ଭାରତୀୟ ମୁଦ୍ରାର ପ୍ରତୀକ ପରିବର୍ତ୍ତନ


ଗୋପାଳ  ମହାପାତ୍ର : ଆଞ୍ଚଳିକ ଭାଷାର ବ୍ୟବହାରକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ଭାରତୀୟ ମୁଦ୍ରା ଟଙ୍କାର ଚିହ୍ନ ପରିବର୍ତ୍ତନ କରିଦେଇଛନ୍ତି । ଏହା ଏବେ ରାଷ୍ଟ୍ରୀୟ ରାଜନୀତିରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଦୁଃଖ ତଥା ଦୁର୍ଭାଗ୍ୟର ବିଶୟ ନିଶ୍ଚୟ । ରାଷ୍ଟ୍ରୀୟ ପ୍ରତୀକର ପରିବର୍ତ୍ତନ ଅବ୍ୟବହାରିକ । କହିବାକୁ ଗଲେ ଷ୍ଟାଲିନଙ୍କ ଏଭଳି ପଦକ୍ଷେପ ଅନାବଶ୍ୟକ ଏବଂ ବିଭାଜନକାରୀ ଅଟେ । କଥା ବା ପ୍ରସଙ୍ଗ ହେଉଛି ତାମିଲନାଡୁ ସରକାର ରାଜ୍ୟର ବଜେଟ ‘ଲୋଗୋ’ରେ ଭାରତୀୟ ଟଙ୍କା( ମୁଦ୍ରା)ର ପ୍ରତୀକ ଚିହ୍ନ ସ୍ଥାନରେ ତାମିଲ ଅକ୍ଷରର ବ୍ୟବହାର କରିଛନ୍ତି  । ଏଭଳି ଘଟଣା ପୁର୍ବରୁ କେବେ ଘଟିନଥିଲା । କୌଣସି ରାଜ୍ୟର ସରକାର ରାଜ୍ୟରେ ଭାରତୀୟ ମୁଦ୍ରାର ଚିହ୍ନକୁ ପରିବର୍ତ୍ତନ କରିନଥିଲେ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ଏଭଳି ପଦକ୍ଷେପକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଠୁଛି ।  ସରକାରୀ ସ୍ତରରେ କମୁ୍ୟନିକେସନ (ସଞ୍ଚାର) ଏବଂ ଡ଼କୁମେଣ୍ଟେସନ (ଦସ୍ତାବିଜକରଣ)ରେ ଆଞ୍ଚଳିକ ଭାଷାର ବ୍ୟବହାର ଏକ ବିବାଦର ବିଷୟ ପାଲଟିଛି । ଏହାଠାରୁ ଦୁଃଖଦ ବିଶୟ କ’ଣ ହୋଇପାରେ ଡିଏମ୍ କେ  (ଦ୍ରାବିଡ ମୁନେତ୍ରା କାଜାଗାମ୍) ଆଞ୍ଚଳିକ ବା ସ୍ଥାନୀୟ ଭାଷା ଉପରେ ହିନ୍ଦୀ ଭାଷାକୁ ଲଦି ଦିଆଯାଉଛି ବୋଲି ଅଭିଯୋଗ କରୁଛି । ତୃତୀୟ ଭାଷା ହିନ୍ଦୀକୁ ନେଇ କେନ୍ଦ୍ରୀୟ ସରକାର ଓ ତାମିଲନାଡୁ ସରକାରଙ୍କ ମଧ୍ୟରେ ବିବାଦ ଚାଲିଥିବା ବେଳେ ମୁଦ୍ରାର ପ୍ରତୀକ ଚିହ୍ନ ପରିବର୍ତ୍ତନ କରାଯିବା ଠିକ୍ କି? ତାମିଲନାଡୁ ରାଜ୍ୟ ସରକାରଙ୍କ ପାଖରେ ଏଭଳି ମୁଦ୍ରାର ପ୍ରତୀକ ଚିହ୍ନ ପରିବର୍ତ୍ତନ କରିବାର ଅଧିକାର ଅଛି କି? ସାରା ଦେଶରେ ମାନ୍ୟତା ପ୍ରାପ୍ତ ତଥା