ଶ୍ରମିକ ମୃତୁ୍ୟ ଘଟଣା ପରେ... ମାହେଶ୍ୱରୀ ମାଇନିଂ ନିର୍ମାଣ କାର୍ଯ୍ୟ ବନ୍ଦ
କାଳିଆପାଣି: ଚଳିତ ମାସ ପ୍ରଥମ ସପ୍ତାହରେ କାଳିଆପାଣି ପଞ୍ଚୟତ ଅନ୍ତର୍ଗତ ପ୍ରଜାପିତା ବ୍ରହ୍ମକୁମାରୀ, ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ କାଳିଆପାଣି ଶାଖା ନିକଟରେ ଇମ୍ଫା କମ୍ପାନୀ ଅଧିନସ୍ଥ ଏମ୍ଏମ୍ପିଏଲ ଠିକା ସଂସ୍ଥାର ନିର୍ମାଣଧୀନ କୋଠାଘର ପ୍ରିକାଷ୍ଟ ସ୍ଲାବ ଖସି ପଡିବାରୁ ଜଣେ ଶ୍ରମିକ ମୃତୁ୍ୟ ଘଟିଥିଲା । ମୃତକ ଝାଡ଼ଖଣ୍ଡ ରାଜ୍ୟର ଗୋଡ୍ଡା ଜିଲ୍ଲା ପରିଆହାଲ ଥାନା ବିରନିଆ ଗାଁର ପ୍ରଭୁ ଦୟାଲ ତତ୍ୱାଙ୍କ ପୁଅ ଅଙ୍ଗଦ ଥିଲେ । ବିଶେଷ ସୂତ୍ରରୁ ଜଣାପଡିଛି ଯେ, ମୃତ ଅଙ୍ଗଦଙ୍କ ପରିବାରକୁ ଏପର୍ଯ୍ୟନ୍ତ ଏମଏମପିଏଲ ପକ୍ଷରୁ ଅନୁକମ୍ପା ଜନିତ ଆର୍ଥôକ ସହାୟତା ଦିଆଯାଇ ନାହିଁ । ମାହେଶ୍ୱରୀ କମ୍ପାନୀର ଜଣ କର୍ମଚାରୀଙ୍କ କହିବା ଅନୁଯାୟୀ ମୃତକଙ୍କ ପରିବାରକୁ ଦଶାହ କ୍ରିୟାକର୍ମ ସମ୍ପନ୍ନ ନିମନ୍ତେ ମାତ୍ର ୧ଲକ୍ଷ ୨୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବାବେଳେ କ୍ଷତି ପୂରଣ ବାବଦକୁ ଆଉ ୧୫ଲକ୍ଷ ଟଙ୍କା ଦିଆଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଇତି ମଧ୍ୟରେ ୨ସପ୍ତାହ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ମୃତକଙ୍କ ପରିବାରକୁ ତାହା ମିଳିପାରିନାହିଁ । ଅନ୍ୟପଟେ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା କୋଠାଘର କାର୍ଯ୍ୟ ବନ୍ଦ ରହିଥିବାର ଦେଖିବାକୁ ମିଳିଛି । ଅତି ନିମ୍ନମାନ ଏବଂ ଅସୁରକ୍ଷିତ ଅବସ୍ଥାରେ ନିର୍ମାଣ ଚାଲିଥିବା ଘର ଗୁଡିକ ଅତି ସମ୍ବେଦନଶୀଳ ଅବସ୍ଥାରେ ରହିଥିବାର ଦେଖିବାକୁ ମିଳିଛି । ଏହାକୁ ଭୟର ଆଶଙ୍କା କରି ଶ୍ରମିକମାନେ ନିର୍ମାଣ କାର୍ଯ୍ୟ ଛାଡି ଚାଲିଯାଇଥିବାର ଶୁଣିବାକୁ ମିଳିଛି । ତେଣେ ନିର୍ମାଣଧୀନ ଘର ଗୁଡିକର ଉପର ମୁଣ୍ଡରେ ମାହେଶ୍ୱରୀ କମ୍ପାନୀ ପକ୍ଷରୁ ବଡ଼ବଡ଼ ଖାଲ ଖୋଳି ଥିବାର ଦେଖିବାକୁ ମିଳିଛି । ଯାହାକି ଅତି ଅସୁରକ୍ଷିତ ଅବସ୍ଥାରେ ଖୋଲା ପଡିଆରେ ରହିଛି । ଏହା କାଳିଆପାଣି ଗାଁ ମଝିରେ ରହିଥିବାରୁ ଗୃହପାଳିତ ପଶୁ ଖାଲରେ ପଡି ମୃତାହତ ହେବାର ଆଶଙ୍କା ପ୍ରକାଶ ପାଇଛି । ମାହେଶ୍ୱରୀ କମ୍ପାନୀ ପକ୍ଷରୁ ଏପରି ବେପରୁଆ ଏବଂ ଅସୁରକ୍ଷିତ ନିର୍ମାଣ କାର୍ଯ୍ୟକୁ ସ୍ଥାୟୀୟ ଲୋକେ ନାପସନ୍ଦ କରିଛନ୍ତି । କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟରତ କମ୍ପାନୀ ଗୁଡିକ ଶ୍ରମିକମାନଙ୍କୁ କିପରି ଅଣଦେଖା ଏବଂ ଶୋଷଣ କରୁଛନ୍ତି ତାହା ଏଠାରେ ସ୍ପଷ୍ଟ ବାରି ହେଇ ପଡ଼ୁଛି ।