ସଂକ୍ଷିପ୍ତ ଶୀତ ଅଧିବେଶନ

ସଂକ୍ଷିପ୍ତ ଶୀତ ଅଧିବେଶନ

ସୌଭାଗ୍ୟ ରଞ୍ଜନ ମହାନ୍ତି : ଗତ ପହିଲାରୁ ଆରମ୍ଭ ହୋଇଥିବା ପାର୍ଲିଆମେଂଟର ଶୀତକାଳୀନ ଅଧିବେଶନ ୧୯ଦିନ ଧରି ଚାଲିବାକୁ ଥିବାବେଳେ ମୋଟ ୧୫ଟି ବୈଠକ ବସିବ । ଅଧିବେଶନ କାଳରେ ଯେକୌଣସି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ନେଇ କହିଥିବାବେଳେ ବୃହତ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାର୍ଲିଆମେଂଟକୁ ନାଟକ ମଂଚ ଭାବେ ବ୍ୟବହାର ନକରିବାକୁ ବିରୋଧୀ ଦଳମାନଙ୍କୁ ଚେତାବନୀ ଦେଇଛନ୍ତି । କିନ୍ତୁ ଭୋଟର ତାଲିକା ଯାଂଚ ପାଇଁ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ (ଏସଆଇଆର)କୁ ନେଇ ସଂକ୍ଷିପ୍ତ ଅଧିବେଶନର ତିନୋଟି ମୂଲ୍ୟବାନ କାର୍ଯ୍ୟଦିବସ ସମ୍ପୂର୍ଣ୍ଣ ଧୋଇ ଯିବା ପରେ ଶେଷରେ ଏହା ଉପରେ ଆଲୋଚନା ପାଇଁ ସହମତି ପ୍ରକାଶ କରିଛନ୍ତି ।  ଏସଆଇଆର ଉପରେ ଏହି ୯ତାରିଖ ଦିନ ସ୍ୱତନ୍ତ୍ର ଆଲୋଚନା ହେବ ।

  ସେହିପରି ଶୀତକାଳୀନ ଅଧିବେଶନ ମଧ୍ୟରେ ଏହା ସବୁଠୁ ସଂକ୍ଷିପ୍ତ ଥିବା ବିରୋଧୀ ଦଳଗୁଡିକ ଦର୍ଶାଇଥିବାବେଳେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀ ଅଭିଯୋଗ କରି କହିଛନ୍ତି ଯେ, ବିଦେଶୀ ପଦାଧିକାରୀଙ୍କ କୂଟନୈତିକ କାର୍ଯ୍ୟକ୍ରମରେ ସରକାର ବିରୋଧୀ  ଦଳ ନେତାଙ୍କୁ ଦୂରେଇ ରଖିଛନ୍ତି । ଯାହାକି ପରମ୍ପରାର ଉଲଂଘନ । କେବଳ ଏତିକି ନୁହେଁ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତିଙ୍କ ପକ୍ଷରୁ ଆୟୋଜିତ ନୈଶ୍ୟ ଭୋଜି ସଭାକୁ ଉଭୟ ଲୋକସଭା ଓ ରାଜ୍ୟସଭାର ବିରୋଧୀ ଦଳ ନେତାଙ୍କୁ ଆମନ୍ତ୍ରଣ କରାଯାଇନଥିବା ବେଳେ କେତେକ ସାଂସଦଙ୍କୁ ଆମନ୍ତ୍ରଣ କରାଯିବା ଘଟଣାକୁ ନେଇ ଗୃହରେ ବାତାବତରଣ ଉଷ୍ମ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଏହାକୁ ମୁଖ୍ୟ ବିରୋଧୀ ଦଳ ଏକ ପ୍ରସଙ୍ଗ କରିବା ଆଶା କରାଯାଏ । ସରକାର ଓ ବିରୋଧୀ ଦଳ ମଧ୍ୟରେ ପରସ୍ପର ବିରୋଧି ସମ୍ପର୍କରେ କୌଣସି ଆଖିଦୃଶିଆ ଉନ୍ନତି ଦେଖାଯାଉନଥିବା ସତ୍ତେ୍ୱ ଉପ-ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ସିପି ଠାକୁର ସମ୍ପର୍କରେ କେତେକ ସୁଧାର ଆଣିବା ଆଶା କରାଯାଏ । ଉଲ୍ଲେଖଯୋଗ୍ୟ ଯେ, ପାର୍ଲିଆମେଂଟର ଚଳିତ ଅଧିବେଶନରେ ସରକାର କେତେକ ଅଭିଳାଷିତ ବିଧେୟକ ସମେତ ମୋଟ ୧୪ଟି ବିଲ୍‌ ଗୃହରେ ଆଗତ କରିବା କାର୍ଯ୍ୟସୂଚୀ ରହିଛି, ଯାହାକି ଗୃହରେ ରାଜନୈତିକ ଝଡ ସୃଷ୍ଟି କରିବା ଆଶଙ୍କା ରହିଛି।

