ଶ୍ରମିକ ଛଟେଇ ପ୍ରତିବାଦରେ ଧାରଣା
ପାରାଦୀପ: ପାରାଦୀପ ବନ୍ଦର ୫ନମ୍ବର ଗେଟ ନିକଟସ୍ଥ ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗ ଟର୍ମୀନାଲ (ପିଆଇସିଟି)ର ୨୦୦ରୁ ଅଧିକ ଶ୍ରମିକ ବେଆଇନ ଛଟେଇ ସମେତ ୫ ଦଫା ଦାବି ନେଇ ପିଆଇସିଟି କମ୍ପାନୀ ଫାଟକ ଆଗରେ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟ ବନ୍ଦ ଧାରଣା ଦେଇଛନନ୍ତି । ପାରାଦୀପ ଶ୍ରମିକ କର୍ମଚାରୀ ୟୁନିଅନ୍ର ଅଭିଯୋଗ ଅନୁଯାୟୀ ପିଆଇସିଟି କମ୍ପାନୀ ଶ୍ରମ ଆଇନ ଉଲଂଘନ କରି ୩୨ ଜଣ ଶ୍ରମିକଙ୍କୁ କାର୍ଯ୍ୟରୁ ବେଆଇନ ଭାବେ ଛଟେଇ କରିଛି । ଏହାର ପ୍ରତିବାଦରେ ଗତ ଜୁଲାଇ ୯ ତାରିଖରେ ୟୁନିଅନ୍ ପକ୍ଷରୁ ପିଆଇସିଟି କର୍ତ୍ତୃପକ୍ଷଙ୍କୁ ଧର୍ମଘଟ ନୋଟିସ ଦିଆଯାଇଥିଲା । କେନ୍ଦ୍ର ଶ୍ରମ ବିଭାଗ ଅଧିକାରୀଙ୍କ ମଧ୍ୟସ୍ଥତାରେ ବାରମ୍ବାର ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲେ । ହେଲେ ପିଆଇସିଟି କତ୍ତୃପକ୍ଷଙ୍କ ଅସହଯୋଗ ନୀତି ଯୋଗୁଁ କୌଣସି ସୁଫଳ ମିଳି ପାରି ନ ଥିଲା । ସୂଚନା ଥାଉ କି, ଅତୀତରେ କମ୍ପାନୀ ପକ୍ଷରୁ ବିଭିନ୍ନ ମିଥ୍ୟା ଅଭିଯୋଗରେ ଅନେକ ନିରୀହ ଶ୍ରମିକ ଓ ନେତାଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରାଯାଇ ସେମାନଙ୍କୁ ଜେଲ ଯିବାକୁ ପଡିଥିଲା ବୋଲି ୟୁନିଅନ ପକ୍ଷରୁ ଅଭିଯୋଗ କରାଯାଇଛି । ଶେଷରେ ୟୁନିଅନ ପକ୍ଷରୁ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି, ବନ୍ଦରରେ କାର୍ଯରତ ଅନ୍ୟ ଶ୍ରମିକଙ୍କ ପରି ସମାନ କାମକୁ ସମାନ ମଜୁରୀ ପ୍ରଦାନ, ପାରାଦୀପ ବନ୍ଦର ସହ କମ୍ପାନୀର ଚୁକ୍ତି ରଦ୍ଧ କରିବା ଆଦି ୫ ଦଫା ଦାବି ପୂରଣ ନ ହେଲେ ଶାନ୍ତିପୂର୍ଣ୍ଣ ଧାରଣା ଚାଲୁ ରହିବ ବୋଲି ୟୁନିଅନ କାର୍ଯ୍ୟକାରୀ ସଭାପତି ସୁଧାକର ମନ୍ତ୍ରୀ ପ୍ରକାଶ କରିଛନ୍ତି ।