ସଙ୍ଗୀତକାରମାନେ ଧର୍ମୀୟ ଭାବନାରୁ ନିବୃତ୍ତ ରହନ୍ତୁ : ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର: ଯେତେବେଳେ ସମାଜରେ ପରିବର୍ତ୍ତନର ସମୟ ଆସିଥାଏ, ତାର ପ୍ରଥମ ଆଭାସ ଆସିଥାଏ ଲେଖକ, ଗୀତିକାର ଓ କଳାକାରଙ୍କ ଠାରୁ । ସ୍ୱାଧିନତା ଆନେ୍ଦାଳନ ସମୟରେ ମହାନ୍ ଦେଶଭକ୍ତମାନଙ୍କ ଦେଶାତ୍ମବୋଧ କବିତା ଓ ସଙ୍ଗୀତ ପ୍ରତ୍ୟେକ ଭାରତୀୟଙ୍କ ମନରେ ଜାତୀୟତାବାଦର ଚେତନା ଜଗାଇଥିଲା  । ଦେଶପ୍ରେମର ବହ୍ନି ପ୍ରଜ୍ଜ୍ୱଳିତ କରିଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶାତ୍ମବୋଧକ ସଙ୍ଗୀତ ଉସôବ ଭାରତୀୟମ୍ରେ ଉଦ୍ବୋଧନ ଦେଇ କହିଛନ୍ତି  ।ସ୍ୱାଧିନତା ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ଠାରେ ଦେଶାତ୍ମବୋଧକ ସଂଗୀତ ଉସôବ ଭାରତୀୟମ୍ ଆୟୋଜନ କରାଯାଇଥିଲା  । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉପସ୍ଥିତ ଦର୍ଶକଙ୍କୁ ସ୍ୱାଧିନତା ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଥିଲେ ଯେ, ଗୀତ ସଙ୍ଗୀତ, ଅନନ୍ୟ, ଶାଶ୍ୱତ ଓ ଚିରନ୍ତନ  । କାହିଁ କେଉଁ ପୁରାତନ କାଳରୁ ମାନବ ସମାଜ ଗୀତ ସଙ୍ଗୀତରେ ନିପୁଣତା ହାସଲ କରିଛି  । ମୁଖ୍ୟମନ୍ତ୍ରୀ, ନୂତନ ପିଢ଼ିର କଳାକାର ଓ ସଙ୍ଗୀତଜ୍ଞ ମାନଙ୍କୁ ଅନୁରୋଧ କରି କହିଥିଲେ ଯେ, ଆଜି ସଙ୍ଗୀତ ଓ କଳା କ୍ଷେତ୍ରରେ ଅସୀମିତ ସୁଯୋଗ ଅଛି  । କଳାକାରଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଓ ସମ୍ମାନ ମିଳୁଛି  ।  ସଙ୍ଗୀତକାରମାନେ  ଧର୍ମୀୟ ଭାବନା କିମ୍ୱା କୌଣସି ଜାତି କି ସମ୍ପ୍ରଦାୟକୁ ଆଘାତ ଦେଲା ପରି ସୃଜନରୁ ନିବୃତ ରୁହନ୍ତୁ  । କାର୍ଯ୍ୟକ୍ରମରେ ସୁନାମଧନ୍ୟ କଣ୍ଠଶିଳ୍ପୀ କୈଳାସ ସାହୁ, ନାଜିଆ ଆଲମ୍, ସୁବାଷ ରାମ, ପଙ୍କଜ ଜାଲ୍, ସୁଶ୍ରୀ ନେହା ନିହାରିକା, ସର୍ବେଶ୍ୱର ଭୋଇ, ବିଷ୍ଣୁମୋହନ କବି, ଅର୍ଚ୍ଚନା ପାଢ଼ୀ ଓ ରୁକୁ ସୁନାଙ୍କ ଭଳି ୧୫ରୁ ଉର୍ଦ୍ଧ୍ୱ କଣ୍ଠଶିଳ୍ପୀ ଦେଶାତ୍ମବୋଧ ସଙ୍ଗୀତ ଗାନ କରି ଦର୍ଶକମାନଙ୍କୁ ଦେଶପ୍ରେମରେ ଉଦ୍ବୁଦ୍ଧ କରିଥିଲେ  । କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀ ଡ. ପ୍ରିୟଙ୍କା ମାର୍ଣ୍ଡି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ  ।