ସଡକ ସୁରକ୍ଷା କମିଟି ବୈଠକରେ ଚରମ ଅସନ୍ତୋଷ

 ଯାଜପୁର : ଚଣ୍ଡୀଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ଚାଷଜମିରେ ପରିଣତ ହୋଇଛି । ଧାନବୁଣି ବେଉଷଣ କଲେ ଭଲ ଧାନ ହୋଇ ପାରିବ । ଦେଶର ଏକ ଗୁରୁତ୍ୱପୂର୍ଣ ଜାତୀୟ ରାଜପଥର ଏଭଳି ଚରମ ଦୂରାବସ୍ଥା ନେଇ ସଡ଼କ ସୁରକ୍ଷା କମିଟି ବୈଠକରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଚଣ୍ଡିଖୋଲ ଛକ ଆଉ ଛକ ଅବସ୍ଥାରେ ନାହିଁ ଟ୍ରାଫିକ ବ୍ୟବସ୍ଥା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ । ଯାଜପୁର ଜିଲ୍ଲାପାଳ ଅସର କୁମାର କର ଅସନ୍ତୋଷ ନେଇ ଉଦବେଗ ପ୍ରକାଶ ସହ ନଭେମ୍ବର ଶେଷ ସୁଦ୍ଧା ଲୋକଙ୍କ ଗମନା ଗମନ ପାଇଁ ଭଲ ରାସ୍ତା କରିବାକୁ ନିଦେ୍ର୍ଦଶ ପ୍ରଦାନ କରିଥିଲେ । ବୈଠକ ଆରମ୍ଭ ହେବା ମାତ୍ରେ ସଭ୍ୟ ସତୀଶ ବିଶ୍ୱାଳ ଅଭିଯୋଗ କରିଥିଲେ ଯେ, ଦେଶର ଇସ୍ପାତ ଶିଳ୍ପ ପ୍ରାଣକେନ୍ଦ୍ର କଳିଙ୍ଗନଗର ଏବଂ ଖଣି ଅଞ୍ଚଳ ସହ ପାରାଦ୍ୱୀପ ବନ୍ଦରକୁ ସଂଯୋଗ କରୁଥିବା ଏହି ଜାତୀୟ ରାଜପଥର ବିଭିନ୍ନ ଦୃଷ୍ଟି କୋଣରୁ ଯଥେଷ୍ଟ ଗୁରୁତ୍ୱ ରହିଛି । କେବଳ ଜରାଜୀର୍ଣ୍ଣ ରାସ୍ତା ପାଇଁ ଏହି ଜାତୀୟ ରାଜପଥରେ ଶତାଧିକ ଲୋକ ଦୁର୍ଘଟଣାରେ ମୃତୁ୍ୟବରଣ କରିଛନ୍ତି । ରାସ୍ତା ନିର୍ମାଣରେ ନିମ୍ନ ମାନର ମାଟି ବ୍ୟବହାର କରାଯାଇ ଥିବାରୁ ଏହି ମାଟିକୁ ଜାତୀୟ ରାଜପଥ ବିଭାଗ ରିଜେକ୍ଟ କରିଥିଲେ । ଫଳରେ ରାସ୍ତା କାର୍ଯ୍ୟ ବହୁ ବିଳମ୍ଭ ହେଲା । ଠିକାଦାର ଟଙ୍କା ଖାଇଲେ, ହେଲେ ଆମ ଅଞ୍ଚଳର ଲୋକେ ଏଥିପାଇଁ ଦୁର୍ଘଟଣାରେ ପୋକମାଛି ପରି ମଲେ । ଏହି ରାଜପଥର ଚରମ ଦୂରାବସ୍ଥା ପାଇଁ ବହୁବାର ଜନଆନେ୍ଦାଳନ ହୋଇଛି । ପୂର୍ବରୁ ବହୁ ସଡକ ସୁରକ୍ଷା ବୈଠକରେ ଏଥିନେଇ ପୂର୍ବ ଜିଲ୍ଲାପାଳ ମାନେ ଚରମ ବାଣୀ ଶୁଣାଇଛନ୍ତି  । ଏପରିକି ଏଥନେଇ ଠିକାଦାରଙ୍କ ବିରୋଧରେ ମାମଲା କରିବାକୁ ଧମକ ଦେଇଥିଲେ ।ଏହି ଜାତୀୟ ରାଜପଥର ପ୍ରକଳ୍ପ ନିଦେ୍ର୍ଦଶକ ଏବଂ ଠିକାଦାରଙ୍କ ଭିତରେ ସଲାସୁତରାରେ ଏଭଳି ମନୋମୁଖୀ ନିମ୍ନ ମାନର କାର୍ଯ୍ୟ ଚାଲିଛି । ଉଭୟ ଠିକାଦାର ଏବଂ ପ୍ରକଳ୍ପ ନିଦେ୍ର୍ଦଶକଙ୍କ ଚମତା ଏତେ ମୋଟା ହୋଇଛି ଯେ, ସେମାନଙ୍କ ଉପରେ ଏସବୁ ନିଦେ୍ର୍ଦଶର କୌଣସି ପ୍ରଭାବ ପଡୁନାହିଁ । ଏଥିପାଇଁ ଦେଶର ଡବଲ ଇଂଜିନ ସରକାର ଭୟଙ୍କର ଜନ ଅସନ୍ତୋଷର ଶୀକାର ହେଉଛନ୍ତି ଓ କଳିଙ୍ଗନଗରର ଟାଟା ପରି ଷ୍ଟିଲ ପ୍ଲାଣ୍ଟ ସମ୍ମୁଖରେ ରାସ୍ତାର ଦୂରାବସ୍ଥା ଡବଲ ଇଞ୍ଜିନ ସରକାରର ବଡ ସଫଳତାର ନମୁନା ହେବ । ସେହିପରି ଆଲୁହା, ଭଜଙ୍ଗା, ଖୋସାଲିପୁର ରେଲୱେ ବ୍ରିଜ, ବ୍ରହ୍ମଣୀବ୍ରିଜ, ବରତା, ଓସରା, ଚଢେଇଧରା, ବାଲିସାହି ଆଦି ଅଞ୍ଚଳରେ ଜାତୀୟ ରାଜପଥରେ ଲୋକେ ଯାତାୟତ କରିବାକୁ ଭୟ କରୁଛନ୍ତି । ବୈଠକରେ ଏସଡିପିଓ ପ୍ରଶାନ୍ତ କୁମାର ମାଝୀ, ଯାଜପୁର ଆରଟିଓ ଧୀରେନ୍ଦ୍ର ନାୟକ, ଶିଶିର ସାହୁ ଚଣ୍ଡିଖୋଲ ଆରଟିଓଙ୍କ ସହ ଜାତୀୟ ରାଜପଥର ଢେଙ୍କାନାଳ, କଟକ, ବାଲେଶ୍ୱର ପ୍ରକଳ୍ପ ନିଦେ୍ର୍ଦଶକ କାର୍ଯ୍ୟାଳୟର ଅଧିକାରୀ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ସ୍ୱାସ୍ଥ୍ୟ ଗଣଶିକ୍ଷା, ଉଚ୍ଚଶିକ୍ଷା ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ ଟ୍ରକ, ବସ୍ ମାଲିକ ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ ।