ଚୀନ୍-ଆମେରିକା ଶୁଳ୍କ ଯୁଦ୍ଧ


ଡ଼ୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପୂର୍ବରୁ ବିଭିନ୍ନ ରାଷ୍ଟ୍ର ଉପରେ ଚଢା ଦରରେ ଶୁଳ୍କ ଲାଗୁ କରି ରପ୍ତାନୀ ନୀତି ଘୋଷଣା କରିଲେ । ଶପଥ ଗ୍ରହଣ କରିବାର ୨୪ ଘଣ୍ଟା ପରେ କିଛି ରାଷ୍ଟ୍ର ଉପରେ ୧୫, ୨୦, ୨୫ ଶତାଂଶ ଆଦି ବିଭିନ୍ନ କିସମର ଶୁଳ୍କ ଲଗାଇଲେ । ଏହା ଫଳରେ ଆମେରିକାରୁ ବିଭିନ୍ନ ଦ୍ରବ୍ୟ ଆମଦାନୀ କରୁଥିବା ବିଭିନ୍ନ ରାଷ୍ଟ୍ର ଆର୍ନ୍ତଜାତିକ ବାଣିଜ୍ୟ ଦୃଷ୍ଟିରୁ ଘୋର କ୍ଷତିଗ୍ରସ୍ତ ହୋଇଛନ୍ତି । ଭାରତ ଉପରେ ମଧ୍ୟ ଆମେରିକା ୫୦ ପ୍ରତିଶତ ଶୁଳ୍କ ଲଗାଇ ଦେଇଛି । ଯଦିଓ ଏହି ଶୁଳ୍କ କାର୍ଯ୍ୟକାରୀ ହୋଇନାହିଁ, ତଥାପି ବିଭିନ୍ନ ସମୟରେ କାର୍ଯ୍ୟକାରୀ ହେବ ବୋଲି କହି ସମୟ ଗଡ଼ାଇ ଚାଲିଛନ୍ତି । ଏବେ ଆମେରିକା ଚୀନ୍ ଉପରେ ଶୁଳ୍କ ବଢ଼ାଇ ଦେଇଛି । ଚୀନ୍ ଏବଂ ଆମେରିକା ଦୁଇ ବୃହତ୍ ଶକ୍ତି ବିଶ୍ୱର ବଜାରକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ଏହି ପ୍ରତିଦ୍ୱନ୍ଦ୍ୱିତାରେ ସମଗ୍ର ବିଶ୍ୱର ଆର୍ଥôକ କାରବାର କ୍ଷତିଗ୍ରସ୍ତ ହୋଇଛି । ଏବେ ଟ୍ରମ୍ପ୍ କେଉଁ ଦେଶ ଉପରେ କେତେ ଶୁଳ୍କ ଲଗାଇବେ ତାହା ଏ ପର୍ଯ୍ୟନ୍ତ ନୀତିଗତ ଭାବରେ ସ୍ଥିର କରିପାରିନଥିବାରୁ ଶୁଳ୍କ ଲଗାଇବାର ଧମକ ଦେଇ ବାରମ୍ବାର ତାରିଖ ଘୁଞ୍ଚାଉଛନ୍ତି । ନିକଟରେ ଚୀନ୍ ଉପରେ ବର୍ଦ୍ଧିତ ଶୁଳ୍କ ଲଗାଇବା ପାଇଁ ଧାର୍ଯ୍ୟ କରିଥିବା ତାରିଖକୁ ପୁଣି ଥରେ ୯୦ ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି । ତେବେ ଟ୍ରମ୍ପ୍ଙ୍କର ଏ ପ୍ରକାରର ମତିଗତିକୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ନିଜ ଦେଶରେ କି ପ୍ରକାରର ଅର୍ଥନୀତି ସେ ଗ୍ରହଣ କରିବେ ସେନେଇ ସେ ନିଶ୍ଚିତ ନୁହଁନ୍ତି କିମ୍ବା କେଉଁ ଦେଶ ପ୍ରତି କେତେ ଶୁଳ୍କ ଲଗାଯିବ ତାହା ଉପରେ ମଧ୍ୟ ସେ ନିଶ୍ଚିତ ହୋଇ ପାରିନାହାନ୍ତି । ଟ୍ରମ୍ପ୍ଙ୍କର ଏହି ଶୁଳ୍କ ଏବଂ ଟାରିଫ୍କୁ ନେଇ ବିଶ୍ୱର ଦୁଇ ବଡ଼ ଶକ୍ତି ମଧ୍ୟରେ ଯେଉଁ ବଡ ଯୁଦ୍ଧ ଆରମ୍ଭ ହେବାର ସମ୍ଭାବନା ଥିଲା ତାହା ୯୦ ଦିନ ପାଇଁ ଘୁଞ୍ଚିଯାଇଛି । ଏହି ୯୦ ଦିନର ମହଲତ ଟ୍ରମ୍ପ୍ ଦେବା ପରେ ବର୍ତ୍ତମାନ ଚୀନ୍ ଏବଂ ଆମେରିକା ମଧ୍ୟରେ ରହିଥିବା ତିକ୍ତତା ହ୍ରାସ ପାଇବା ଭଳି ମନେ ହେଉଛି । ଯଦି ପ୍ରକୃତରେ ଏହି ଦୁଇ ରାଷ୍ଟ୍ର ମଧ୍ୟରେ ରହିଥିବା ପ୍ରଚ୍ଛନ୍ନ ଶତ୍ରୁତା ଦୂର ହୋଇଯାଏ ତେବେ ବିଶ୍ୱର ଅନେକ ରାଷ୍ଟ୍ର ଏକ ଅର୍ଥନୀତିକ ଯୁଦ୍ଧରୁ ବର୍ତ୍ତିଯିବେ ବୋଲି ଆଶା କରାଯାଉଛି । 
ଅନ୍ୟପକ୍ଷରେ ଋଷ୍ ଏବଂ ଆମେରିକା ମଧ୍ୟରେ ବୈରତା ଚରମ ସୀମାରେ ପହଞ୍ଚିଗଲାଣି । ଦୁଇ ଦେଶ ମଧ୍ୟରେ ତିକ୍ତ ସମ୍ପର୍କ ଯୋଗୁଁ ଋଷ୍ର ସହଯୋଗ କିମ୍ବା ଋଷ୍ରୁ ଆମଦାନୀ କରୁଥିବା ରାଷ୍ଟ୍ରଗୁଡ଼ିକ ଟ୍ରମ୍ପ୍ଙ୍କ ଦୃଷ୍ଟିରେ ଶତ୍ରୁ ବୋଲି ବିବେଚିତ ହେଉଛନ୍ତି । ସେ ଦୃଷ୍ଟିରୁ ବର୍ତ୍ତମାନ ଦେଖିବାକୁ ଗଲେ ଭାରତ ହେଉଛି ଆମେରିକାର ଏକ ଶତ୍ରୁ । କାରଣ ଋଷ୍, ଭାରତକୁ କ୍ରୁଡ୍ ଅଏଲ୍ ଶସ୍ତାରେ ଦେଉଥିବାରୁ ଆମେରିକାରୁ ଭାରତ ଚଢ଼ା ଦରରେ ଆଣିବାକୁ ପ୍ରସ୍ତୁତ ନୁହେଁ । ତେଣୁ ଆମେରିକା ଭାରତକୁ ତେଲ ବିକ୍ରି କରି ଯେଉଁ ଲାଭ ପାଇଥାନ୍ତା ତାହା ଋଷ୍ ପାଉଛି । ସେ ଦୃଷ୍ଟିରୁ ଆମେରିକା ଟାରିଫ୍ ବଢ଼ାଇବ ବୋଲି ଭାରତକୁ ବାରମ୍ବାର ଧମକ ଦେଉଛି । ଏଥିସହିତ ଆମେରିକାରୁ ତେଲ କିଣିବା ପାଇଁ ଚାପ ପକାଉଛି । ଭାରତ କିନ୍ତୁ ଏ ପ୍ରକାରର କୌଣସି ଚାପ ଆଗରେ ମୁଣ୍ଡ ନୁଆଁଉ ନାହିଁ କିମ୍ବା ଆମେରିକାର ଧମକ୍କୁ ଖାତିର୍ ମଧ୍ୟ କରୁନାହିଁ । ଟ୍ରମ୍ପ୍ ଅପ୍ରେଲ୍ ମାସରେ ବିଶ୍ୱର ଶହେରୁ ଅଧିକ ରାଷ୍ଟ୍ର ଉପରେ ଏକ ମୋଟା ଧରଣର ଶୁଳ୍କ ଲଗାଇ ଦେଲେ । ଚୀନ୍ ଏବଂ ଭାରତ ଉପରେ ମଧ୍ୟ ଏହି ଶୁଳ୍କ ଲଗାଇ ଦେଲେ । ତେବେ ଚୀନ୍ରୁ ଆସୁଥିବା ସାମଗ୍ରୀ ଉପରେ ଆମେରିକା ୧୪୫ ପ୍ରତିଶତ ଶୁଳ୍କ ଲଗାଇବ ବୋଲି ଧମକ ଦେଇ ମଧ୍ୟ ପୁଣି ୯୦ ଦିନର ମହଲତ ଦେବାରୁ ଭବିଷ୍ୟତରେ ବିଶ୍ୱରେ ହେବାକୁ ଥିବା ଅର୍ଥନୀତିକ ଯୁଦ୍ଧର ଅନ୍ତତଃପକ୍ଷେ ବର୍ତ୍ତମାନ ସ୍ଥଗିତ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।