ସମାଜ ପରିବର୍ତ୍ତନରେ ଶିକ୍ଷା ପ୍ରମୁଖ ଶକ୍ତି: ରାଜ୍ୟପାଳ
ଭୁବନେଶ୍ୱର : ଆଜି ଭୁବନେଶ୍ୱରଠାରେ ‘ଓ-ଟିଭି ଶିକ୍ଷା କନ୍କ୍ଲେଭ’ ଉଦ୍ଘାଟନ କରିଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି । ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ବିଶ୍ୱ ବର୍ତ୍ତମାନ ଦ୍ରୁତ ପରିବର୍ତ୍ତନ ଦେଇ ଗତି କରୁଛି । ଏପରି ପରିବର୍ତ୍ତିତ ପରିସ୍ଥିତିରେ ବିଗ୍ ଡାଟା, ମେସିନ ଲର୍ଣ୍ଣିଂ, କୃତ୍ରିମ ବୁଦ୍ଧିମତା, ରୋବଟିକ୍ ବିଜ୍ଞାନ ଆଦିର ଆବିର୍ଭାବ ସହିତ ବିଶ୍ୱର ବୁଝାମଣାରେ ଏକ ବଡ଼ ପରିବର୍ତ୍ତନ ଆସିଛି । ବ୍ୟକ୍ତିର ବିକାଶ ସହିତ ସମାଜ ଓ ରାଷ୍ଟ୍ରର ବିକାଶ ସମନ୍ୱିତ ହୋଇ ଗତି କରେ । ବ୍ୟକ୍ତି, ସମାଜ ଏବଂ ସାମଗ୍ରିକ ଭାବରେ ଜାତିକୁ ପରିବର୍ତ୍ତନ କରିବାରେ ଶିକ୍ଷା ଏକ ପ୍ରମୁଖ ଶକ୍ତି ବୋଲି କହିଛନ୍ତି ରାଜ୍ୟପାଳ । ନୂତନ ଶିକ୍ଷାନୀତି – ୨୦୨୦ ବିଶ୍ୱର ପରିବର୍ତ୍ତିତ ଆବଶ୍ୟକତା ପୂରଣ କରିବା ଦିଗରେ ଏକ ମାଇଲ୍ଖୁଣ୍ଟ ଭାବେ ଉଭା ହୋଇଛି । ଏହା ଯୁବପୀଢ଼ିଙ୍କ ନିଯୁକ୍ତି କ୍ଷମତା ବୃଦ୍ଧି କରିବା ଏବଂ ସେମାନଙ୍କୁ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରିବା ଲକ୍ଷରେ ପାରମ୍ପରିକ ଶିକ୍ଷା ସହିତ ଦକ୍ଷତାର ସମନ୍ୱୟ ଉପରେ ଗୁରୁତ୍ୱ ଆରୋପ କରିଛି ବୋଲି ରାଜ୍ୟପାଳକହିଛନ୍ତି । ଶ୍ରୀମତୀ ଜାଗୀ ମଙ୍ଗତ ପଣ୍ଡାଙ୍କ ନେତୃତ୍ୱରେ ଓ-ଟିଭି ଶିକ୍ଷା କନ୍କ୍ଲେଭ ଆୟୋଜନ କରିବାର ନିରନ୍ତର ପ୍ରୟାସ ପାଇଁ ଓଡ଼ିଶା ଟେଲିଭିଜନ ଗ୍ରୁପ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ ।