ଡିଜିପିଙ୍କ ଅଧ୍ୟକ୍ଷତାରେ ଆର୍ପିଏଫ୍ର ବୈଠକ : ଟ୍ରେନ୍ରେ ନିଶା ଚାଲାଣ ରୋକ୍କୁ ଗୁରୁତ୍ୱ
ଭୁବନେଶ୍ୱର : ଆଜି ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ରେଳବାଇ ସୁରକ୍ଷା କମିଟିର ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରେଳବାଇ ସମ୍ପର୍କିତ ବିଭିନ୍ନ ସୁରକ୍ଷା ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।
ବିଭିନ୍ନ ସମୟରେ ଅପରାଧୀମାନେ ଟ୍ରେନ୍ ଯୋଗେ ଗଞ୍ଜେଇ, ଅଫିମ ଭଳି ନିଶା ଦ୍ରବ୍ୟ ଚୋରା ଚାଲାଣ କରୁଛନ୍ତି । ଏଭଳି ନିଶା ଦ୍ରବ୍ୟ ବୋଝେଇ ଏବଂ ଓହ୍ଲା ଯାଉଥିବା ଷ୍ଟେସନକୁ ଚିହ୍ନଟ କରି ବିହିତ ପଦକ୍ଷେପ ନେବାକୁ ଡିଜିପି ନିଦେ୍ର୍ଦଶ ଦେଇଥିଲେ । ଏହା ସହ ରାଜ୍ୟର ଯେଉଁ ଷ୍ଟେସନ ଗୁଡିକରେ ସିସିଟିଭି ନାହିଁ, ସେଠାରେ ସିସିଟିଭି ଲଗା ଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟର ବିଭିନ୍ନ ମାଓ ପ୍ରଭାବିତ ଜିଲ୍ଲା ମଧ୍ୟ ଦେଇ ରେଳ ଲାଇନ ଯାଇଥିବା ବେଳେ ଏହା ମାଓବାଦୀଙ୍କ ଟାର୍ଗେଟ୍ରେ ରହିଥିବାରୁ ଏ ଦିଗରେ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ବିଭିନ୍ନ ସମୟରେ କିଛି ସ୍ଥାନରେ ଚଳନ୍ତା ଟ୍ରେନ ଉପରକୁ ଢେଲା ପଥର ଫିଙ୍ଗିବା ଭଳି ଘଟଣା ଦୃଷ୍ଟିଗୋଚର ହୋଇଥାଏ । ଏ ଭଳି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବୈଠକରେ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ବିଭିନ୍ନ ସମୟରେ ଟ୍ରେନ ମାଧ୍ୟମରେ ମାନବ ଚୋରା ଚାଲାଣ ରୋକିବାକୁ ରେଳବାଇ, ରେଳବାଇ ଥାନା, ରେଳ ସୁରକ୍ଷା ବଳ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି ।
ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ ( ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ପୂର୍ବତଟ ରେଳବାଇ ଆଇଜି ଆଲୋକ ଭୋରା, ଦକ୍ଷିଣ ପୂର୍ବ ରେଳବାଇ ଆଇଜି ସଞ୍ଜୟ ମିଶ୍ର, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଆଇଜି ମୁନୱାର ଖୁର୍ଷିଦ, ଖୋର୍ଦ୍ଧା ଡିଭିଜନର ରେଳ ଉପ ପ୍ରବନ୍ଧକ ପ୍ରଦୀପ ବେହେରା, ଦିଲ୍ଲୀପ ରଞ୍ଜନ ପାଲ, କେନ୍ଦ୍ରୀୟ ଗୁଇନ୍ଦା ଉପ ନିଦେ୍ର୍ଦଶକ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, କଟକ ରେଳବାଇ ଏସପି ବିବେକାନନ୍ଦ ଶର୍ମାଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।