ଶ୍ରମିକ ୟୁନିଅନ କାର୍ଯ୍ୟାଳୟ ଭଙ୍ଗାରୁଜା
କାଳିଆପାଣି : ଓଡିଶା ଖଣି ନିଗମ କାଳିଆପାଣି ପରିସର ମଧ୍ୟରେ ଥିବା ଶ୍ରମିକ ସଂଗଠନର କାର୍ଯ୍ୟାଳୟକୁ ଆଜି କିଛି ଅଜଣା ବ୍ୟକ୍ତି ଭଙ୍ଗାରୁଜା କରିଥିବାର ଜଣାପଡିଛି । ଅଭିଯୋଗ ମୁତାବକ କାଳିଆପାଣି ଟାଉନସିପ ଠାରେ ଥିବା ଶ୍ରମିକ ସଂଗଠନ ଏସଆରସିକେଏମସର ଶାଖା କାର୍ଯ୍ୟାଳୟର ଝରକା କବାଟ ସହିତ ଘର ଭିତରେ ଥିବା ଆସବା ପତ୍ରକୁ ଭାଙ୍ଗିରୁଜି ଦେଇଥିବାର ଦେଖିବାକୁ ମିଳିଛି । ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଂଘର ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ ଏନେଇ କାଳିଆପାଣି ଥାନାରେ ଏତଲା ଦେଇଛନ୍ତି । ଶ୍ରୀ ମହାନ୍ତଙ୍କ ଏତଲାରେ ଦର୍ଶାଇଛନ୍ତି କିକାଳିଆପାଣି କେପି ନଗରର ଶିବ ପାତ୍ର, ହନୁମାନ ବଜାରର ସାକଲା ହାଁସଦା, କେଟିଏଲ କ୍ୟାମ୍ପର ଅଶୋକ ପ୍ରଧାନ, କାଳିଆପାଣି ପୋଡା ହଟିଙ୍ଗର ଲଷ୍ମୀଧର ମୁଣ୍ଡାଙ୍କ ସମେତ ଅନ୍ୟ ୬/୭ ଜଣ ଅଜଣା ବ୍ୟକ୍ତି ଏଥିରେ ସାମିଲ ଅଛନନ୍ତି । ଶ୍ରୀ ମହାନ୍ତ ନିଜ ଜୀବନ ପ୍ରତି ବିପଦର ଆଶଙ୍କା ପ୍ରକଟ କରି ପୁଲିସ ସୁରକ୍ଷା ଲୋଡ଼ିଥିବା ବେଳେ ଦୋଷୀଙ୍କୁ ଖୋଜି ବାହାର କରି ଦଣ୍ଡ ବିଧାନ କରିବାକୁ ନିବେଦନ କରିଛନ୍ତି ।