ମୁରବି ହୀନ ପ୍ରାଣୀ ଚିକିତ୍ସା କେନ୍ଦ୍ର 

ମୁରବି ହୀନ ପ୍ରାଣୀ ଚିକିତ୍ସା କେନ୍ଦ୍ର 


ବୈଶିଙ୍ଗା: ବୈଶିଙ୍ଗା ଠାରେ ପ୍ରାଣୀ ଚିକିତ୍ସା କାର୍ଯ୍ୟ ସ୍ୱାଧୀନତା ପର ଠାରୁ କାର୍ଯ୍ୟ କରୁଥିଲେ ମଧ୍ୟ ଏବେ ମୁରବି ହୀନ ପାଲଟିଥିବା ଦେଖାଦେଇଛି । ଓଡିଶା ସରକାରଙ୍କ ପକ୍ଷରୁ ପ୍ରାଣୀ ସମ୍ପଦର ସୁରକ୍ଷା ଓ ବିକାଶ ପାଇଁ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସହିତ ତତ୍କାଳ ଚିକିତ୍ସା ପାଇଁ ପ୍ରତି ବ୍ଲକରେ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା କରାଯାଇଥିବାର ଦେଖାଯାଇଛି । ପ୍ରକୃତ ପକ୍ଷେ ଗ୍ରାମାଞ୍ଚଳରେ ପଶୁ ସମ୍ପଦର ସୁରକ୍ଷା ବାସ୍ତବ ଅପେକ୍ଷା କେବଳ କାଗଜ କଲମରେ ଚାଲିବା ଦ୍ୱାରା ସରକାରଙ୍କର ଉଦେ୍ଦଶ୍ୟ ସାଧନ ହୋଇ ନ ପାରିବା ଦୁଃଖର ବିଷୟ ପାଲଟିଛି । ଏହି ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପରିସରରେ ମତ୍ସ୍ୟଚାଷ, କୁକୁଡା ଚାଷ ଓ ଛେଳି ଚାଷ ପାଇଁ ସ୍ୱତନ୍ତ୍ର ଭାବେ ବିଭାଗୀୟ କର୍ମଚାରୀ ଅବସ୍ଥାପିତ ଥିଲେ ମଧ୍ୟ କେତେ ମାତ୍ରାରେ କାର୍ଯ୍ୟକାରୀ ହେଉଛି ତାର ହିସାବ କାହାରି ପାଖରେ ନାହିଁ । ମାତ୍ର ପ୍ରାଣୀ ସମ୍ପଦର ବିକାଶ ପାଇଁ ସରକାରୀ ଅର୍ଥରେ କିଛି ଚାଷୀଙ୍କୁ ଡାକି ସଚେତନତା କରାଯାଉଥିବାର ଦେଖିବାକୁ ମିଳୁଛି । ଉନ୍ନତ ଗୋ ସମ୍ପଦ ବୃଦ୍ଧି ପାଇଁ ଜର୍ସି ଗାଈକୁ ଇନ୍ଜେକ୍ସନ ଦେବା ଠାରୁ ବାଛୁରୀ ଜନ୍ମ ନେବା ପର୍ଯ୍ୟନ୍ତ ଧାରାବାହିକ ଭାବେ ପ୍ରତିମାସରେ ସ୍ୱାସ୍ଥ୍ୟପରୀକ୍ଷା କରିବାର ବ୍ୟବସ୍ଥା ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିରେ ଅବହେଳା କରୁଥିବାର ଅଭିଯୋଗ ହେଉଛି । ଏହାର ଉଦାହରଣ ସ୍ୱରୂପ ଚିକିତ୍ସା ଅବହେଳାରୁ ଗୋଟିଏ ନବଜନ୍ମିତ ବାଛୁରୀ ମରିଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ବୈଶିଙ୍ଗା ଉପକଣ୍ଠ ପତୁକା ଗ୍ରାମର ଜୀବନ କୁମାର ଦାଶଙ୍କର ଏକ ୨୨ ଦିନିଆର ବାଛୁରୀ ହଠାତ୍ ଅସୁସ୍ଥ ହେବାରୁ ଚିକିତ୍ସାଧାରୀ ସ୍ୱୟଂପ୍ରକାଶ ନାୟକଙ୍କୁ ଅବଗତ କରାଇଥିଲେ । ମାତ୍ର ସନ୍ଧ୍ୟା ହୋଇଯାଇଥିବାରୁ ପରଦିନ ସକାଳ ସମୟରେ ଡାକ୍ତରଖାନା ପରିସରକୁ ବାଛୁରୀ ନେଇ ଆସିବାକୁ ପରାମର୍ଶ ଦେଇଥିଲେ । ମାତ୍ର କିଛି ସମୟ ପରେ ଡାକ୍ତରଙ୍କ ନିଦେ୍ର୍ଦଶରେ ଜନୈକ ଅବସରପ୍ରାପ୍ତ କର୍ମଚାରୀ ପହଞ୍ଚ  ବାଛୁରୀଟିକୁ ନିମୁସ୍ଲାଇଡ ଇନ୍ଜେକ୍ସନ ଦେବାର କିଛି ସମୟ ପରେ ବାଛୁରୀଟି ରକ୍ତବାନ୍ତି କରି ମରିଯାଇଥିଲା । ଜୀବନ ଦାଶ ଏହାର ପ୍ରତିବାଦ କରିବାରୁ ଡାକ୍ତର ଶ୍ରୀ ନାୟକ ଅନ୍ୟ ଜଣେ କର୍ମଚାରୀଙ୍କ ଜରିଆରେ କ୍ଷତିପୂରଣ ବାବଦରେ ୫ହଜାର ଟଙ୍କା ଶ୍ରୀ ଦାଶଙ୍କ ଘରେ ପହଞ୍ଚାଇଥିଲେ ।  ଏ ନେଇ ଜିଲ୍ଲା ପଶୁସମ୍ପଦ ଅଧିକାରୀଙ୍କ ଠାରେ ଅଭିଯୋଗ କରାଯିବା ପରେ ଏହାର ତଦନ୍ତ ନିଦେ୍ର୍ଦଶ ଦିଆଯାଇଥିବା ସେ ପ୍ରକାଶ କରିଥିଲେ ।