁଏ ନାହିଁ । ଆଉ କେତେକ କ୍ଷେତ୍ରରେ ରାସ୍ତା ନିର୍ମାଣ କିମ୍ବା ପୋଲ ନିର୍ମାଣ ଭଳି କାର୍ଯ୍ୟରେ କିଛି ବଦାନ୍ୟ ବ୍ୟକ୍ତି ନିଜ ସଞ୍ଚିତ ଅର୍ଥକୁ ଲୋକମାନଙ୍କର ସୁବିଧା ପାଇଁ ଦାନ କରିଥିବା ମଧ୍ୟ ଦେଖିବାକୁ ମିଳେ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବ୍ଡ଼ିଭିଜନ୍ରେ ଏକ ଗାଁରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଗାଁର ରାସ୍ତା ନିର୍ମାଣ ପାଇଁ ତାଙ୍କ ସଞ୍ଚିତ ଅର୍ଥ ଦାନ କରି ଦେଇଥିଲେ । ଏସବୁ ଘଟଣାଗୁଡ଼ିକ ସରକାର ତଥା ଜନ ପ୍ରତିନିଧିମାନଙ୍କ ପାଇଁ ଅତ୍ୟନ୍ତ ନିନ୍ଦନୀୟ କଥା ।