ଶୌଚାଳୟ ଭଙ୍ଗାରୁଜା ଅଭିଯୋଗ
ବୁଗୁଡ଼ା : ବୁଗୁଡ଼ା ବ୍ଲକର ବାଲିପଦର ଗ୍ରାମ ପଞ୍ଚାୟତ ଦ୍ୱାରା ବାଲିପଦର-ବେଲଗୁଣ୍ଠା ରାସ୍ତାର ତିନି ଛକିଆଠାରେ ନବ ନିର୍ମିତ ଶୌଚାଳୟରେ ଭଙ୍ଗାରୁଜା ସହ କେତେକ ସାମଗ୍ରୀ ଚୋରିକୁ ନେଇ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନଙ୍କ ପକ୍ଷରୁ ବାଲିପଦର ଫାଣ୍ଡିରେ ଅଭିଯୋଗ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ମାର୍ଚ୍ଚ ୨୯ ଓ ୩୦ ତାରିଖ ଉଭୟ ରାତିରେ ଦୁର୍ବୃତ୍ତଙ୍କ ଦ୍ୱାରା ସର୍ବସାଧାରଣଙ୍କ ନିମନ୍ତେ ନିର୍ମିତ ଶୌଚାଳୟର କାନ୍ଥ ଓ କବାଟ, ପାଣିପମ୍ପ ଓ ପାଣିଟାଙ୍କିକୁ ସଂଯୋଗ କରୁଥିବା ପାଇପ୍ ,ବିଦ୍ୟୁତ୍ ସଂଯୋଗୀକରଣ ବ୍ୟବସ୍ଥା, ପାଇଖାନା ଓ ପରିସ୍ରା ଷ୍ଟାଣ୍ଡକୁ ଭଙ୍ଗାରୁଜା କରିବା ସହ ସେଠାରେ ବ୍ୟବହୃତ ସାମଗ୍ରୀମାନ ଚୋରି ହୋଇଥିବାର ଦେଖିବାକୁ ମିଳିଥିଲା । ଏ ନେଇ ୩୧ ତାରିଖ ଦିନ ସରପଞ୍ଚଙ୍କ ଅଭିଯୋଗ କ୍ରମେ ବାଲିପଦର ଫାଣ୍ଡି ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।