    କହିବା ବାହୁଲ୍ୟ ଯେ, ଅପରାଧିକ ନ୍ୟାୟିକ ପଦ୍ଧତିର ସରଳୀକରଣ ପାଇଁ ଜନ ବିଶ୍ୱାସ (ବ୍ୟବସ୍ଥାର ସଂଶୋଧନ) ବିଲ୍‌-୨୦୨୫ ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଭାବେ ମନେ କରାଯାଉଥିବା ବେଳେ ଏହାର ହିନ୍ଦୀ ନାମକରଣକୁ ଦକ୍ଷିଣ ଭାରତୀୟ ରାଜ୍ୟର ବିରୋଧୀ ଦଳଗୁଡିକ ଦୃଢ ବିରୋଧ କରିପାରନ୍ତି । ସେହିପରି ଉଚ୍ଚଶିକ୍ଷା କମିଶନ ବିଲ୍‌, ଯାହାକି ୟୁଜିସି ପରି କେତେକ ସଂସ୍ଥାର ଗଠନଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ରହିଛି । ଏଥିରେ କେନ୍ଦ୍ର ସରକାରଙ୍କ ଏକଚାଟିଆ ଆଧିପତ୍ୟକୁ ବିରୋଧୀ ଦଳଗୁଡିକ ଦୃଢ ବିରୋଧ କରିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ସେହିପରି ଏଜେଣ୍ଡାରେ ଜାତୀୟ ରାଜପଥ (ସଂଶୋଧନ) ବିଲ୍‌, ଅଟୋମିକ ଏନର୍ଜି ବିଲ, ଦି ଆର୍ବିଟ୍ରେସନ ଆଣ୍ଡ  କନସିଲିଏସନ (ସଂଶୋଧନ) ବିଲ୍‌ ଆଦି ସଂସଦରେ ଅନୁମୋଦନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଗୃହରେ ସ୍ୱାସ୍ଥ୍ୟ ସୁରକ୍ଷାରୁ ଜାତୀୟ ସୁରକ୍ଷା ଠୋସ୍‌ ବିଲ୍‌ ଅନୁମୋଦିତ ହୋଇସାରିଛି । ଯେଉଁ ଆଇନରେ ତମାଖୁ ଉତ୍ପାଦିତ ସାମଗ୍ରୀ ଉପରେ ଅତିରିକ୍ତ ସେସ୍‌ ବା କର ଲାଗୁ ପ୍ରସ୍ତାବ ରହିଛି ।  

    ଉଭୟ ଲୋକସଭା ଓ ରାଜ୍ୟସଭାରେ ଏସଆଇଆର ପରିପ୍ରେକ୍ଷୀରେ ନିର୍ବାଚନ ସଂସ୍କାର, ଏବଂ ଜାତୀୟ ସଂଗୀତ ବନ୍ଦେ ମାତରଂ ରଚନାର ୧୫୦ତମ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ସଂସ୍କାର ନେଇ ଏସଆଇଆର ଉପରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟମାନେ ମୁହାଁମୁଁହିଁ ହେବା ଆଶଙ୍କା ରହିଛି । ନିର୍ବାଚନ ସଂସ୍କାର ନେଇ ଦେଶରେ ଏକକାଳୀନ ନିର୍ବାଚନ ପାଇଁ ସରକାର ଅଗ୍ରାଧିକାର ଦେଇଥିବାବେଳେ ଭୋଟର ତାଲିକା ପ୍ରସ୍ତୁତି ଓ ନିର୍ବାଚନ ପରିଚାଳନାରେ ଜାଲିଆତି ନେଇ ବିରୋଧୀ ଦଳ ଆନ୍ଦୋଳନାତ୍ମକ ଆଭିମୁଖ୍ୟ ଗୃହକୁ ସରଗରମ କରିଦେଇପାରେ । ଆହୁରି ମଧ୍ୟ ବିରୋଧୀ ଦଳଗୁଡିକ ଦିଲ୍ଲୀ ବିସ୍ଫୋରଣ, କୃଷକ ସମସ୍ୟା, ଦରବୃଦ୍ଧି, ପ୍ରଦୁଷଣ, ବିରୋଧୀଙ୍କ ବିରୁଦ୍ଧରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିଗୁଡିକୁ ନିୟୋଜିତ କରିବା, ଆମେରିକା ସହ ଚାଲିଥିବା ବାଣିଜ୍ୟ ଆଲୋଚନା ଆଦି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡିକ ଆଲୋଚନା ଦାବି କରିବା ସମ୍ଭାବନା ରହିଛି । ଏହା ନିଃସନ୍ଦେହ ଯେ, କାର୍ଯ୍ୟସୂଚୀ ଦୃଷ୍ଟିରୁ ଅଧିବେଶନ ସଂକ୍ଷିପ୍ତ ହେଲେ ବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେହୁଏ । ସେହିପରି ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଏବଂ ମତାନ୍ତର ହ୍ରାସ ପାଇଁ ଅଧିବେଶନକୁ ଉଭୟ ଶାସକ ଓ ବିରୋଧୀ ଏକ ସୁଯୋଗ ଭାବେ ବ୍ୟବହାର କରିବାର ସମୟ ଆସିଛି ।

ମୋ:୭୯୭୮୬୬୬୪୦୩