ଶ୍ରମିକଙ୍କ ସମସ୍ୟା ସମାଧାନ ଦାବି : ଜିଲ୍ଲାପାଳଙ୍କୁ ମନରେଗା ଶ୍ରମିକ ସଂଘର ସ୍ମାରକପତ୍ର

 ଛତ୍ରପୁର: ଓଡ଼ିଶା ମନରେଗା ଶ୍ରମିକ ୟୁନିଅନ ଗଞ୍ଜାମ ଜିଲା କମିଟି ପକ୍ଷରୁ ମନରେଗା ଶ୍ରମିକଙ୍କ ହାତକୁ କାମ, ସର୍ବନିମ୍ନ ମଜୁରୀ ଏବଂ ସମସ୍ତ ଅଧିକାରକୁ ପ୍ରଦାନ କରିବା ସଂପର୍କରେ ଏକ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ମଙ୍ଗଳବାର ପ୍ରଦାନ କରାଯାଇଛି । ଦାବିଗୁଡିକ ମଧ୍ୟରେ ଦୈନିକ ସର୍ବନିମ୍ନ ମଜୁରୀ ୭୦୦ ଟଙ୍କାକୁ ବୃଦ୍ଧି ଏବଂ ପରିବାରର ଦୁଇଜଣ ସଦସ୍ୟଙ୍କୁ ନିଶ୍ଚିତ କାମ, ବର୍ଷ ସାରା କାମ ଯୋଗାଇ ଦେବାର ସୁବ୍ୟବସ୍ଥା, ସର୍ବନିମ୍ନ ମଜୁରୀଠାରୁ କମ ପ୍ରଦାନ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ସ୍ୱତନ୍ତ୍ର କଲ୍ୟାଣ ବୋର୍ଡ ଓ ସାମାଜିକ ନିରାପତ୍ତା ପାଇଁ ସୁବ୍ୟବସ୍ଥା, ୫୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ଶ୍ରମିକଙ୍କ ପାଇଁ ମାସିକ ୧୦ ହଜାର ଟଙ୍କାର ପେନସନ, ଶ୍ରମିକ ବିରୋଧ ୪ଟି ଶ୍ରମ ସଂହିତା ପ୍ରତ୍ୟାହାର, ସର୍ବନିମ୍ନ ମଜୁରୀରୁ ଆଜି ପର୍ଯ୍ୟନ୍ତ ହଡ଼ପ ହୋଇଥିବା ସମସ୍ତ ମଞ୍ଜୁରୀ ଟଙ୍କାକୁ ତୁରନ୍ତ ଏରିଅର କରି ଶ୍ରମିକଙ୍କୁ ପ୍ରଦାନ, କାମ କରିବାର ୭ ଦିନ ମଧ୍ୟରେ ଶ୍ରମିକଙ୍କ ମଜୁରୀ ପ୍ରଦାନ ଆଦି ରହିଛି । ଏହି ଦାବିପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା କମିଟିର ଶଙ୍କର ସାହୁ, ପି ପାର୍ବତୀ, ସଂଯୁକ୍ତା ଦାସଙ୍କ ସମେତ ବହୁ ମହିଳା ଶ୍ରମି ମାନେ ଉପସ୍ଥିତ ଥିଲେ ।