ଏ’କ୍ଲାସ ଠିକାଦାରଙ୍କ ‘ଏ’କ୍ଲାସ କାର୍ଯ୍ୟ.... ୮ ମାସରେ ଉଠି ଗଲା ପିଚୁ, ଚୁପ୍ ବସିଛି ପୂର୍ତ୍ତ ବିଭାଗ
ଯାଜପୁର: ‘ଏ’କ୍ଲାସ ଠିକାଦାର । କିନ୍ତୁ କାର୍ଯ୍ୟ ଅତି ନିମ୍ନମାନର । ପୂର୍ତ ବିଭାଗ ‘ଏ’ କ୍ଲାସ ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟକୁ ଆଖିବୁଝି ଦେଇ ସମର୍ଥନ ଦେଇ ଚାଲିଛି । ଫଳରେ କୋଟି କୋଟି ଟଙ୍କାର କାର୍ଯ୍ୟ ମାସ କେଇଟା ପରେ ଭାଙ୍ଗି ତୁୁଟିଯାଉଛି । ପୂର୍ତ୍ତ ବିଭାଗ ପାଣିକୋଇଲିର ଗେହ୍ଲାପୁଅ ସାଜିଥିବା ଠିକାଦାରଙ୍କ ସ୍ୱାର୍ଥ ଜଗୁଥିବାରୁ ସାଧରଣ ଜନତାଙ୍କୁ କେବଳ ଯାହା ହନ୍ତସନ୍ତ ହେବାକୁ ପଡ଼ୁଛି । ଆମେ କହୁଛୁ ପାଣିକୋଇଲି ପୂର୍ତ୍ତ ବିଭାଗର ଠିକାଦାର ପ୍ରୀତିର କଥା । ଏହି ବିଭାଗ ଅଧିନ ଏବଂ ଉପଖଣ୍ଡ ଉପ ନିର୍ବାହୀଯନ୍ତ୍ରୀ ବିଞ୍ଝାରପୁର ଅନ୍ତର୍ଗତବିଞ୍ଝାରପୁର-ସିଂହପୁର ରାସ୍ତା ପ୍ରସ୍ତସ୍ତିକରଣ କାର୍ଯ୍ୟ କରାଯାଇଛି । ହେଲେ ୮ମାସରେ ସଂପୃକ୍ତ ରାସ୍ତାରୁ ପିଚୁ ଉଠି ଗୋଡ଼ି ଗଡ଼ୁଛି । ପାଞ୍ଚ କିମି ରାସ୍ତା ପାଇଁ ପୂର୍ତ ବିଭାଗ ପକ୍ଷରୁ ସାଢେ ୪କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । ‘ଏ’ କ୍ଲାସ ଠିକାଦାର ସମ୍ବିତ କୁମାର ଜେନାଙ୍କ ଦ୍ୱାରା କାର୍ଯ୍ୟ କରାଯାଇଥିଲା । ତା୨୯ା୪ା୨୩ରୁ ଆରମ୍ଭ ହୋଇରାସ୍ତା ତା ୨୮ା୯ା୨୩ରେ ଶେଷ ହେବାକୁ ଧାର୍ଯ୍ୟ ରହିଥିଲା । ଅବଧି ଶେଷ ପରେ କିନ୍ତୁ କାର୍ଯ୍ୟ ଶେଷ ହୋଇଥିଲା । ଆରମ୍ଭରୁ ନିମ୍ନମାର କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ ଉଠିଥିଲା । ଅଭିଯୋଗ ଭିତ୍ତିରେ ‘ସୂର୍ଯ୍ୟପ୍ରଭା’ରେ ଖବର ପ୍ରକାଶିତ ହୋଇଥିଲା । ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ସିଂହପୁର ଠାରୁ ବିଞ୍ଝାରପୁର ରାସ୍ତାର ସୁଦୃଢ଼ୀକରଣ ଏବଂ ସଂପ୍ରସାରଣ କାର୍ଯ୍ୟ କରାଯାଉଥିବା ବେଳେ ମଲ୍ଲିଆ ଛକ ଠାରେ ପିଚୁ ଉଠି ଗୋଡ଼ି ରାସ୍ତାରେ ଗଡ଼ିବାକୁ ଲାଗିଥିବା ଖବର ଉପରେ ପୂର୍ତ ବିଭାଗ ନିରବ ରହିଲା । ‘ଏ’ କ୍ଲାସ ଠିକାଦାରଙ୍କ କାର୍ଯ୍ୟର ତଦାରକ କଲାନି । ନିମ୍ନମାନର କାର୍ଯ୍ୟ ଦେଖି ବିଭାଗ ଆଖିବୁଝି ଦେଇ ବସିଲା । ଠିକାଦାର ମନଇଛାରେ କାର୍ଯ୍ୟ କଲେ । ଆଉ ଏବେ ସେଇ ସମାନ ଅବସ୍ଥା ଠିକାଦାରଙ୍କ ସ୍ୱାର୍ଥ ପାଇଁ କୋଟି କୋଟିର ରାସ୍ତାରୁ ପିଚୁ ଉଠି ଗଲାଣି । ପିଚୁ ଉଠି ଗୋଡ଼ି ବାହାରିବା ପରେ ଠାଏଠାଏ ଖାଲ ହୋଇ ପୁରୁଣା ରାସ୍ତା ଦେଖା ଗଲାଣି । ଯେଉଁଠି ଏହା ହୋଇଛି ସେଇ ସ୍ଥାନ ଦୁର୍ଘଟଣାର ମାଧ୍ୟମ ପାଲଟିଛି । ପାଖାପାଖି ସାଢ଼େ ଚାରି କୋଟି ବ୍ୟୟ ବରାଦ ଏବଂ ‘ଏ’କ୍ଲାସ୍ ଠିକାଦାର ଯୋଗୁ କାର୍ଯ୍ୟ ଭଲ ହେବ ଏଆଶା ଅଞ୍ଚଳବାସୀ କରିଥିଲେ । ଆଶା କରାଯାଇଥିଲା ବିଭାଗୀୟ ଅଧିକାରୀଙ୍କ ତତ୍ୱାବଧାନରେ ରାସ୍ତାର ସୁଦୃଢ଼ୀକରଣ ଏବଂ ପ୍ରସ୍ତସ୍ତି କରଣ କାର୍ଯ୍ୟ ଯୋଗୁଁ ଗମନା ଗମନ ଅଧିକ ସହଜ ହେବ । କିନ୍ତୁ ପରିସ୍ଥିତି କହୁଛି ଅଲଗା କଥା । କାର୍ଯ୍ୟ ସରିବାର ୮ ମାସ ନପୁରଣୁ ଯଦି ଅବସ୍ଥା ଏମିତି, ତେବେ ଆଗକୁ କେମିତି ହେବ ତାହା ଜଣାପଡ଼ିଯାଉଛି । ସାଧାରଣ ଲୋକେ ବିଭାଗୀୟ ଅଧିକାରୀଙ୍କ ସ୍ୱଚ୍ଛତା ଉପରେ ଆଙ୍ଗୁଳି ଉଠାଉଛନ୍ତି ।