ଜଙ୍ଗଲଜାତ ଦ୍ରବ୍ୟ ପାଇଁ ଶହେ ପ୍ରକ୍ରିୟାକରଣ ୟୁନିଟ
ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱର ସ୍ଥିତ ବିଏମ୍ ହାଇସ୍କୁଲରେ ୭୬ତମ ବନ ମହୋତ୍ସବ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ବନ ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାର ଗୁଡିକର ପୁନର୍ବିନ୍ୟାସ ଘୋଷଣା କରିଛନ୍ତି । ଏହି ନୂତନ ପୁରସ୍କାର ଆଜିଠାରୁ ହିଁ ଲାଗୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହିକ୍ରମରେ ଚଳିତ ବର୍ଷ ବନ ସୁରକ୍ଷା ଓ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ପୁରସ୍କାର ଯୁଗ୍ମ ଭାବେ କଳାହାଣ୍ଡିର ‘ତୁଲଙ୍ଗପଦର ବନ ସୁରକ୍ଷା ସମିତି’ ଏବଂ କରଞ୍ଜିଆ ଫରେଷ୍ଟ ଡିଭିଜନର ‘ପାହାଡପୁର ବନ ସୁରକ୍ଷା ସମିତି’କୁ ପ୍ରଦାନ କରାଯାଇଛି । ଉଭୟଙ୍କୁ ମିଳିତ ଭାବେ ୪ ଲକ୍ଷ ଟଙ୍କା ପୁରସ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । କଳାହାଣ୍ଡି ନର୍ଥ ଫରେଷ୍ଟ ଡିଭିଜନର ତୁଲଙ୍ଗପଦର ବନ ସୁରକ୍ଷା ସମିତି ବଜାରଗଡ ଜଙ୍ଗଲର ୫୦ ହେକ୍ଟର ଅଞ୍ଚଳରେ ବୃକ୍ଷ ରୋପଣ କରି ଏହି ଅବକ୍ଷୟ ପ୍ରାପ୍ତ ଜଙ୍ଗଲର ପୁନରୁଧାର କରିପାରିଛନ୍ତି । ସେହିପରି କରଞ୍ଜିଆ ଫରେଷ୍ଟ ଡିଭିଜନର ପାହଡପୁର ବନ ସୁରକ୍ଷା ସମିତି ବୁଢିପାଟ ଜଙ୍ଗଲର ୧୫୯ ହେକ୍ଟର ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରି ଜଙ୍ଗଲର ସୁରକ୍ଷା କରିଛନ୍ତି ।
ସୁନ୍ଦର ଓ ସବୁଜ ଓଡିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ଭିଜନ ଓଡିଶା କାର୍ଯ୍ୟକ୍ରମରେ ‘ସବୁଜ ଓଡିଶା’ ଗଠନ ଏକ ପ୍ରମୁଖ ଲକ୍ଷ୍ୟ । ଏଥିପାଇଁ ସମ୍ପ୍ରଦାୟ ନେତୃତ୍ୱାଧୀନ ଜଙ୍ଗଲ ଉଦ୍ୟୋଗ ମାଧ୍ୟମରେ ୧୦ ଲକ୍ଷ ସବୁଜ ଜୀବିକା ସୃଷ୍ଟି କରାଯିବ । ଏହାସହ ଓଡିଶାକୁ ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ବିକଶିତ କରାଯିବ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ସବୁଜ ଓଡିଶା ଯୋଜନାରେ ଆଦିବାସୀ ମାନଙ୍କ ରୋଜଗାର ବୃଦ୍ଧି ପାଇଁ ଶାଳ, ତେନ୍ତୁଳି, ବାଁଉଶ ଓ ଔଷଧୀୟ ଉଦ୍ଭିଦ ପାଇଁ ୧୦୦ ରୁ ଅଧିକ ପ୍ରକ୍ରିୟା କରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହାଦ୍ୱାରା ୫ ହଜାର କୋଟି ଟଙ୍କାରୁ ଅଧିକ ଆୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।
ସେହିପରି ଚଳିତ ବର୍ଷ ‘ଏକ୍ ପେଡ୍ ମା’ କେ ନାମ-୨.୦’ ଅଭିଯାନରେ ୭.୫ କୋଟି ଚାରା ରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବଜ୍ରପାତରୁ ରକ୍ଷା ପାଇବା ପାଇଁ ଗତ ବର୍ଷ ସରକାର ୧୯ ଲକ୍ଷ ତାଳଗଛ ରୋପଣ କରିଥିଲେ ଏବଂ ଚଳିତ ବର୍ଷ ୧୮ ଲକ୍ଷ ତାଳ ଗଛ ରୋପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ କହିଥିଲେ ଯେ, ୨୦୨୫ ବନ ମହୋତ୍ସବର ବିଷୟବସ୍ତୁ ହେଉଛି "ଏକ ପେଡ୍ ମା କେ ନାମ୍ ।’ ଏହି ବୃକ୍ଷରୋପଣ ପ୍ରୟାସକୁ ସେମାନଙ୍କର ମା'ଙ୍କ ପ୍ରତି ଉତ୍ସର୍ଗ କରିବାକୁ ଉତ୍ସାହିତ କରୁଛି । କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।