ପ୍ରଚଳିତ ମୁଦ୍ରାର ପ୍ରତୀକ ଚିହ୍ନ ରାଜ୍ୟ ସରକାର ବଦଳାଇ ପାରିବେ କି? ଏଭଳି ଅନେକ ପ୍ରଶ୍ନ ଉଠିବା ସହ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତଥ୍ୟ ଅନୁସାରେ କେନ୍ଦ୍ରସରକାରଙ୍କ ପକ୍ଷରୁ ଭାରତୀୟ ମୁଦ୍ରାର ପ୍ରତୀକ ଚିହ୍ନର ପରିବର୍ତ୍ତନ ପ୍ରସଙ୍ଗକୁ ନେଇ କୌଣସି ସ୍ପଷ୍ଟ ଦିଶାନିର୍ଦେଶ ଉପଲବ୍ଧ ନାର୍ହି । ଏଣୁ ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ ଯେ ତାମିଲନାଡୁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଆଇନ୍ର ଉଲଂଘନ । ଉପଲବ୍ଧ ସୂଚନା ଅନୁସାରେ ରାଷ୍ଟ୍ରୀୟ ଚିହ୍ନର ସୂଚୀରେ ମୁଦ୍ରା (ଟଙ୍କା)ର ଚିହ୍ନ ନାହିଁ । ରାଷ୍ଟ୍ରୀୟ ଚିହ୍ନର ପରିବର୍ତ୍ତନ ପ୍ରସଙ୍ଗରେ ଭାରତୀୟ ରାଷ୍ଟ୍ରୀୟ ଚିହ୍ନ (ଦୁରୁପଯୋଗ କୁ ରୋକିବା) ଆଇନ ୨୦୨୫ ପ୍ରଣୟନ କରାଯାଇଥିଲା । 
  ଆଇନ୍ ଅନୁସାରେ କେବଳ ଚିହ୍ନର ଡିଜାଇନରେ ହିଁ ପରିବର୍ତ୍ତନ କରାଯାଇ ପାରିବ କିନ୍ତୁ ଏହାର ପୁରା ଡିଜାଇନକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ବିଶେଷଜ୍ଞ ମାନଙ୍କ ମତରେ କେନ୍ଦ୍ର ସରକାର ଯଦି ଚାହିଁବେ ତେବେ ପୁରା ଚିହ୍ନ (ପ୍ରତୀକ)କୁ ପରିବର୍ତ୍ତନ କରିପାରିବେ । ଭାରତୀୟ ରାଷ୍ଟ୍ରୀୟ ଚିହ୍ନ (ଦୁରୁପଯୋଗ ରୋକିବା) ଆଇନ୍ ୨୦୦୫ ରେ ଏମିତି କୌଣସି ପ୍ରାବଧାନ ନାହିଁ ଯେଉଁଥିପାଇଁ ସରକାରଙ୍କୁ ଏଭଳି ପରିବର୍ତ୍ତନ ପାଇଁ ଅଟକାଇ ପାରିବ । ଏଭଳି ସ୍ଥିତିରେ ସମ୍ବନ୍ଧିତ ଆଇନ୍ରେ ସଂଶୋଧନ ପରେ ଲୋକସଭା ଏବଂ ରାଜ୍ୟସଭାରେ ଗୃହୀତ କରାଯାଇ ରାଷ୍ଟ୍ରୀୟ ପ୍ରତୀକ (ଚିହ୍ନ)କୁ ପରିବର୍ତ୍ତନ କରାଯାଇପାରିବ ।
ଉଲ୍ଲେଖନୀୟ ଯେ ଭାରତୀୟ ସମ୍ବିଧାନର ୮ମ ଅନୁସୂଚୀରେ ୨୨ଟି ଭାଷାକୁ ମାନ୍ୟତା ପ୍ରଦାନ କରାଯାଇଛି ଏବଂ ଏହି ୨୨ଟି ଭାଷା ମଧ୍ୟରେ ତାମିଲ ଭାଷା ମଧ୍ୟ ରହିଛି । ଭାରତୀୟ ମୁଦ୍ରା ଟଙ୍କାରେ କେବଳ ଏକ ପ୍ରତୀକ ରହିଛି ଓ ଏହା ଦେବନାଗରୀ ଅକ୍ଷରରେ ରହିଛି ଏବଂ ରୋମାନ ଅକ୍ଷର ଅନୁସାରେ ଏହା ‘ଆର୍’ ଅଟେ । ବାସ୍ତବରେ ଭାରତୀୟ ମୁଦ୍ରା ଟଙ୍କାର ଏହି ପ୍ରତୀକ ଦେବନଗରୀ ଲିପିର ଏବଂ ରୋମାନ ଲିପିର ଅକ୍ଷର ‘ଆର୍’କୁ ମିଶାଇ ପ୍ରସ୍ତୁତ କରାଯାଇଛି ଏବଂ ଏଥିରେ ଏକ କ୍ଷିତିଜ ରେଖା ପ୍ରସ୍ତୁତ କରାଯାଇ ପ୍ରତୀକ ଋପରେ ସ୍ୱୀକାର କରାଯାଇଛି । ଏହି ରେଖା (ହୋରିଜେଣ୍ଟାଲ ଲାଇନ୍) ଆମ ରାଷ୍ଟ୍ରଧ୍ୱଜ ତଥା ସମାନତାକୁ ପ୍ରତୀକରେ ପ୍ରତିବିମ୍ବିତ କରିଥାଏ ।  ଭାରତ ସରକାର ୨୦୧୦ ମସିହା ଜୁଲାଇ ୧୫ ତାରିଖରେ ଏହି ଚିହ୍ନକୁ ସ୍ୱୀକାର କରିଥିଲେ । ଉଲ୍ଲେଖନୀୟ ଯେ ଏହି ଚିହ୍ନ ବା ପ୍ରତୀକକୁ ଭାରତୀୟ ପ୍ରଦ୍ୟୋଗିକୀ ସଂସ୍ଥାନ (ଆଇଆଇଟି) ମୁମ୍ବାଇ ପୋଷ୍ଟ ଗ୍ରାଜୁଏଟ ଡିଜାଇନର ଡ଼.ଉଦୟ କୁମାର ପ୍ରସ୍ତୁତ କରିଥିଲେ । ଏବେ ତାମିଲନାଡୁ ସରକାର ଭାରତୀୟ ମୁଦ୍ରାର ପ୍ରତୀକ ପରିବର୍ତ୍ତନ କରାଯିବା ପରେ ଏହାକୁ ନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି । ସୂଚନା ଅନୁସାରେ ତାମିଲନାଡୁ ରାଜ୍ୟ ଯୋଜନା କମିଶନଙ୍କ କାର୍ଯ୍ୟକାରୀ ଉପାଧ୍ୟକ୍ଷ ତାମିଲନାଡୁ ସରକାରଙ୍କ ଦ୍ୱାରା ୨୦୨୫-୨୬ର ତାମିଲନାଡୁ ରାଜ୍ୟ ବଜେଟରେ ଟଙ୍କା (ମୁଦ୍ର)ର ପ୍ରତୀକ ଚିହ୍ନ କୁ ତାମିଲ ଭାଷାରେ ପରିବର୍ତ୍ତନ କରାଯିବା ପ୍ରସଙ୍ଗରେ କହିଛନ୍ତି ଯେ “ଆମେ ଦେବନାଗରୀର ଉପଯୋଗ କରିବା ପାଇଁ ଚାହୁଁନାହୁଁ ।”  ଏବେ ଭାରତୀୟ ମୁଦ୍ରାର ପ୍ରତୀକ ଚିହ୍ନ କୁ ନେଇ ଦେଖାଦେଇଥିବା ବିବାଦ କାରଣରୁ ଏହାକୁ ଭାଷାର ରାଜନୀତି ପରିବର୍ତ୍ତେ ଭାଷାକୁ ନେଇ ଘୃଣା ବୋଲି କୁହାଯାଉଛି । ଭାଷା ବିବାଦକୁ ଅଧିକ କରିବା ପାଇଁ ଡିଏମ୍କେ ସରକାର ରାଜ୍ୟ ବଜେଟରେ ପ୍ରତୀକ ଚିହ୍ନକୁ ପରିବର୍ତ୍ତନ କରିଦେଇଛନ୍ତି ଓ ତାମିଲ ଅକ୍ଷରର ବ୍ୟବହାର କରାଯାଇଛି । ଯଦିଓ ପୂର୍ବର ପ୍ରତୀକ ଓ ବର୍ତ୍ତମାନର ପ୍ରତୀକର ଅର୍ଥ ଏକ କିନ୍ତୁ ଏହା ଏକ ତାମିଲ ଶବ୍ଦ ।
        ରାମଚନ୍ଦ୍ରପୁର, ରଣପୁର
ମୋ: ୯୪୩୮୪୮୫୦୯୪