ଲକ୍ଷ୍ମୀନାରାୟଣଙ୍କ ବିଶ୍ୱଶାନ୍ତି ଯଜ୍ଞ 

 ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ କେନ୍ଦୁପାଟଣା ପଞ୍ଚାୟତ ଚମ୍ପତିପାଟଣା ଗ୍ରାମରେ ବିଜେ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ମହାପ୍ରଭୁଙ୍କ ୫ମ ବାର୍ଷିକ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅଙ୍କୁରାରୋପଣ ପରେ ୧୦୮ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ପବିତ୍ର ଚିତ୍ରୋତ୍ପଳା ନଦୀ କଦମକଣ୍ଟା ସ୍ଥିତ ଚାଚଖାଇ ଘାଟରୁ ଜଳ ଉତ୍ତୋଳନ କରାଯାଇ କଳସ ଶୋଭାଯାତ୍ରାରେ ଆସି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଏହାପରେ ଗୁରୁପୂଜା, ସୂର୍ଯ୍ୟପୂଜା, ମଣ୍ଡଳାଧିପୂଜା କରାଯାଇ ଅଗ୍ନିସ୍ଥାପନ ହେବା ପରେ ଲକ୍ଷ୍ମୀନାରାୟଣଙ୍କର ଉପଚାର ପୂଜା, ତୁଳସୀ ଅର୍ପଣ, ଗୀତାପାଠ, ଚଣ୍ଡିପାଠ, ରୁଦ୍ରାଭିଷେକ, କରାଯିବା ସହ ୧୦୦୮ ଆହୂତି ପ୍ରଦାନ କରାଯାଇଥିଲା । ପଣ୍ଡିତ ସଞ୍ଜୟ ଷଢଙ୍ଗୀ ଓ ତାଙ୍କ ସହଯୋଗୀମାନେ ଯଜ୍ଞରେ ପୂଜାର୍ଚ୍ଚନା କରିଥିବାବେଳେ କର୍ତ୍ତା ଭାବେ ପଦ୍ମଲୋଚନ ଶତପଥି ଓ ତାଙ୍କ ପତ୍ନୀ ଗୀତାଞ୍ଜଳି ଶତପଥି କାର୍ଯ୍ୟ ନିର୍ବାହ କରିଥିଲେ । ଯଜ୍ଞ ପରିଚାଳନା କମିଟି ପକ୍ଷରୁ ଧୀରେନ୍ଦ୍ର ଶତପଥି, ରବିନ୍ଦ୍ର ଶତପଥି, ପ୍ରମୋଦ ସାମଲ, ନିରଞ୍ଜନ ମାଝୀ, ମହେନ୍ଦ୍ର ସାମଲ, ଜଗବନ୍ଧୁ ପାତ୍ର, ରବିନ୍ଦ୍ର ସାହୁ, ଶରତ ଚନ୍ଦ୍ର ଶତପଥି, ଭବାନୀ ଶଙ୍କର ଶତପଥିଙ୍କ ସମେତ ଗ୍ରାମବାସୀମାନେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।