ସଚେତନତା ଏବଂ ବ୍ୟାପକ ଟିକେଟ ଯାଞ୍ଚ ଅଭିଯାନ
ଜଟଣୀ : ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ-ଜୁନ୍) ସମୟରେ ଟିକେଟ ଯାଞ୍ଚ ରାଜସ୍ୱରେ ଏକ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି । ଏହି ଅଭିବୃଦ୍ଧି ଭଡ଼ା ପାଳନ ସୁନିଶ୍ଚିତ କରିବା ଏବଂ ବୈଧ ଟିକେଟ ସହିତ ଯାତ୍ରା କରିବାର ଗୁରୁତ୍ୱ ବିଷୟରେ ଜନସଚେତନତା ବୃଦ୍ଧି କରିବାରେ ରେଳମଣ୍ଡଳର ବର୍ଦ୍ଧିତ ପ୍ରୟାସକୁ ପ୍ରତିଫଳିତ କରୁଅଛି । ଏପ୍ରିଲ-ଜୁନ୍ ମଧ୍ୟରେ ୧.୭୬ ଲକ୍ଷ ଯାତ୍ରୀଙ୍କ ଠାରୁ ଉପଯୁକ୍ତ କିମ୍ବା ବୈଧ ଟିକେଟ ନଥିବା ବାବଦରେ ପ୍ରାୟ ୮.୭୮ କୋଟି ଆଦାୟ କରାଯାଇଥିଲା ବେଳେ ୨୫-୨୬ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଉପଯୁକ୍ତ କିମ୍ବା ବୈଧ ଟିକେଟ ବିନା ଯାତ୍ରା କରୁଥିବା ମୋଟ ପ୍ରାୟ ୧.୯୨ ଲକ୍ଷ ଯାତ୍ରୀଙ୍କ ଠାରୁ ଟିକେଟ ଯାଞ୍ଚ ସମୟରେ ଅନିୟମିତତା ବାବଦରେ ପ୍ରାୟ ୧୦.୭୬ କୋଟି ଜରିମାନା ଏବଂ ଶୁଳ୍କ ଆଦାୟ କରାଯାଇଅଛି । ଏହା ଗତ ବର୍ଷର ସମାନ ସମୟ ତୁଳନାରେ ଦଣ୍ଡିତ ଯାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୦% ଏବଂ ରାଜସ୍ୱ ଆଦାୟ କ୍ଷେତ୍ରରେ ୨୨% ବୃଦ୍ଧିକୁ ପ୍ରତିଫଳିତ କରୁଅଛି । ସେହିପରି ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପରିସୀମା ମଧ୍ୟରେ ବ୍ୟାପକ ଟିକେଟ ଯାଞ୍ଚ କାର୍ଯ୍ୟ ସହ ଯାତ୍ରୀ ସଚେତନତା ଅଭିଯାନ ଆରମ୍ଭ ହେବା ଫଳରେ ଅନୁପାଳନ ଏବଂ ରାଜସ୍ୱ ବୃଦ୍ଧି ପାଇଛି । ଯାତ୍ରୀମାନଙ୍କୁ ବୈଧ ଟିକେଟ ସହିତ ଯାତ୍ରା କରିବାର ଗୁରୁତ୍ୱ ଏବଂ ଉଲ୍ଲଂଘନ ପାଇଁ ଦଣ୍ଡ ବିଷୟରେ ସଚେତନତା କରାଯାଇଥିଲା । ରେଳ ସୁରକ୍ଷା ବଳ (ଆରପିଏଫ) ସହିତ ସମନ୍ୱୟରେ କାର୍ଯ୍ୟ କରି ପ୍ରମୁଖ ଷ୍ଟେସନ ଏବଂ ଅନବୋର୍ଡ ଟ୍ରେନଗୁଡ଼ିକରେ ସ୍ୱତନ୍ତ୍ର ଦଳ ନିୟୋଜିତ କରାଯାଇଥିଲା । ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ସ୍ୱଚ୍ଛତା ବଜାୟ ରଖିବା, ଯାତ୍ରୀ ସେବାରେ ଉନ୍ନତି ଆଣିବା ଏବଂ ଦାୟିତ୍ୱପୂର୍ଣ୍ଣ ଯାତ୍ରାକୁ ପ୍ରୋସôାହିତ କରିବା ପାଇଁ ପ୍ରତିବଦ୍ଧ । ସମସ୍ତ ଯାତ୍ରୀଙ୍କୁ ଅସୁବିଧା ଏଡାଇବା ଏବଂ ଅଧିକ ଦକ୍ଷ ରେଳ ବ୍ୟବସ୍ଥାରେ ଯୋଗଦାନ ଦେବା ପାଇଁ ବୈଧ ଯାତ୍ରା କର୍ତ୍ତୃପକ୍ଷଙ୍କ ଅଧିକାର ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି ।