‘ଶ୍ରୀମନ୍ଦିରରେ ଦର୍ଶନ ସୁବିଧା’ ଶୀର୍ଷକ ଆଲୋଚନାଚକ୍ର
ପୁରୀ : ସାମାଜିକ ଅନୁଷ୍ଠାନ ଉକ୍ରଳ ବିଦ୍ୱତ ପରିଷଦ ପକ୍ଷରୁ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ସୁବିଧା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏହି ଆଲୋଚନାଚକ୍ରରେ ଶ୍ରୀମନ୍ଦିରକୁ ଯାଇ ସ୍ଥାନୀୟ ଅଧିବାସୀ ସ୍ୱଚ୍ଛନ୍ଦରେ ମହାପ୍ରଭୁଙ୍କୁ କିଭଳି ଦର୍ଶନ କରିପାରିବେ ତା ଉପରେ ମାନସ ମନ୍ଥନ କରାଯାଇଥିଲା । ସହରର ବୁଦ୍ଧିଜୀବୀ ଓ ବାସିନ୍ଦାମାନେ ହଲିଡେ ରିସର୍ଟରେ ଆୟୋଜିତ ଆଲୋଚନାଚକ୍ରରେ ଯୋଗଦାନ କରିଥିଲେ । ଉକ୍ରଳ ବିଦ୍ୱତ ପରିଷଦର ଏହି ଉଦ୍ୟମକୁ ସାଧୁସନ୍ଥ ଓ ବ୍ୟକ୍ତିମାନେ ସ୍ୱାଗତ କରିଥିଲେ । ଆଗାମୀ ଦିନରେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ପୁରୀର ଅଧିବାସୀ କିଭଳି ଦର୍ଶନ ସୁବିଧା ପାଇବେ ସେ ସମ୍ପର୍କରେ ମତାମତ ସଂଗ୍ରହ କରାଯାଇ ସେଗୁଡିକୁ ପ୍ରସ୍ତାବ ଆକାରରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସ୍ଥିରିକୃତ ହୋଇଛି । ଗତ କିଛି ବର୍ଷ ଧରି ପୁରୀର ଅଧିବାସୀମାନେ ଶ୍ରୀମନ୍ଦିରକୁ ଅବାଧରେ ପ୍ରବେଶ କରିପାରୁନାହାନ୍ତି । ବିଭିନ୍ନ ପର୍ବ ପର୍ବାଣୀରେ ମହାପ୍ରସାଦ ଆଣିବା ପାଇଁ ଆନନ୍ଦ ବଜାରକୁ ଯିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିବାହ ନିର୍ବନ୍ଧ ପାଇଁ ମନ୍ଦିର ଭିତରେ ଥିବା ସୂର୍ଯ୍ୟ ମନ୍ଦିରକୁ ଯିବାରେ ଅସୁବିଧା ହେଉଛି । ଜଗନ୍ନାଥ ହେଉଛନ୍ତି ପୁରୀ ଅଧିବାସୀଙ୍କ ଗ୍ରାମ ଦେବତା । ଶହଶହ ବର୍ଷ ଧରି ଶ୍ରୀମନ୍ଦିର ଭିତରକୁ ଅନ୍ୟାୟାସରେ ଯାତାୟାତ କରିବା ପରେ ଏବେ ସହରବାସୀ ଦହଗଞ୍ଜ ହେଉଛନ୍ତି । ବରିଷ୍ଠ ନାଗରିକମାନଙ୍କ ପାଇଁ ଜଗନ୍ନାଥ ଦର୍ଶନ ଯେଭଳି ସ୍ୱପ୍ନ ପାଲିଟିଯାଇଛି । ସରକାର ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିପାରୁନାହାନ୍ତି । ଏଭଳି ସ୍ଥିତିରେ ସମାଧାନର ପନ୍ଥା କଣ ହେବା ଆବଶ୍ୟକ ତାକୁ ନେଇ ଏହି ସଂଗୋଷ୍ଠୀର ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ସଭାପତି ମନୋଜ ରଥ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ କଟକୀ ମଠ ମହନ୍ତ ଡ. ବିଜୟ ନାରାୟଣ ରାମାନୁଜ ଦାସ, ଡ. ବାନାମ୍ବର ସେନାପତି, ଡ. ଭାସ୍କର ମିଶ୍ର, ବିନୋଦ ପଣ୍ଡା, ଡ. ନରେଶ ଦାଶ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ପୁରୀର ବାସିନ୍ଦାଙ୍କୁ ସ୍ଥାୟୀ ପରିଚୟପତ୍ର ପ୍ରଦାନ ପୂର୍ବକ ମନ୍ଦିର ପ୍ରବେଶ ପାଇଁ ପୁନଃ ଅନୁମତି ଦିଆଯାଉ । ମୁକ୍ତମଣ୍ଡପ ପଣ୍ଡିତ ସଭାର କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର ପୁରୀବାସୀଙ୍କ ପାଇଁ ମୁଦୁଲି ଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ । ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି ପୂର୍ବ ପରି ପଶ୍ଚିମ ଦ୍ୱାର ଦେଇ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରବେଶ କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ । ହୋଟେଲ ଆସୋସିଏସନ୍ ସମ୍ପାଦକ ରାଜକିଶୋର ପାତ୍ର, ଦେବୀପ୍ରସନ୍ନ ନନ୍ଦ, ଓକିଲ ସଂଘ ସମ୍ପାଦକ ଶରତ ରାୟଗୁରୁ, ଡ. ଭାସ୍କର ମିଶ୍ର, ସିଦ୍ଧାର୍ଥ ରାୟ, ପୁଷ୍ପିତା ପଟ୍ଟନାୟକ, ଗିରିଜା ଶଙ୍କର ପାଢୀ, ଚିତଞ୍ଜନ ବିଶ୍ୱାଳ, ପୁଷ୍ପା ପାତ୍ର, ଡ. ବଳରାମ ଦାସ, ବିନୋଦ ପଣ୍ଡା ପ୍ରମୁଖ ବିଭିନ୍ନ ଉପସ୍ଥିତଥିଲେ ।