ସହରରୁ ଜବର ଦଖଲ ହଟାଇବାକୁ ନିଷ୍ପତ୍ତି
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ସହରରେ ଜବର ଦଖଲ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ଶାରଦୀୟ ଦୂର୍ଗାପୂଜା ଉତ୍ସବ ଆସୁଥିବାରୁ ଜବରଦଖଲ ସମସ୍ୟା ଦେଖାଦେଇଛି । ପୂଜା ଉତ୍ସବରେ ଲକ୍ଷାଧିକ ଲୋକଙ୍କ ଭିଡ ଜମିବାର ସମ୍ଭାବନା ଥିବାରୁ ଟ୍ରାଫିକ ସମସ୍ୟା ଯୋଗୁଁ ଦୁର୍ଘଟଣା ଘଟିବା ସହିତ ଆଇନଶୃଙ୍ଖଳା ବ୍ୟାହତ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ନିଦେ୍ର୍ଦଶରେ ପଟ୍ଟାମୁଣ୍ଡାଇ ସହରରୁ ଜବରଦଖଲ ହଟାଇବା ପାଇଁ ପଟ୍ଟାମୁଣ୍ଡାଇ ପୌର ପରିଷଦ ସମ୍ମିଳନୀ କକ୍ଷରେ ଏକ ଉଚ୍ଚÿସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଜବର ଦଖଲ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ବୈଠକରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଅରୁଣ ନାୟକ, ତହସିଲଦାର ଦିଲ୍ଲୀପ ନାୟକ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର, ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଲେଙ୍କା, ବଣିକ ସଂଘ ସଭାପତି ଗୋପୀନାଥ କର, ଉପସଭାପତି ମୋହନ ଦାସ, ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା, ଉଠାଦୋକାନୀ ସଂଘ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ, କାଉନସିଲର ମୃତୁ୍ୟଞ୍ଜୟ ପାଢ଼ୀ ଓ ବିଦ୍ୟାଧର ସେଠୀଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀ ଯୋଗଦେଇଥିଲେ । ବୈଠକରେ ରାସ୍ତା ଅବରୋଧ କରି ଦୋକାନ କରିଥିବା ଉଠାଦୋକାନୀଙ୍କୁ ଉଛେଦକରିବା, ଖାଲି ଥିବା ଭେଣ୍ଡିଂ ଜୋନ ଗୃହ ଆବଣ୍ଟନ, ପୌର ପରିଷଦ ବିନା ଅନୁମତିରେ ଭେଣ୍ଡିଂ ଜୋନ ଗୃହରେ ଥିବା ଦୋକାନ ଚିହ୍ନଟ, ଅସ୍ଥାୟୀ ପରିବା ଦୋକାନକୁ ଆରଏମସି ମାର୍କେଟ କମ୍ପ୍ଲେକ୍ସ ପିଣ୍ଡିକୁ ସ୍ଥାନାନ୍ତର, ଟ୍ରାପିକ ସମସ୍ୟା ସୃଷ୍ଟି କରୁଥିବା ଗାଇଗୋରୁ ହଟାଇବା, ତାତନା ଠାରେ ଗୋଶାଳା ନିର୍ମାଣ ସର୍ବୋପରି ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ୦ଆସନ୍ତା ୩ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି ।