ସଂକୁଚିତ ହେଉଛି ଭାଗୀରଥି ସାଗର: ୧୩ରେ ସୁରକ୍ଷା ସମିତିର ସାମୂହିକ ଗଣଧାରଣା
ଢେଙ୍କାନାଳ : ଢେଙ୍କାନାଳ ସହରର ଐତିହ୍ୟ ସମ୍ପନ୍ନ ଭାଗୀରଥୀ ସାଗରର ପୁନରୁଦ୍ଧାର ଚାଲୁଥିବାବେଳେ ପୋଖରୀର ପଙ୍କକୁ ବାହାରକୁ କଢା ନ ଯାଇ ପୋଖରୀ ଭିତର ପାଖ ହୁଡା ମଧ୍ୟରେ ପକାଇ ପୋଖରୀର ଜଳ ଧାରଣ କ୍ଷମତା ସଂକୁଚିତ କରାଯାଉଛି । ଯାହାକୁ ଭାଗୀରଥୀ ସାଗର ସୁରକ୍ଷା ସମିତି ପକ୍ଷରୁ ବିରୋଧ କରାଯାଇ ଏ ନେଇ ପ୍ରଶାସନକୁ ଅବଗତ କରାଯାଇଥିଲା । ହେଲେ ପ୍ରଶାସନ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନୀରବଦ୍ରଷ୍ଟା ସାଜିଛି । ଯାହାର ପ୍ରତିବାଦରେ ସୁରକ୍ଷା ସମିତି ପକ୍ଷରୁ ଆସନ୍ତା ମେ’ ୧୩ ତାରିଖ ଦିନ ଏକ ସାମୂହିକ ଗଣଧାରଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ଏ ନେଇ ଭାଗୀରଥୀ ସାଗର ସୁରକ୍ଷା ସମିତି ପକ୍ଷରୁ ଏକ ଜରୁରୀ ବୈଠକ ସଭାପତି ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଲ୍ଲେଖ ଯେ, ଭାଗୀରଥୀ ସାଗର ଭିତରେ ଦ୍ୱିତୀୟ ହୁଡା କରି ପଙ୍କ ମାଟି ଜମାଇ ୩୦ ରୁ ୭୦ ଫୁଟ ନ ପୋତିବା ପାଇଁ ଜିଲ୍ଲାପାଳଙ୍କୁ ଗତ ଏପ୍ରିଲ ୨୧ ଦିନ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏବଂ ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସୁରକ୍ଷା ସମିତି ଆନେ୍ଦାଳନ କରିବ ବୋଲି ଅବଗତ କରାଯାଇଥିଲେ । ତେବେ ସମସ୍ତଙ୍କ ସହିତ ଆଲୋଚନା କରିବେ ବୋଲି ଜିଲ୍ଲାପାଳ ଆଶ୍ୱାସନା ଦେଇଥିଲେ । ମାତ୍ର ୧୫ ଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ଜିଲ୍ଲାପାଳ କୌଣସି ହସ୍ତକ୍ଷେପ କରିନାହାନ୍ତି କି ପଦକ୍ଷେପ ନେଲେନାହିଁ । ଏହା ଲୋକମାନଙ୍କ ଉପରେ କୁପ୍ରଭାବ ପକାଇବା ସହିତ ଜିଲ୍ଲାର ଐତିହ୍ୟ ଉପରେ ଗଭୀର କୁଠାରାଘାତ କରିଛି । ଆଜି ବୈଠକରେ ସମସ୍ତ ସଦସ୍ୟ ଏକମତ ହୋଇ ନିଷ୍ପତ୍ତି ନେଇଛନ୍ତି ଯେ, ଆସନ୍ତା ୧୩ ମଇ ୨୦୨୫ରେ ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସାମୂହିକ ଗଣ ଧାରଣା ଓ ଧିକାର ଦିବସ ପାଳନ କରାଯିବ । ଭାଗୀରଥୀ ସାଗରର ଜଳଧାରଣ କ୍ଷମତା ହ୍ରାସ ଓ ପ୍ରାକୃତିକ ପରିବେଶ ଉପରେ ପଡ଼ୁଥିବା ନକାରାତ୍ମକ ପ୍ରଭାବ ବିଷୟରେ ବାରମ୍ବାର ଅନୁରୋଧ ଓ ଆନେ୍ଦାଳନ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ନ ମିଳିଥିବାରୁ ସମିତି ଏହି ଆନେ୍ଦାଳନର ପଥ ଅବଲମ୍ବନ କରିଛି । ତଥାପି ଯଦି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନିଅନ୍ତି ଜିଲ୍ଲାରେ ଏହି ଆନେ୍ଦାଳନକୁ ଆହୁରି ତୀବ୍ରତର କରାଯାଇ ଢେଙ୍କାନାଳ ବନ୍ଦ ଡାକରା ଦିଆଯିବ । ମେ’୧୩ ଗଣ ଧାରଣାରେ ସମସ୍ତ ପୋଖରୀ ପ୍ରେମୀ ଓ ଜନସାଧାରଣଙ୍କୁ ଏହି ଆନେ୍ଦାଳନରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଛି । ଆଜିର ବୈଠକରେ ଆବାହକ ପ୍ରଶାନ୍ତ ମିଶ୍ର, ଭରତ କୁମାର ଦାସ, ପ୍ରେମ୍ ଶଙ୍କର ମିଶ୍ର, ଦିଲ୍ଲୀପ କୁମାର ରାଉତ, ଆଇନଜୀବୀ ନିର୍ମଳ ମିଶ୍ର, ୬ ନଂ ୱାର୍ଡ ପାରିଷଦ ସନ୍ଦୀପ ଷଡ଼ଙ୍ଗୀ, ମନ୍ମଥ ରାଓ, ପଙ୍କଜ ନାୟକ, ସମ୍ପାଦକ ଅଶୋକ ସ୍ୱାଇଁ, ଗୋବିନ୍ଦ ସେନାପତି, ଗୋକୁଳାନନ୍ଦ ମାଝୀ, କିଶୋର ବେହେରା, ସରୋଜ ଶତପଥି ଓ ଅନିଶ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଅବିନାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।